ପିଚ୍‌କୁ ନେଇ ଚିନ୍ତାରେ କ୍ୟୁରେଟ୍‌ର

 

କଟକ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଲାଗି ଉପଯୋଗ ହେବାକୁ ଥିବା ପିଚ୍‌କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗାନ୍ଧୀଗେଟ୍‌ ପଟ ଦ୍ୱିତୀୟ ପିଚ୍‌ରେ ଏହି ମ୍ୟାଚ୍‌ ଖେଳାଯିବାକୁ ସ୍ଥିର କରାଯାଇଛି। ହେଲେ ବର୍ତ୍ତମାନସୁଦ୍ଧା ପିଚ୍‌କୁ ପରୀକ୍ଷା କରାଯିବା ପାଇଁ କୌଣସି ଅଭ୍ୟାସ ମ୍ୟାଚ୍‌ ଖେଳାଯାଇନାହିଁ। କେବଳ ଗତ ୫ଦିନ ତଳେ ରାଇଜିଂ ଷ୍ଟୁଡେଣ୍ଟର କିଛି ବୋଲରଙ୍କୁ ନେଇ ପିଚ୍‌ ପରୀକ୍ଷା କରାଯାଇଥିଲା। ପିଚ୍‌ର ଗୋଟିଏ ପାର୍ଶ୍ୱରେ ବଲ୍‌ ସାମାନ୍ୟ ବାଉନ୍ସ ହେଉଥିବାବେଳେ ଅନ୍ୟପଟରେ ତଳୁଆ ରହିଥିଲା। ପିଚ୍‌ର ଉପର ଭାଗ ଅଧିକ ଶୁଖିଲା ରହିଯାଇଥିବାରୁ ଏଭଳି ହେଉଥିବା କୁହାଯାଇଛି। ତେଣୁ ଯଥାସମ୍ଭବ ପିଚ୍‌ରେ ପାଣି ଦେଇ ଏହାର ନମନୀୟତା ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି।

ଜଣେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାରବାଟୀ ପିଚ୍‌ର ଉପରୁ ୧ଇଞ୍ଚ ପର୍ଯ୍ୟନ୍ତ ଆର୍ଦ୍ରତା ରହିବା ଜରୁରୀ। ହେଲେ ପିଚ୍‌ ଅତ୍ୟଧିକ ଶୁଖିଲା ହୋଇଯାଇଛି। ଏଥିସହ ପିଚ୍‌ରେ ବଡ଼ବଡ଼ ଫାଟ ମଧ୍ୟ ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ ମତରେ, ବାରବାଟୀ ଓ୍ଵିକେଟ୍‌ରେ ସାମାନ୍ୟ ଆର୍ଦ୍ରତା ରହିଲେ ବଲ୍‌ ଭଲ ବାଉନ୍ସ ହେବ ଓ ଅଧିକ ରନ୍‌ ହେବ। କିନ୍ତୁ ବାରବାଟୀ ପିଚ୍‌ରେ ଫାଟ ଦେଖାଦେଲେ ଯେଉଁ ଅଂଶ ଫାଟିଯାଇଥିବ ତାହା ଉପରେ ବଲ୍‌ ପଡ଼ିଲେ, ସାମାନ୍ୟ ଡେରିରେ ବ୍ୟାଟ୍‌କୁ ଆସିବ ନଚେତ୍‌ ତଳୁଆ ରହିବ। ଫଳରେ ରନ୍‌ ହାର ମଧ୍ୟ କମିଯିବ। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ପିଚ୍‌ରେ ସିଧାସଳଖ ଖରା ନବଜାଇବାକୁ ସବୁଜ କଭର ଦିଆଯାଉଛି। ଏଥିସହ ମଝିରେ ମଝିରେ ପାଣି ମଧ୍ୟ ଛିଞ୍ଚା ଯାଉଛି।

ଗତ ବର୍ଷା ଦିନଠୁ ବିଭିନ୍ନ ଜାତୀୟ ଫୁଟବଲ୍‌ ପ୍ରତିଯୋଗିତାକୁ ବାରବାଟୀ ପିଚ୍‌ ଉପରେ ଖେଳାଯାଉଛି। ଫଳରେ ପିଚ୍‌ ବିପଜ୍ଜନକ ସ୍ଥିତିରେ ପହଞ୍ଚିଥିଲା। ଫୁଟବଲ୍‌ ଶେଷ ହେବା ପରେ ନୂଆ ମାଟି ପକାଯାଇ ପିଚ୍‌ ତିଆରି କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ନୂଆ ମାଟି ପକାଯିବା ବଦଳରେ ଖାଲୁଆ ଅଂଶଗୁଡ଼ିକରେ ସାମାନ୍ୟ ଗୁଣ୍ଡମାଟି ପକାଯାଇ ହାର୍ଡ ରୋଲିଂ କରାଯାଇଥିଲା। ଫଳରେ ବଳକାଥିବା ଘାସ ଗୁଡ଼ିକ ମରିଯାଇଥିଲା। ଯଦିଓ ପାଣି ଛିଞ୍ଚାଯାଉଥିଲା କିନ୍ତୁ ଅଧିକ ଓଜନର ରୋଲରରେ ନିୟମିତ ରୋଲିଂ ହେବାରୁ ପାଣି ପିଚ୍‌ର ତଳ ଅଂଶକୁ ଚାଲିଯାଇଥିଲା ଏବଂ ଉପର ଅଂଶ ସଂପୂର୍ଣ୍ଣ ଶୁଖିଲା ରହିବାରୁ ଅଧିକାଂଶ ସ୍ଥାନରେ ତାହା ଫାଟିଯାଇଥିବା ପିଚ୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ରୋହିତଙ୍କ ପାଇଁ ପାଗଳ ରାକେଶ

ଭୁବନେଶ୍ୱର: ସୋମବାର ଭାରତୀୟ ଦଳ ଭୁବନେଶ୍ୱରରେ ପହଞ୍ଚୁଥିବା ଶୁଣି ପୁରୀରୁ ଚାଲି ଆସଛନ୍ତି ରାକେଶ କୁମାର ଦାସ। ହାତରେ ଜାତୀୟ ପତାକା ଏବଂ ଦେହରେ ଜାତୀୟ ପତାକାର ଚିତ୍ର ସାଙ୍ଗକୁ ଛାତିରେ ରୋହିତ ଶର୍ମା ୨୬୮ ଲେଖାଯାଇଛି। ରୋହିତ ଶର୍ମାଙ୍କ ପାଇଁ ମୁଁ ପୁରା ପାଗଳ, ତାଙ୍କୁ ପାଖରେ ଦେଖିବାକୁ ମୁଁ ଏଠାକୁ ଆସିଛି ବୋଲି କହିଥିଲେ ରାକେଶ। ଭାରତ କଟକରେ ଜିତିବ ବୋଲି ଦୃଢ଼ତାର ସହ ନିଜ ମତ ରଖିଥିଲେ ରୋହିତଙ୍କର ଏହି ପାଗଳ ପ୍ରଶଂସକ ଜଣକ। ଟିକେଟ୍‌ କରିପାରି ନାହିଁ କିନ୍ତୁ ମ୍ୟାଚ୍‌ ଦିନ ମୁଁ କଟକ ନିଶ୍ଚିତ ଯିବି। ସାଙ୍ଗକୁ ଟିକେଟ୍‌ ପାଇଁ କହିଛି ସେ ଯଦି କରିଦିଏ ତେବେ ମୁଁ ବାରବାଟୀରେ ଖେଳ ଦେଖିବି ନହେଲେ ବାହାରେ ରହି ଭାରତୀୟ ଦଳକୁ ସମର୍ଥନ କରିବି ବୋଲି ଏହି ପ୍ରଶଂସକ କହିଛନ୍ତି।

୮୦ କୋଠରୀ ସଂରକ୍ଷିତ

ଉଭୟ ଦଳର ଖେଳାଳି ଏବଂ ଅଧିକାରୀଙ୍କ ପାଇଁ ହୋଟେଲ୍‌ ମେ’ଫେୟାରରେ ୮୦ କୋଠରୀ ବିସିିସିଆଇ ଏବଂ ଓସିଏ ପକ୍ଷରୁ ସଂରକ୍ଷିତ ହୋଇଛି। ହୋଟେଲ ମଧ୍ୟରେ ଖେଳାଳିମାନେ ଜିମ୍‌, ସ୍ୱିମିଂପୁଲ୍‌ ଏବଂ ସ୍ପା’ର ବ୍ୟବହାର କରିପାରିବେ। ଦେଶୀ ଏବଂ ବିଦେଶୀ ଖାଦ୍ୟ ପରିବେଷଣ ହେବ।

ସମ୍ବନ୍ଧିତ ଖବର