ଗୁରୁବାରଠୁ କ୍ବାର୍ଟର ଫାଇନାଲ୍‌

ଭୁବନେଶ୍ବର: ବହୁ ବାଦବିବାଦ ପରେ ଆଇଲିଗ୍‌ ଓ ଆଇଏସ୍‌ଏଲ୍‌ ଦଳକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ସୋମବାର ଶେଷ ହୋଇଛି। ୨୦ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଟ୍ରଫି ପାଇଁ ଏବେ ୮ ଦଳ ମଇଦାନରେ ରହିଛନ୍ତି। ଏହି ୮ ଦଳ ଗୁରୁବାରଠୁ କ୍ବାର୍ଟର୍‌ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହେବେ।
ଆଇଲିଗ୍‌ର ୭ ବିଦ୍ରୋହୀ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିଲେ। ଯୋଗ୍ୟତା ପର୍ଯ୍ୟାୟରୁ ୩ ଦଳ ମୀନର୍ଭା ପଞ୍ଜାବ, ଗୋକୁଳମ ‌କେରଳ ଓ ଆଇଜଲ ଏଫ୍‌ସି ଏବଂ ମୁଖ୍ୟ ପର୍ଯ୍ୟାୟରୁ ୪ ଦଳ ଇଷ୍ଟ୍‌ ବେଙ୍ଗଲ, ମୋହନ ବାଗାନ, ନେରୋକା ଓ ଚର୍ଚିଲ ବ୍ରଦର୍ସ ଓହରି ଯାଇଥିଲେ। ଏମାନଙ୍କ ବିପକ୍ଷ ଦଳଗୁଡ଼ିକ ୱାକ୍‌ଓଭର ପାଇ ପରବର୍ତୀ ପର୍ଯ୍ୟାୟ‌ରେ ସ୍ଥାନ ପକ୍କା କରିଥିଲେ। ଦିଲ୍ଲୀ ଡାଇନାମୋସ ଉଭୟ ଯୋଗ୍ୟତା ଓ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ୱାକ୍‌ ଓଭର ପାଇ କ୍ବାର୍ଟର୍‌ରେ ପହଞ୍ଚିଥିଲା। ସେହିଭଳି ଆଇଏସ୍‌ଏଲ୍‌ ବିଜେତା ବେଙ୍ଗାଲୁରୁ, ‌ଜାମସେଦପୁର ଏବଂ ନର୍ଥ ଇଷ୍ଟ୍‌ ୟୁନାଇଟେଡ୍‌କୁ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ୱାକ୍‌ଓଭର ମିଳିଥିଲା। ତେବେ ଚେନ୍ନାଇନ୍‌ ସିଟି ୨-୦ ‌ଗୋଲ୍‌ରେ ମୁମ୍ବାଇ ସିଟିକୁ, ଏଫ୍‌ସି ଗୋଆ ୩-୦ ଗୋଲ୍‌ରେ ଇଣ୍ଡିଆନ୍‌ ଆରୋଜକୁ, ଚେନ୍ନାଇ ସିଟି ୪-୨ ଗୋଲ୍‌ରେ ପୁନେ ସିଟିକୁ ଏବଂ ଏଟିକେ ୩-୧ ଗୋଲ୍‌ରେ ରିଅଲ୍‌ କଶ୍ମୀରକୁ ହରାଇ କ୍ବାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଗୁରୁବାର ଖେଳାଯିବାକୁ ଥିବା ପ୍ରଥମ କ୍ବାର୍ଟର୍‌ ଫାଇନାଲ୍‌ରେ ବେଙ୍ଗାଲୁରୁ-ଚେନ୍ନାଇ ସିଟି ମୁହାଁମୁହିଁ ହେବାକୁଥିଲା ବେଳେ ଶୁକ୍ରବାର ଦିଲ୍ଲୀ ‌ଡାଇନାମୋସ-ଏଟିକେ, ଶନିବାର ଗୋଆ-ଜାମସେଦପୁର ଏବଂ ରବିବାର ଚେନ୍ନାଇନ୍‌-ନର୍ଥ ଇଷ୍ଟ୍‌ ୟୁନାଇଟେଡ୍‌ ଖେଳିବେ।
ପୁନେ ବିପକ୍ଷରେ ହ୍ୟାଟ୍ରିକ ଗୋଲ୍‌ ଦେଇଥିବା ଚେନ୍ନାଇର ପେଡ୍ରୋ ମାଞ୍ଜି ସର୍ବାଧିକ ଗୋଲ୍‌ ତାଲିକାର ପ୍ରଥମ ସ୍ଥାନ‌ରେ ରହିଛନ୍ତି। ତାଙ୍କ ପଛକୁ ଇଣ୍ଡିଆନ୍‌ ଅରୋଜର ଅମରଜିତ ସିଂହ କାୟମ ୨ ଗୋଲ୍‌ (ଯୋଗ୍ୟତା ପର୍ଯ୍ୟାୟ)‌ ଦ୍ବିତୀୟ‌ରେ ରହିଛନ୍ତି।
ବେଙ୍ଗାଲୁରୁ ଏଫ୍‌ସି
କର୍ଣ୍ଣାଟକର ଏହି କ୍ଲବ୍‌ ୨୦୧୩ରେ ଆଇଏସ୍‌ଏଲ୍‌ରେ ଯୋଗ ଦେଇଥିଲା। ଚଳିତ ବର୍ଷ ଏହି ଦଳ ବିଜେତା ‌ହେବାର ଗୌରବ ପାଇଥିଲା। ଏହା ପୂର୍ବରୁ ବେଙ୍ଗାଲୁରୁ ଏଫ୍‌ସି ୩ ଲିଗ୍‌ ଟ୍ରଫି ଜିତି ସାରିଥିଲା। ଦୁଇଟି ଫେଡେରେସନ୍‌ କପ୍‌ ସହ ଗତବର୍ଷଠୁ ଆରମ୍ଭ ହୋଇଥିବା‌ ସୁପର କପ୍‌ର ଉଦ୍‌ଘାଟନୀ ସଂସ୍କରଣର ବିଜେତା ହୋଇଥିଲା। ସଂପ୍ରତି ସୁନିଲ ଛେତ୍ରୀ ଦଳର ଅଧିନାୟକ ରହିଛନ୍ତି।
ଚେନ୍ନାଇ ସିଟି ଏଫ୍‌ସି
୧୯୪୬ ମସିହାରେ ତାମିଲନାଡ଼ୁର କୋୟାମ୍ବଟୁରରେ ଚେନ୍ନାଇ ସିଟି କ୍ଲବ୍‌ ଆରମ୍ଭ ହୋଇଥିଲା। ହେଲେ ୨୦୧୬ରେ ଏହି ଦଳ ଜାତୀୟସ୍ତରକୁ ଆସିଥିଲା। ୨୦୧୬-୧୭ ଋତୁରେ ସିଧାସଳଖ ଆଇଲିଗ୍‌ ‌ଖେଳିବା ଲାଗି ଯୋଗ୍ୟତା ପାଇଥିଲା। ଚଳିତ ବର୍ଷ ଏହି ଦଳ ଆଇଲିଗ୍‌ ବିଜେତା ହେବାର ସୌଭାଗ୍ୟ ପାଇଥିଲା।
ଦିଲ୍ଲୀ ଡାଇନାମୋସ ଏଫ୍‌ସି
ଆଇଏସ୍‌ଏଲ୍‌ର ଉଦ୍‌ଘାଟନୀ ସଂସ୍କରଣ ୨୦୧୪‌ ମସିହାରେ ଦିଲ୍ଲୀ ଡାଇନାମୋସ ଅଭିଯାନ ଆରମ୍ଭ କରିଥିଲା। ୨୦୧୫ରେ ପ୍ରଥମ ଥର ଲାଗି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ୨୦୧୬ ସଂସ୍କରଣରେ ଏହି ଦଳ ୨୧ ପଏଣ୍ଟ୍‌ ସହ ତାଲିକାର ତୃତୀୟରେ ରହିଥିଲା।
ଏଟିକେ
ଆଟ୍‌ଲେଟିକୋ ଡି କୋଲ୍‌କୋତା (ଏଟିକେ) ନାମରେ ଆଇଏସ୍‌ଏଲ୍‌ର ଉଦ୍‌ଘାଟନୀ ସଂସ୍କରଣରୁ ଏହି ଦଳ ପାଦ ଥାପିଥିଲା। ଏଥିସହ ଦଳ ମଧ୍ୟ ଉଦ୍‌ଘାଟନୀ ସଂସ୍କରଣରେ ହିଁ ବିଜେତା ହେବାର ଗୌରବ ପାଇଥିଲା। ଏହାର ଦୁଇ ବର୍ଷ ପ‌ରେ ୨୦୧୬ରେ ଏଟିକେ ପୁଣି ଥରେ ଆଇଏସ୍‌ଏଲ୍‌ ଟ୍ରଫି ଜିତିବାରେ ସଫଳତା ପାଇଥିଲା। ୨୦୧୭ରେ ଏହି ଦଳ ନାମ ପରିବର୍ତନ କରି ଏଟିକେ ରଖିଥିଲା। ଚଳିତ ବର୍ଷ ଏହି ଦଳ ପଏଣ୍ଟ୍‌ ତାଲିକାର ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥି‌ଲା।
ଏଫ୍‌ସି ଗୋଆ
ଆଇଏସ୍‌ଏଲ୍‌ ଉଦ୍‌ଘାଟନୀ ସଂସ୍କରଣରୁ ଏଫ୍‌ସି ଗୋଆ ନିଜର ଅଭିଯାନ ଆରମ୍ଭ କରିଥିଲା। ଚଳିତ ବର୍ଷ ଏହି ଦଳ ଉପବିଜେତା ହେବାର ଗୌରବ ପାଇଥିଲା। ଫାଇନାଲ୍‌ରେ ଚେନ୍ନାଇନ୍‌ ଏଫ୍‌ସିଠୁ ୩-୨ ଗୋଲ୍‌ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।
ଜାମସେଦପୁର ଏଫ୍‌ସି
୨୦୧୭ରେ ଝାଡ଼ଖଣ୍ଡରେ ଜାମ‌ସେଦପୁର ଏଫ୍‌ସି ଜନ୍ମ ନେଇଥିଲା। ୨୦୧୭-୧୮ରେ ଏହି ଦଳ ଆଇଏସ୍‌ଏଲ୍‌ ପଦାର୍ପଣ କରିଥିଲା। ଚଳିତ ବର୍ଷ ଏହି ଦଳ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।
ଚେନ୍ନାଇନ୍‌ ଏଫ୍‌ସି
ଚଳିତ ବର୍ଷ ଆଇଏସ୍‌ଏଲ୍‌ ପଏଣ୍ଟ୍‌ ତାଲିକାର ‌‌ଶେଷରେ ଥିଲା ଚେନ୍ନାଇନ୍‌ ଏଫ୍‌ସି। ୨୦୧୪ରୁ ଆଇଏସ୍‌ଏଲ୍‌ ଅଭିଯାନ ଆରମ୍ଭ କରିଥିବା ଏହି ଦଳ ୨୦୧୫ ଓ ୨୦୧୭ରେ ବିଜେତା ହୋଇଥିଲା। ପ୍ରଥମ ସଂସ୍କରଣରେ ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହିଥିଲା। ହେଲେ ସେମିଫାଇନାଲ୍‌ରୁ ବିଦାୟ ନେଇଥିଲା।
ନର୍ଥ ଇଷ୍ଟ୍‌ ୟୁନାଇଟେଡ୍‌ ଏଫ୍‌ସି
ଉତ୍ତର ଓ ପୂର୍ବ ଭାରତର ୮ ରାଜ୍ୟ ଆସାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ସିକିମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ମିଜୋରାମକୁ ନେଇ ନର୍ଥ ଇଷ୍ଟ୍‌ ୟୁନାଇଟେଡ୍‌ ଏଫ୍‌ସି ଗଠିତ। ଆଇଏସ୍‌ଏଲ୍‌ର ଉଦ୍‌ଘାଟନୀ ସଂସ୍କରଣରୁ ଏହି ଦଳ ‌ଅଂଶଗ୍ରହଣ କରିଆସୁଛି। ସଫଳତା ପାଇନଥିଲେ ମଧ୍ୟ ଚଳିତ ବର୍ଷ ଚତୁର୍ଥ ସ୍ଥାନରେ ରହିବ‌ା ଶ୍ରେଷ୍ଠ ସଫଳତା ଥିଲା।

ଓହରିଥିବା ୭ ଆଇଲିଗ୍‌ ଦଳ ବିରୋଧରେ ହେବ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ
ଚଳିତ ସୁପର କପ୍‌ରୁ ଓହରିଥିବା ୭ ଆଇଲିଗ୍‌ ଦଳ ବିପକ୍ଷରେ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ହେବ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଚଳିତ ମାସ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏଆଇଏଫ୍‌ଏଫ୍‌ର କାର୍ଯ୍ୟକାରଣୀ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଏଆଇଏଫ୍‌ଏଫ୍‌ ନିୟମକାନୁନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ବିଭିନ୍ନ ଅସୁବିଧାକୁ ନେଇ ଆଇଲିଗ୍‌ ଦଳ ମୋହନ ବାଗାନ, ଇଷ୍ଟ ବେଙ୍ଗଲ, ଚର୍ଚିଲ ବ୍ରଦର୍ସ, ଆଇଜଲ, ମୀନର୍ଭା ପଞ୍ଜାବ, ଗୋକୁଲାମ କେରଳ ଏବଂ ନେରୋକା ସୁପର କପ୍‌ରୁ ଓହରି ଯାଇଥିଲେ। ଯାହାପାଇଁ ଆୟୋଜକଙ୍କ ସ‌ମେତ ଏଆଇଏଫ୍‌ଏଫ୍‌ର ଆର୍ଥିକ କ୍ଷତି ହୋଇଥିଲା। ସୁପର କପ୍‌ ନିୟମ ୧୦.୪ ଅଧାରରେ ଏହି କ୍ଲବ୍‌ଗୁଡ଼ିକ ଉପରେ ଅଧିକ ଜରିମାନା ଲାଗିବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା ସଂସ୍କରଣରୁ ମଧ୍ୟ ବାଦ୍‌ ପଡ଼ିପାରନ୍ତି ବୋଲି ସୂଚନା ମିଳୁଛି। ଏଥିଲାଗି ଏଆଇଏଫ୍‌ଏଫ୍‌ର ଶୃଙ୍ଖଳା ସମିତି କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ଅନୁଧ୍ୟାନ ଚଳାଇଛି। ଏହି ସମିତିର ସୁପାରିସକୁ ନେଇ ଏଆଇଏଫ୍‌ଏଫ୍‌ର କାର୍ଯ୍ୟକାରୀ ସମିତି ଶେଷ ନିଷ୍ପତ୍ତି ନେବ।

ସମ୍ବନ୍ଧିତ ଖବର