ପିଭିଆର୍‌ ମୂର୍ତ୍ତି ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌ :କିସ୍‌ର ବୃହତ୍‌ ବିଜୟ

କଟକ: ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌ ଆନୁକୂଲ୍ୟରେ ବୋସ୍‌ ବୈଷୟିକ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ପିଭିଆର୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ଭୁବନେଶ୍ୱରର କିିସ୍‌ ପ୍ରବେଶ କରିଛି। ସୋମବାର ଖେଳାଯାଇଥିବା ମ୍ୟାଚରେ କିସ୍‌ ୨୨୯ ରନ୍‌ର ବୃହତ୍‌ ବ୍ୟବଧାନରେ ମହାନଦୀବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ପରାସ୍ତ କରିଛି। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଟସ୍‌ ଜିତି ବୋଲିଂ କରିଥିଲା। କିସ୍‌ ୨୫ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୬୬ ରନ୍‌ ସଂଗ୍ରହ କରିଥିଲା। ନବିଦାତ୍ୟ ମଲ୍ଲିକ ୭୬, ରମେଶ ମେଲେକା ୭୧, ସଲମାନ ସାଲପଡ଼ିଆ ୪୫ ରନ୍‌ କରିଥିଲେ। ଶିଶୁ ମନ୍ଦିରର ପୁଲ୍ଲଭ ପାର୍ଥିବ ସାହୁ ଓ ରାହୁଲ ମାଝୀ ୩ ଲେଖାଏଁ ଓ୍ଵିକେଟ ନେଇଥିଲେ। ତେବେ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶିଶୁମନ୍ଦିର ମାତ୍ର ୧୪ ଓଭରରେ ୩୭ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ରୋହିତ ଗମାଙ୍ଗୋ ୫, ରାଜିନ ମଲ୍ଲିକ ଓ ଚିକୁ ପ୍ରଧାନ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ରୋହିତଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଯୋବ୍ରା ମୁନିସିପାଲ୍‌ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ରାୟ ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ଦେବୁ ପଟ୍ଟନାୟକ ଓ ଶୁଭୋଦିତ ମୁଖାର୍ଜୀ ପରିଚାଳନା କରିଥିଲେ। ମଙ୍ଗଳବାର ସିଡିଏ ଡିଏଭି ଓ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍‌ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର