କ୍ବାର୍ଟରରେ କଙ୍ଗାରୁ:୦-୩ରେ ହାରିଲା ଇଂଲଣ୍ଡ

ଭୁବନେଶ୍ବର (ଇମିସ): ଗତ ଦୁଇ ଥର ବିଜେତା ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ଚଳିତ ଓଡ଼ିଶା ପୁରୁ‌ଷ ହକି ବିଶ୍ବକପ୍‌ର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାରର ପୁଲ-ବି ମ୍ୟାଚ୍‌ରେ ଇଂଲଣ୍ଡକୁ ୩-୦ ଗୋଲ୍‌ରେ ହରାଇ ଅଷ୍ଟ୍ରେଲିଆ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିଲା। ଏହି ଗ୍ରୁପର ଚୀନ-ଆୟର୍ଲାଣ୍ଡ ମ୍ୟାଚ୍ ଅମୀମାଂସିତ ରହିବା ପରେ ଗୋଟିଏ ମ୍ୟାଚ୍ ପୂର୍ବରୁ ହିଁ କାଙ୍ଗାରୁ ଦଳ ଗ୍ରୁପ୍ ବିଜେତା ହେବା ପକ୍କା କରି ନେଇଥିଲା। ତା’ ସହ କ୍ବାର୍ଟର ଫାଇନାଲ୍ ଟିକେଟ ବି ହାସଲ କରି ନେଇଥିଲା। ଅଷ୍ଟ୍ରେଲିଆ ତା’ ଶେଷ ଲିଗ୍ ମ୍ୟାଚ୍‌ରେ ୭ ତାରିଖ ଦିନ ଚୀନକୁ ଭେଟିବ। ତେବେ ଏହି ମ୍ୟାଚ୍‌ର ଫଳାଫଳ ତା’ର କ୍ବାର୍ଟର ଫାଇନାଲ୍ ପ୍ରବେଶ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସେପଟେ ଇଂଲଣ୍ଡର ସିଧାସଳଖ କ୍ବାର୍ଟରଫାଇନାଲ୍‌ ଯିବା ରାସ୍ତା ବନ୍ଦ ‌ହୋଇଯାଇଛି। ପୁଲ-ବିରେ ଏବେ କ୍ରସଓଭର ଖେଳିବା ଦୌଡ଼ରେ ଚୀନ, ଆୟର୍ଲାଣ୍ଡ ଓ ଇଂଲଣ୍ଡ ରହିଛନ୍ତି। ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚରୁ ୬ ପଏଣ୍ଟରେ ଥିଲା ବେଳେ ଚୀନ ୨ ଏବଂ ଇଂଲଣ୍ଡ ଓ ଆୟର୍ଲାଣ୍ଡ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି।
ମଙ୍ଗଳବାର ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପ୍ରଥମ ୩ କ୍ବାର୍ଟର ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ଇଂଲଣ୍ଡ। ଅନ୍ୟପକ୍ଷରେ ବଲ୍‌ ନିୟନ୍ତ୍ରଣ, ଡ୍ରିବଲ୍ ଏବଂ ପାସିଂର ଚମତ୍କାର ସମନ୍ବୟ ଦେଖାଇ ଅଷ୍ଟ୍ରେଲିଆ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ଇଂଲଣ୍ଡର ରକ୍ଷଣଭାଗକୁ ଭେଦି ପାରିନଥିଲା। ୨୧ତମ ମିନିଟରେ ଅଷ୍ଟ୍ରେଲିଆକୁ ମିଳିଥିବା ଲଗାତାର ପେନାଲଟି କର୍ନରରୁ ଇଂଲଣ୍ଡ ଗୋଲରକ୍ଷକ ଜର୍ଜ ପିନର୍‌ ତିନି ତିନି ଥର ବଞ୍ଚାଇବା ସବୁଠାରୁ ‌ଉଲ୍ଲେଖନୀୟ ଥିଲା। ୪୭ତମ ମିନିଟ୍ ପର୍ଯ୍ୟନ୍ତ ଗୋଲ ମରୁଡି ଥିଲା। କିନ୍ତୁ ପରବର୍ତୀ ୯ ମିନିଟ୍‌ ଭିତରେ ଅଷ୍ଟ୍ରେଲିଆ ୩ ଗୋଲ୍ ଦେଇ ମ୍ୟାଚକୁ ଏକତରଫା ସ୍କୋର ଲାଇନ୍‌ରେ‌ ଶେଷ କରିଥିଲା। ଚତୁର୍ଥ କ୍ବାର୍ଟର ପ୍ରାରମ୍ଭରେ ଟମ୍ କ୍ରେଗ୍‌ଙ୍କ ବେସ୍ ଲାଇନ୍ ପାସରୁ ଆସିଥିବା ବଲ୍‌କୁ ଗୋଲ୍ ବକ୍ସ ଭିତରକୁ ପଠାଇବାରେ ସକ୍ଷମ ହୋଇଥିଲେ ଜେକ୍ ହ୍ବେଟନ୍‌ (୪୭ତମ ମିନିଟ)। ଦ୍ବିତୀୟ ଗୋଲଟି ଦେଖାଇଥିଲା କଳାତ୍ମକ ହକିର ଝଲକ। ଟ୍ରେଣ୍ଟ୍ ମିଟନ ଏବଂ ଟିମ୍ ବ୍ରାଣ୍ଡଙ୍କ ଡ୍ରିବଲ୍-ପାସ୍ ଖେଳ କଳିଙ୍ଗ ପ୍ରଶଂସକଙ୍କୁ ଭାରି ପସନ୍ଦ ଲାଗିଥିଲା। ୫୦ତମ ମିନିଟରେ ବ୍ଳାକ୍ ଗୋଭର୍ସଙ୍କ ହିଟ୍‌ରେ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ହୋଇଯାଇଥିଲା। ତୃତୀୟ ଗ‌ୋଲଟି ଆସିଥିଲା ଏହାର ୬ ମିନି୍‌ଟ ପରେ। ମାଥ୍ୟୁ ସ୍ବାନଙ୍କ ଚମତ୍କାର ଷ୍ଟିକ୍ ଚାଳନାରେ ଇଂଲଣ୍ଡର ଏକାଧିକ ଡିଫେଣ୍ଡର ଫିକା ପଡ଼ିଯାଇଥିଲେ। ଶେଷକୁ କୋରି ୱର୍ ଗୋଲରେ ପରିଣତ କରିଥିଲେ। ଅଷ୍ଟ୍ରେଲିଆ ୩-୦ରେ ଜିତିଥିଲା। ଅଷ୍ଟ୍ରେଲିଆର ପ୍ରାଧାନ୍ୟ ସ୍କୋର ଲାଇନରେ (୩-୦) ପ୍ରତିଫଳିତ ହୋଇଥିଲା। ଅଷ୍ଟ୍ରେଲିଆ ମଧ୍ୟ ବଲ ନିୟନ୍ତ୍ରଣ (୫୬ %), ବଳୟ ପ୍ରବେଶ (୨୩ ଥର) ଏବଂ ଗୋଲ୍‌ ଲକ୍ଷ୍ୟଭେଦ (୯ ଥର)ରେ ଆଗୁଆ ରହିଥିଲା। ଉଭୟ ଦଳ ପାଇଥିବା ୪ ପେନାଲଟି କର୍ନର ମଧ୍ୟରୁ (ଅଷ୍ଟ୍ରେଲିଆ-୩ ଏବଂ ଇଂଲଣ୍ଡ-୧)ରୁ କିନ୍ତୁ ଗୋଟିଏ ବି ଗୋଲରେ ରୂପାନ୍ତର ହୋଇନଥିଲା। ମ୍ୟାଚର ଶ୍ରେଷ୍ଠ ଖେଳାଳି ପ୍ଲେ ମେକର ମ୍ୟାଥ୍ୟୁ ସ୍ବାନ୍‌ଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍ ପ୍ରାରମ୍ଭରେ ପୁଲିସ କମିସନର୍ ସତ୍ୟଜିତ୍ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପୁଲ୍‌ରେ ଗତ ଶୁକ୍ରବାର ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ଇଂଲଣ୍ଡ ଏବଂ ଚୀନ ୨-୨ରେ ଅମୀମାଂସିତ ରଖିଥିଲେ।

ସମ୍ବନ୍ଧିତ ଖବର