ରବାଦା-ୱାର୍ନର ମୁକାବିଲା ରୋଚକ ହେବ, ସୁନୀଲ ଗାଭାସ୍କର

ଲଗାତାର ଦୁଇଟି ମ୍ୟାଚ୍ ହାରି ସାରିଥିବାରୁ କୋଲକାତା ନାଇଟ୍ ରାଇଡର୍ସ ରବିବାର ଏହି ଧାରାରେ ରୋକ୍‌ ଲଗାଇବା ଲକ୍ଷ୍ୟରେ ଥିବ। ବୋଲିଂ ଶୈଳୀ ବଦଳାଇବା ପରେ ସୁନୀଲ ନରିନ ଆଉ ପୂର୍ବଭଳି ପ୍ରଭାବୀ ବୋଲର ନାହାନ୍ତି। ହେଲେ ବ୍ୟାଟ୍‌ରେ ସେ କୋଲକାତାକୁ ଭଲ ଆରମ୍ଭ ଦେଇ ଆସୁଥିଲେ। ଫଳରେ ତଳେ ଖେଳୁଥିବା ଆନ୍ଦ୍ରେ ରସେଲଙ୍କ ଭଳି ଖେଳାଳି ବିନା ଚାପରେ ହାତଖୋଲା ସଟ୍ ଖେଳି ପାରୁଥିଲେ। ‌ସେଥିପାଇଁ ନରିନଙ୍କ ଅନୁପସ୍ଥିତି କୋଲକାତାକୁ ବହୁତ ବାଧୁଛି। ଶୁଭମନ୍ ଗିଲ୍ ପଦୋନ୍ନତି ପାଇଛନ୍ତି। ଯାହା ଏକ ଭଲ କଥା। ରବିନ ଉଥାପ୍ପା ବି ଭଲ ବ୍ୟାଟିଂ କରୁଛନ୍ତି। ଅଧିନାୟକ ଦୀନେଶ କାର୍ତିକ କିନ୍ତୁ ଆଶାଜନକ ପ୍ରଦର୍ଶନ କରିପାରି ନାହାନ୍ତି। କୁଲଦୀପ ଯାଦବଙ୍କ ଛଡ଼ା ଅନ୍ୟ ବୋଲରମାନେ ଦୁର୍ବଳ ପ୍ରଦର୍ଶନ କରୁଛନ୍ତି। ପ୍ରସିଦ୍ଧ କୃଷ୍ଣ ମାତ୍ରାଧିକ ଚୌକା, ଛକା ବ୍ୟୟ କରୁଥିଲା ବେଳେ ରସେଲ ଲୟ ଖୋଜୁଛନ୍ତି। ପୀୟୁଷ ଚାୱଲା ଆପ୍ରାଣ ଉଦ୍ୟମ କରୁଛନ୍ତି, ହେଲେ ସମସ୍ତେ ଜାଣିଛନ୍ତି ତାଙ୍କଠାରୁ କ’ଣ ଆଶା କରାଯାଇପାରେ? ଚେନ୍ନାଇ ସଂପ୍ରତି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଶେଷ ଓଭରଗୁଡ଼ିକରେ ସେମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହି କ୍ଷେତ୍ରରେ ହିଁ ସେମାନେ ଅନ୍ୟ ସବୁଦଳଠାରୁ ଭଲ ଓ ଉନ୍ନତ। କଠିନ ପରିସ୍ଥିତିରେ ସେମାନେ ସେମାନଙ୍କର ସବୁ ଅଭିଜ୍ଞତାକୁ କାମରେ ଲଗାଉଛନ୍ତି। ଧୋନି ସେଦିନ ପଡ଼ିଆ ଭିତରେ କରିଥିବା ଯୁକ୍ତିତର୍କକୁ ଶୀଘ୍ର ଭୁଲିବା ଲକ୍ଷ୍ୟରେ ଥିବେ। ରବିବାରର ଅନ୍ୟ ମ୍ୟାଚ୍ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବାର ଅଛି। ଏହି ମ୍ୟାଚ୍ ମଧ୍ୟ ବେଶ୍ ରୋମାଞ୍ଚକର ହେବ ବୋଲି ମୋର ଆଶା। ଦିଲ୍ଲୀ ଅତି ସହଜରେ କୋଲକାତାକୁ ହରାଇ ଦେଇଥିଲା। ଶିଖର ଧାୱନ ମଧ୍ୟ ଠିକଣା ସମୟରେ ଲୟକୁ ଫେରିଛନ୍ତି। ଅଧିନାୟକ ଶ୍ରେୟସ୍ ଆୟରଙ୍କ ଭଳି ଋଷବ ପନ୍ତ ଏବେ ଜବରଦସ୍ତ ବ୍ୟାଟିଂ କରୁଛନ୍ତି। ମୋ ମତରେ ସେମାନଙ୍କ ବୋଲିଂ ହିଁ ସବୁଠାରୁ ବେଶି ଫରକ ପକାଉଛି। ଇଡେନ୍ ଗାର୍ଡେନ୍ ଭଳି ପିଚ୍ ମିଳିଲେ ସେମାନଙ୍କ ନୂଆ ବଲ୍ ବୋଲର ପ୍ରତିପକ୍ଷକୁ ସ୍ବଳ୍ପ ରନ୍‌ରେ ସୀମିତ ରଖିବାକୁ ପୂରା ସକ୍ଷମ। ଈଶାନ୍ତ, ରବାଦା, ମୋରିସ୍ ଏବଂ ସନରାଇଜର୍ସ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ନରଙ୍କ ମଧ୍ୟରେ ଜୋରଦାର ପ୍ରତିନ୍ଦ୍ବତିତା ହେବ ବୋଲି ମୋର ବିଶ୍ବାସ। ସନ୍‌ରାଇଜର୍ସ ଭଲ ଆରମ୍ଭ ପାଇଲେ ଆମେ ନିଶ୍ଚିତ ଭାବେ ଏକ ଭଲ ମ୍ୟାଚ୍‌ ଦେଖିବାକୁ ପାଇବା।

ସମ୍ବନ୍ଧିତ ଖବର