ଧଓ୍ଵନ୍‌ଙ୍କୁ ଅଙ୍ଗୁଳି ଦେଖାଇ ରବାଦା ଦଣ୍ଡିତ

ପୋର୍ଟ ଏଲିଜାବେଥ୍‌ର୍: ମଙ୍ଗଳବାର ଏଠାରେ ଖେଳାଯାଇଥିବା ପଞ୍ଚମ ଦିନିକିଆ ମ୍ୟାଚ୍‌ ବେଳେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧଓ୍ଵନ୍‌ଙ୍କ ପ୍ରତି ଅଶୋଭନୀୟ ଆଚରଣ ଦେଖାଇ ଘରୋଇ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା ଜରିମାନା ଦଣ୍ଡ ପାଇଛନ୍ତି। ତାଙ୍କ ବଲ୍‌ରେ ଆଉଟ୍‌ ହେବା ପରେ ଧଓ୍ଵନ୍‌ଙ୍କୁ ପାଭିଲିୟନ୍‌ ଫେରିଯିବା ପାଇଁ ରବାଦା ସଂକେତ ଦେଇଥିଲେ। ଯାହାକି ଆଇସିସି ଆଚରଣ ବିଧି ଉଲଂଘନ କରିଥିଲା। ଏଥିପାଇଁ ରବାଦାଙ୍କୁ ତାଙ୍କ ମ୍ୟାଚ୍‌ ପାଉଣାର ୧୫ ପ୍ରତିଶତ ଜରିମାନା ହୋଇଥିଲା ବେଳେ ଗୋଟିଏ ବିଯୁକ୍ତ ପଏଣ୍ଟ୍‌ ତାଙ୍କ ଖାତାରେ ଯୋଡ଼ି ହୋଇଯାଇଛି। ଏଥି ସହିତ ବିଶୃଙ୍ଖଳିତ ଆଚରଣ ପାଇଁ ରବାଦାଙ୍କ ଏଭଳି ବିଯୁକ୍ତ ପଏଣ୍ଟ୍‌ ସଂଖ୍ୟା ୫ରେ ପହଞ୍ଚିଛି। ୨୪ ମାସ ମଧ୍ୟରେ ଖେଳାଳିଙ୍କ ଖାତାରେ ବିଯୁକ୍ତ ପଏଣ୍ଟ୍‌ ସଂଖ୍ୟା ଲିପିବଦ୍ଧ ହୋଇଥାଏ। ୪ ବିଯୁକ୍ତ ପଏଣ୍ଟ୍‌ ପାଇଁ ଖେଳାଳିଙ୍କୁ ଅଳ୍ପ ସମୟ ପାଇଁ ନିଲମ୍ବିତ ହେବାକୁ ପଡ଼ିଥାଏ। ପୁଣି ୮ ବିଯୁକ୍ତ ପଏଣ୍ଟ୍‌ ହେଲେ ଲମ୍ବା ସମୟର ନିଲମ୍ବନ ହେବାକୁ ପଡ଼ିଥାଏ। ରବାଦା ଏହା ପୂର୍ବରୁ ଗତବର୍ଷ ରବାଦା ଗୋଟିଏ ଟେଷ୍ଟରୁ ନିଲମ୍ବିତ ହୋଇସାରିଛନ୍ତି। ତେଣୁ ରବାଦା ଆସନ୍ତାବର୍ଷ ଫେବ୍ରୁଆରି ଦ୍ୱିତୀୟ ସପ୍ତାହ ପୂର୍ବରୁ ୮ ପଏଣ୍ଟ୍‌ରେ ପହଞ୍ଚିଲେ ବଡ଼ ଧରରଣ ଜରିମାନା ଦଣ୍ଡ ଭୋଗିବେ। ଏପରିକି ସେ ଦୁଇଟି ଟେଷ୍ଟ, ୪ଟି ଲେଖାଏଁ ଦିନିକିଆ କିମ୍ବା ଟେ୍ଵଣ୍ଟି-୨୦ ମ୍ୟାଚ୍‌ (ଯେଉଁଟି ପ୍ରଥମେ)ରୁ ନିଲମ୍ବିତ ହେବାକୁ ବାଧ୍ୟ ହେବେ ବୋଲି ଆଇସିସି ଚେତାଇ ଦେଇଛି।

ସମ୍ବନ୍ଧିତ ଖବର