ଆଜିଠୁ କ୍ୱାର୍ଟର ଫାଇନାଲ୍‌ ଲଢ଼େଇ

ନୂଆଦିଲ୍ଲୀ: ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ ଦିବସରେ ଏହି ପର୍ଯ୍ୟାୟର ଦୁଇଟି ମୁକାବିଲା ଦେଖିବାକୁ ମିଳିବ। ପ୍ରଥମ ମ୍ୟାଚ୍‌ରେ ଦୁଇଥର ବିଜେତା ଘାନା ଓ ମାଲି ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଦୁଇ ଆଫ୍ରିକୀୟ ଦେଶ ମଧ୍ୟରେ ହେବ। ଗ୍ରୁପ୍‌ ପର୍ଯ୍ୟାୟରେ ୨ ବିଜୟ ସହ ଗ୍ରୁପ୍‌-ଏ ବିଜେତା ହୋଇଥିବା ଘାନା ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପଦାର୍ପଣ ବିଶ୍ୱକପ୍‌ ଖେଳିଥିବା ନାଇଜର୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛି। ଏହାର କ୍ୱାର୍ଟର ଫାଇନାଲ୍‌ ପ୍ରତିଦ୍ୱନ୍ଦ୍ୱୀ ମାଲି ଗ୍ରୁପ୍‌-ବିର ଦ୍ୱିତୀୟ ସ୍ଥାନ ଦଖଲ କରିବା ପରେ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଏସୀୟ ରାଷ୍ଟ୍ର ଇରାକ୍‌କୁ ୫-୧ ଗୋଲ୍‌ରେ ପରାସ୍ତ କରିଥିଲା। ଫଳରେ ଶୁକ୍ରବାର ଗୌହାଟୀର ଇନ୍ଦିରାଗାନ୍ଧୀ ଦୌଡ଼କୁଦ ଷ୍ଟାଡିୟମ୍‌ରେ ଦୁଇ ଆଫ୍ରିକୀୟ ଦେଶ ଘାନା ଓ ମାଲି ମୁକାବିଲା ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଫୁଟ୍‌ବଲ୍‌ ବିଶେଷଜ୍ଞ ଆକଳନ ଲଗାଇଛନ୍ତି।
ଅନ୍ୟପକ୍ଷରେ ଶୁକ୍ରବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ ଆମେରିକା ଓ ଇଂଲଣ୍ଡ ଭେଟାଭେଟି ହେବେ। ଏହି ମୁକାବିଲା ଗୋଆର ପଣ୍ଡିତ ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିବ। ଗ୍ରୁପ୍‌-ଏ’ରୁ ତୃତୀୟ ସ୍ଥାନ ଅକ୍ତିଆର କରି ପ୍ରି-କ୍ୱାର୍ଟର ଫାଇନାଲ୍‌ ଆସିଥିବା ଆମେରିକା ୫-୦ ଗୋଲ୍‌ର ବଡ଼ ବ୍ୟବଧାନରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ଯୋଗ୍ୟତା ହାତେଇ ନେଇଥିଲା। ଅନ୍ୟପକ୍ଷରେ ଗ୍ରୁପ୍‌-ଏଫ୍‌ ବିଜେତା ଇଂଲଣ୍ଡ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ୫-୩ ପେନାଲ୍‌ଟି ଗୋଲ୍‌ରେ ଏସୀୟ ରାଷ୍ଟ୍ର ଜାପାନକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛି। ପ୍ରି-କ୍ୱାର୍ଟର ଫାଇନାଲ୍‌ ଫଳାଫଳ ଦୃଷ୍ଟିରୁ ଆମେରିକା ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍‌ ମଧ୍ୟ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର