ଗୋଆ: ଏଏଫ୍ସି ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟରେ ଭାରତର ଅପରାଜେୟ ଧାରା ଅବ୍ୟାହତ ରହିଛି। ପ୍ରଥମ ୪ ମ୍ୟାଚ୍ରୁ ୧୨ ପଏଣ୍ଟ ଅର୍ଜନ କରି ୟୁଏଇରେ ୨୦୧୯ରେ ଖେଳାଯିବାକୁ ଥିବା ଏସୀୟ କପ୍ ଲାଗି ଯୋଗ୍ୟତା ଅର୍ଜନ କରି ସାରିଥିବା ଭାରତ ମଙ୍ଗଳବାର ମଁ୍ୟାମାର ବିପକ୍ଷ ପଞ୍ଚମ ମୁକାବିଲାକୁ ୨-୨ ଗୋଲ୍ରେ ଅମୀମାଂସିତ ରଖିଛି। ଫଳରେ ଆଉ ଦୁଇ ପଏଣ୍ଟ ଅର୍ଜନ କରି ମୋଟ ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚାଇ ଦେଇଛି। ତା’ସହ ଗତ ୧୩ ମ୍ୟାଚ୍ରେ ଅପରାଜୟ ରହିବାର କୀର୍ତ୍ତିମାନ ବି କରିଛି। ଅନ୍ୟପକ୍ଷରେ ମାତ୍ର ୫ ପଏଣ୍ଟରେ ଥିବା ମଁ୍ୟାମାର ଏସୀୟ କପ୍ ଲାଗି ଯୋଗ୍ୟତା ହାସଲରୁ ବହୁ ଦୂରରେ ରହିଛି।
ସ୍ଥାନୀୟ ଜବାହର ଲାଲ୍ ନେହରୁ ଷ୍ଟାଡିୟମ୍ରେ ମଙ୍ଗଳବାର ମୁକାବିଲା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବେଶ୍ ଉତ୍କଣ୍ଠପୂର୍ଣ୍ଣ ଥିଲା। ପ୍ରଥମ ମିନିଟ୍ରେ ମଁ୍ୟାମାର ଗୋଲ୍ ଦେଇ ଭାରତୀୟ ଖେଳାଳିଙ୍କୁ ଚକିତ କରି ଦେଇଥିଲା। ଦ୍ୱାଦଶ ମିନିଟ୍ରେ ମିଳିଥିବା ପେନାଲ୍ଟିକୁ ବାମପଟ ଗୋଲ୍ ପୋଷ୍ଟ କୋଣକୁ ପଠାଇ ଭାରତର ଅଭିଜ୍ଞ ତାରକା ସୁନୀଲ ଛେତ୍ରୀ ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲେ। ୯୮ ଅନ୍ତର୍ଜାତୀୟ ମ୍ୟାଚ୍ରେ ଛେତ୍ରୀଙ୍କର ଏହା ୫୬ ଏବଂ ପ୍ରତିଯୋଗିତାର ଚତୁର୍ଥ ଗୋଲ୍ ଥିଲା। ହେଲେ ଲଗାତାର ଆକ୍ରମଣ କରୁଥିବା ମଁ୍ୟାମାର ଊନ୍ନବିଂଶ ମିନିଟ୍ରେ ଭାରତକୁ ଆଉ ଏକ ଶକ୍ତ ଧକ୍କା ଦେଇଥିଲା। ତାରକା ଖେଳାଳି କୋ କୋ କ୍ୱାଓ ୨୦ ଗଜ ଦୂରରୁ ଗୋଲ୍ କରି ନିଜ ଦଳକୁ ପୁଣି ଥରେ ୨-୧ରେ ଆଗୁଆ କରି ଦେଇଥିଲେ। ପ୍ରଥମାର୍ଧ ଶେଷ ସୁଦ୍ଧା ଏହି ବ୍ୟବଧାନ ବଜାୟ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟାର୍ଧରେ ଭାରତୀୟ ରକ୍ଷଣଭାଗ ଭଲ ଖେଳିଥିଲା ବେଳେ ଅଗ୍ରଭାଗ ଆକ୍ରମଣକୁ ଆହୁରି ବଢ଼ାଇ ଦେଇଥିଲା। ଯାହାର ଫଳ ଖୁବଶୀଘ୍ର ମିଳିଥିଲା। ଜେଜେ ଲାଲପୁଖଲା ୬୮ ମିନିଟ୍ରେ ଏକ ଚମତ୍କାର ଗୋଲ୍ ଦେଇ ସ୍ଥିତି ୨-୨ କରି ଦେଇଥିଲେ। ଏହା ଭାରତର ଦ୍ୱିତୀୟ ଏବଂ ବ୍ୟକ୍ତିଗତ ଭାବେ ତାଙ୍କର ୨୦ତମ ଅନ୍ତର୍ଜାତୀୟ ଗୋଲ୍ ଥିଲା। ୮୮ ମିନିଟରେ ଛେତ୍ରୀଙ୍କ ଫ୍ରିକିକ୍ ଗୋଲ୍ ପୋଷ୍ଟ ଭିତରକୁ ପଶିବା ପରେ ଭାରତୀୟ ଖେଳାଳି ଖୁସିରେ ଆତ୍ମହରା ହୋଇ ଯାଇଥିଲେ। ହେଲେ ରେଫରି ଏହାକୁ ନାକଚ କରିଦେବାରୁ ମଁ୍ୟାମାର ପରାଜୟରୁୁ ଅଳ୍ପକେ ରକ୍ଷା ପାଇଯାଇଥିଲା।