ରଘୁନାଥ ଓ ନିର୍ମଳଙ୍କୁ ମିଳିଲା ସରୋଜ ମହାସୁଆର ସମ୍ମାନ

ଭୁବନେଶ୍ୱର: ଉଦିତ ଯୁବ ବ୍ୟାଟ୍‌ସମ୍ୟାନ୍‌ ରଘୁନାଥ ମଲ୍ଲ ଏବଂ ଅଭିଜ୍ଞ ଅମ୍ପାୟାର୍‌ ନିର୍ମଳ କୁମାର ମିଶ୍ରଙ୍କୁ ଚଳିତ ବର୍ଷର ‘ସରୋଜ ମହାସୁଆର ସ୍ମ୍‌ୃତି ସମ୍ମାନ’ ପ୍ରଦାନ କରାଯାଇଛି। ରବିବାର ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ୍‌ ପଡ଼ିଆରେ ସରୋଜ ମହାସୁଆର ସ୍ମୃତି କମିଟିର ଆବାହକ ମନୋଜ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରଘୁନାଥଙ୍କୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଯୁବ କ୍ରିକେଟର୍‌ ଏବଂ ନିର୍ମଳଙ୍କୁ ଶ୍ରେଷ୍ଠ ଅମ୍ପାୟାର୍‌ ଭାବେ ପୁରସ୍କୃତ କରାଯାଇଛି। ଏହି ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ବରିଷ୍ଠ କ୍ରିକେଟ୍‌ ପ୍ରଶିକ୍ଷକ କିଶୋର ମାଣିଆ, ପୂର୍ବତନ କର୍ପୋରେଟର୍‌ ରାଜେନ୍ଦ୍ର ସମର୍ଥା, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ପୂରାତନ କ୍ରିକେଟର୍‌ ଓ କ୍ରିକେଟ୍‌ପ୍ରେମୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଶ୍ରେଷ୍ଠ ଯୁବ କ୍ରିକେଟ୍‌ର ପୁରସ୍କାରକୁ ପୂର୍ବରୁ ଦୀପକ ମଙ୍ଗରାଜ (୨୦୦୪), ପରେଶ ପଟେଲ (୨୦୦୫), ଆତିଶ ଜେନା (୨୦୦୬), ଆଲୋକ ସାହୁ-ଆଲୋକ ମଙ୍ଗରାଜ (୨୦୦୭), ହଳଧର ଦାସ (୨୦୦୮), ବସନ୍ତ ମହାନ୍ତି (୨୦୦୯), ନଟରାଜ ବେହେରା (୨୦୧୦), ସୌମେନ୍ଦ୍ର ଦାସ (୨୦୧୧), ମାଧୁରୀ ମେହେଟା (୨୦୧୨), ରୋସନାରା ପରବିନ୍‌ (୨୦୧୩), ସ୍ୱାଗତିକା ରଥ (୨୦୧୪, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ (୨୦୧୫), ରଂଜିତ ସିଂହ (୨୦୧୬), ପ୍ରୀତ୍‌ ସିଂହ କଁଓ୍ଵର (୨୦୧୭)ଙ୍କୁ ପ୍ରଦାନ କରାଯାଇଥିଲା। ସେହିଭଳି ଶ୍ରେଷ୍ଠ ଅମ୍ପାୟାର ପୁରସ୍କାରକୁ ବିଗତ ବର୍ଷ ଗୁଡିକରେ ଅରୁଣ କୁମାର ବାସା, ସୁବ୍ରତ ଦାସ, ମାରିଓ ଫ୍ରାନସିସ୍‌, ବିଭୂ ଶତପଥୀ, ପରାସର ବିଶ୍ୱାଳ, ଚଣ୍ଡୀପ୍ରସନ୍ନ ମହାପାତ୍ର, ଅସିତ ପଟ୍ଟନାୟକ, ପବିତ୍ର ପ୍ରଧାନ, ଶରତ କୁମାର ସାହୁ ପାଇଥିଲେ।

ସମ୍ବନ୍ଧିତ ଖବର