ଆଫ୍‌ଗାନିସ୍ତାନ ଟେଷ୍ଟ୍‌ ପାଇଁ ରାହାଣେ ଅଧିନାୟକ : ନାୟର ଟେଷ୍ଟ୍‌ ଓ ରାୟୁଡୁ ଦିନିକିଆ ଦଳକୁ ଫେରିଲେ

ବେଙ୍ଗାଲୁରୁ: ଆସନ୍ତାମାସ ୧୪ ତାରିଖରୁ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଐତିହାସିକ ଆଫ୍‌ଗାନିସ୍ତାନ ଟେଷ୍ଟ ପାଇଁ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଙ୍ଗଳବାର ଘୋଷିତ ହୋଇଛି। କାଉଣ୍ଟି ଖେଳିବାକୁ ଅଗ୍ରାଧିକାର ଦେଇ ଏହି ଟେଷ୍ଟରୁ ଓହରିଯାଇଥିବା ଅଧିନାୟକ ବିରାଟ କୋହଲିଙ୍କ ବଦଳରେ ଆଜିଙ୍କ୍ୟ ରାହାଣେ ଆଫ୍‌ଗାନିସ୍ତାନ ବିପକ୍ଷ ଟେଷ୍ଟ ଦଳର ନେତୃତ୍ୱ ନେବେ। ଜାତୀୟ ମନୋନୟନ ସମିତି ବେଙ୍ଗାଲୁରୁରେ ଏକାଠି ହୋଇ ମଙ୍ଗଳବାର ଆଫ୍‌ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ସାଙ୍ଗକୁ ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଦିନିକିଆ ଓ ଟେ୍ଵଣ୍ଟି-୨୦ ଦଳ ମଧ୍ୟ ଚୟନ କରିଛି। କରୁଣ ନାୟାର ଟେଷ୍ଟ ଏବଂ ଅମ୍ବାତି ରାୟୁଡୁ ଦିନିକିଆ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ଆଫ୍‌ଗାନିସ୍ତାନ ଟେଷ୍ଟରୁ କୋହଲିଙ୍କ ସମେତ ରୋହିତ ଶର୍ମା, ଭୁବନେଶ୍ୱର କୁମାର, ଜସ୍‌ପ୍ରିତ୍‌ ବୁମ୍‌ରା, ପାର୍ଥିବ ପଟେଲ ଏବଂ ଦୀନେଶ କାର୍ତିକ ବାଦ୍‌ ପଡ଼ିଥିଲା ବେଳେ କରୁଣ ନାୟାର, କୁଲ୍‌ଦୀପ୍‌ ଯାଦବ ଓ ସାର୍ଦୁଲ ଠାକୁର ସାମିଲ ହୋଇଛନ୍ତି। ବିସିସିଆଇ ଚୁକ୍ତି ତାଲିକାରେ ନୂଆ କରି ସୃଷ୍ଟି ହୋଇଥିବା ଏ+ ବର୍ଗର ୪ ଖେଳାଳି ଟେଷ୍ଟ ଦଳରୁ ବିଶ୍ରାମ ପାଇଥିଲା ବେଳେ ଏକମାତ୍ର ଶିଖର ଧଓ୍ଵନ୍‌ ହିଁ ଖେଳିବାର ସୁଯୋଗ ପାଇଛନ୍ତି। ତେବେ ଅଧିକାଂଶ ନିୟମିତ ଟେଷ୍ଟ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି। ବିଶେଷକରି ଦ୍ୱିତୀୟ ସ୍ତରର ଦଳ କାଳେ ଆଫ୍‌ଗାନିସ୍ତାନଠୁ ହାରିଯିବ ସେ ଭୟରେ ବିସିସିଆଇ ଅଧିକ ରିସ୍କ ନେବାକୁ ଚାହିଁନାହିଁ। ତେବେ ଜୁନ୍‌ ମାସ (ବର୍ଷା ଋତୁ)ରେ ପ୍ରଥମ ଥର ପାଇଁ ଭାରତରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯିବାକୁ ଯାଉଥିବାରୁ ବିସିସିଆଇ ମଧ୍ୟ ସତର୍କ ରହିଛି। ଏବେ ଇଂଲଣ୍ଡରେ କାଉଣ୍ଟି ଖେଳୁଥିବା ଚେତେଶ୍ୱର ପୂଜାରା ଓ ଈଶାନ୍ତ ଶର୍ମା ଟେଷ୍ଟ ଦଳରେ ରହିଥିଲା ବେଳେ ତିନି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୁରଲୀ ବିଜୟ, ଲୋକେଶ ରାହୁଲ୍‌ ଓ ଧଓ୍ଵନ୍‌ଙ୍କ ସାଙ୍ଗକୁ ଦୁଇ ସ୍ପିନର ଅଶ୍ୱିନ୍‌ ଓ ଜାଦେଜା ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର କୁମାର ଓ ବୁମ୍‌ରାଙ୍କ ଅନୁପସ୍ଥିତିରେ ଈଶାନ୍ତ, ଉମେଶ ଯାଦବ ଓ ମହମ୍ମଦ ସାମି ଟେଷ୍ଟ ଦଳକୁ ଫେରିଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ କରୁଣ ନାୟାର ଷଷ୍ଠ ସ୍ଥାନରେ ବ୍ୟାଟିଂ ସୁଯୋଗ ପାଇବେ। ରିଦ୍ଧିମାନ ଓ୍ଵିକେଟ୍‌ରକ୍ଷଣ ଦାୟିତ୍ୱ ପାଇଛନ୍ତି। ପାକିସ୍ତାନ, ଜିମ୍ବାେଓ୍ଵ ଓ ବାଂଲାଦେଶ ପରେ ଆଫ୍‌ଗାନିସ୍ତାନ ଚତୁର୍ଥ ଦଳ ଭାବେ ଭାରତରେ ହିଁ ପଦାର୍ପଣ ଟେଷ୍ଟ ଖେଳିବ।


ମଙ୍ଗଳବାର ଘୋଷିତ ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳକୁ ଲୋକେଶ ରାହୁଲ୍‌ ଓ ଅମ୍ବାତି ରାୟୁଡୁ ଫେରିଛନ୍ତି। ଉଭୟ ରାହୁଲ୍‌ ଓ ରାୟୁଡୁ ଚଳିତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଚାଲିଥିବାରୁ ଉପହାର ସ୍ୱରୂପ ଇଂଲଣ୍ଡ୍‌ ଗସ୍ତ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆକର୍ଷଣୀୟ ବୋଲିଂ କରୁଥିବା ସିଦ୍ଧାର୍ଥ କୌଲ ଇଂଲଣ୍ଡ ବିପକ୍ଷ ଉଭୟ ଦିନିକିଆ ଓ ଟେ୍ଵଣ୍ଟି-୨୦ ଦଳରେ ସାମିଲ ହୋଇଛନ୍ତି। ଓ୍ଵାସିଂଟନ୍‌ ସୁନ୍ଦର ଏକମାତ୍ର ଅଙ୍ଗୁଳିସ୍ପିନର ଭାବେ ଦଳରେ ସ୍ଥାନ ଅକ୍ତିଆର କରିଥିଲା ବେଳେ ଅଲ୍‌ରାଉଣ୍ଡର କୃନାଲ୍‌ ପାଣ୍ଡ୍ୟା କିମ୍ବା ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କୁ ସ୍ଥାନ ମିଳିନାହିଁ।

ଟେଷ୍ଟ ଦଳ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଶିଖର ଧଓ୍ଵନ୍‌, ମୁରଲୀ ବିଜୟ, ଲୋକେଶ ରାହୁଲ୍‌, ଚେତେଶ୍ୱର ପୂଜାରା, କରୁଣ ନାୟାର, ରିଦ୍ଧିମାନ ଶାହା (ଓ୍ଵିକେଟ୍‌ରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ରବୀନ୍ଦ୍ର ଜାଦେଜା, କୁଲ୍‌ଦୀପ୍‌ ଯାଦବ, ଉମେଶ ଯାଦବ, ମହମ୍ମଦ ସାମି, ହାର୍ଦିକ୍‌ ପାଣ୍ଡ୍ୟା, ଈଶାନ୍ତ ଶର୍ମା ଓ ସାର୍ଦୁଲ ଠାକୁର।
ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧଓ୍ଵନ୍‌, ରୋହିତ ଶର୍ମା, ଲୋକେଶ ରାହୁଲ୍‌, ଶ୍ରେୟସ ଆୟର, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ, ୟୁଜ୍‌ବେନ୍ଦ୍ର ଚହଲ୍‌, କୁଲ୍‌ଦୀପ୍‌ ଯାଦବ, ଓ୍ଵାସିଂଟନ୍‌ ସୁନ୍ଦର, ଜସ୍‌ପ୍ରିତ୍‌ ବୁମ୍‌ରା, ହାର୍ଦିକ୍‌ ପାଣ୍ଡ୍ୟା, ସିଦ୍ଧାର୍ଥ କୌଲ, ସାର୍ଦୁଲ ଠାକୁର ଓ ଭୁବନେଶ୍ୱର କୁମାର।

ଇଂଲଣ୍ଡ ଓ ଆୟର୍ଲାଣ୍ଡ୍‌ ବିପକ୍ଷ ଟେ୍ଵଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧଓ୍ଵନ୍‌, ରୋହିତ ଶର୍ମା, ଲୋକେଶ ରାହୁଲ୍‌, ସୁରେଶ ରାଇନା, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ, ୟୁଜ୍‌ବେନ୍ଦ୍ର ଚହଲ୍‌, କୁଲ୍‌ଦୀପ୍‌ ଯାଦବ, ଓ୍ଵାସିଂଟନ୍‌ ସୁନ୍ଦର, ଜସ୍‌ପ୍ରିତ୍‌ ବୁମ୍‌ରା, ହାର୍ଦିକ୍‌ ପାଣ୍ଡ୍ୟା, ସିଦ୍ଧାର୍ଥ କୌଲ, ଉମେଶ ଯାଦବ ଓ ଭୁବନେଶ୍ୱର କୁମାର।

ନାୟର ଟେଷ୍ଟ୍‌ ଓ ରାୟୁଡୁ ଦିନିକିଆ ଦଳକୁ ଫେରିଲେ, ଭାରତ-ଏ ଦଳର ନେତୃତ୍ୱ ନେବେ ଆୟର ଓ ନାୟର

ବେଙ୍ଗାଲୁରୁ, ୮|୫: ଭାରତ-ଏ ଦଳର ଆଗାମୀ ଇଂଲଣ୍ଡ ଗସ୍ତରେ ଶ୍ରେୟସ ଆୟର ଓ କରୁଣ ନାୟର ଯଥାକ୍ରମେ ଦିନିକିଆ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଏବଂ ୪ ଦିନିଆ ମ୍ୟାଚ୍‌ର ନେତୃତ୍ୱ ନେବେ। ମଙ୍ଗଳବାର ଏଠାରେ ଆଫ୍‌ଗାନିସ୍ତାନ ଟେଷ୍ଟ, ଇଂଲଣ୍ଡ ବିପକ୍ଷ ଦିନିକିଆ ସାଙ୍ଗକୁ ଇଂଲଣ୍ଡ ଓ ଆୟର୍ଲାଣ୍ଡ୍‌ ଗସ୍ତ ପାଇଁ ଟେ୍ଵଣ୍ଟି-୨୦ ଦଳ ଘୋଷଣା ବେଳେ ଭାରତ-ଏ ଦଳ ମଧ୍ୟ ଘୋଷିତ ହୋଇଛି। ବିଶେଷକରି ଯେଉଁ ଖେଳାଳିମାନେ ନିଜ ନିଜର ରାଜ୍ୟ ଦଳ ସହିତ ଆଇପିଏଲ୍‌ରେ ସ୍ଥିର ପ୍ରଦର୍ଶନ ଦେଉଛନ୍ତି ସେମାନଙ୍କୁ ଭାରତ-ଏ ଦଳରେ ସୁଯୋଗ ମିଳିଛି। ଭାରତ-ଏ ଦଳର ଇଂଲଣ୍ଡ ଗସ୍ତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରୁ ଆରମ୍ଭ ହେବ। ଦଳ ଜୁନ୍‌ ୨୨ରୁ ଇଂଲଣ୍ଡ ଲାୟନ୍‌ସ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ସହ ଏହି ଶୃଙ୍ଖଳା ଖେଳିବ। ଏହା ବ୍ୟତୀତ ଭାରତ-ଏ ଦଳ ଗୋଟିଏ ୪ ଦିନିଆ ମ୍ୟାଚ୍‌ (ଜୁଲାଇ ୧୬ରୁ ୧୯) ଏବଂ ଦୁଇଟି ତିନିଦିନିଆ ମ୍ୟାଚ୍‌ ଖେଳିବ। ପୃଥ୍ଵୀ ସ, ଶୁଭମନ୍‌ ଗିଲ୍‌, ଋଷଭ ପନ୍ତ୍‌ ଓ ସଞ୍ଜୁ ସାମ୍‌ସନ୍‌ ଦଳରେ ସାମିଲ ହୋଇଛନ୍ତି।

ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଦଳ: ଶ୍ରେୟସ ଆୟର (ଅଧିନାୟକ), ପୃଥ୍ଵୀ ସ, ମୟଙ୍କ ଅଗ୍ରଓ୍ଵାଲ, ଶୁଭମନ୍‌ ଗିଲ୍‌, ହନୁମା ବିହାରୀ, ସଞ୍ଜୁ ସାମ୍‌ସନ୍‌, ଦୀପକ ହୁଦା, ଋଷଭ ପନ୍ତ୍‌, ବିଜୟ ଶଙ୍କର, କୃଷ୍ଣପା ଗୌତମ, ଅକ୍ଷର ପଟେଲ, କୃନାଲ୍‌ ପାଣ୍ଡ୍ୟା, ପ୍ରସିଦ୍ଧ କୃଷ୍ଣା, ଦୀପକ୍‌ ଚହର, ଖଲିଲ ଅହମ୍ମଦ, ସାର୍ଦୁଲ ଠାକୁର।
୪ ଦିନିଆ ମ୍ୟାଚ୍‌ ଦଳ: କରୁଣ ନାୟାର (ଅଧିନାୟକ), ଆର୍‌ ସମର୍ଥ, ମୟଙ୍କ ଅଗ୍ରଓ୍ଵାଲ, ଅଭିମନ୍ୟୁ ଈଶ୍ୱରନ୍‌, ପୃଥ୍ଵୀ ସ, ହନୁମା ବିହାରୀ, ଅଙ୍କିତ ବାଉନେ, ବିଜୟ ଶଙ୍କର, କେଏସ୍‌ ଭାରତ, ଜୟନ୍ତ ଯାଦବ, ସାହବାଜ୍‌ ନଦିମ୍‌, ଅଙ୍କିତ ରାଜ୍‌ପୁତ, ମହମ୍ମଦ ସିରାଜ୍‌, ନଭ୍‌ଦୀପ୍‌ ସାଇନି, ରଜନୀଶ ଗୁର୍‌ବାନୀ।

ସମ୍ବନ୍ଧିତ ଖବର