ଆଜିଠୁ ଓଡ଼ିଶାର ୟୁପି ପରୀକ୍ଷା, ରାଇନା ବନାମ ବସନ୍ତ

ଭୁବନେଶ୍ବର: ଏବେ ଉତ୍ତରପ୍ରଦେଶ ପରୀକ୍ଷାରେ ଅବତୀର୍ଣ୍ଣ ହେବ ଓଡ଼ିଶା। ରଣଜୀ ଟ୍ରଫିର ଦ୍ବିତୀୟ ରାଉଣ୍ଡ୍‌ରେ ଓଡ଼ିଶା ସୋମବାରଠାରୁ କିଟ୍ କ୍ରିକେଟ ଷ୍ଟାଡିୟମରେ ଏହି ଲଗାତାର ଘରୋଇ ମ୍ୟାଚ୍ ଖେଳିବ। ସମାନ ପଡ଼ିଆରେ ଗତ ସପ୍ତାହରେ ଓଡ଼ିଶା ନିଜର ପ୍ରଥମ ମ୍ୟାଚ୍‌କୁ ହରିଆନା ସହିତ ପାଳି ପଛୁଆ ସହିତ ଅମୀମାଂସିତ ରଖିଥିବାବେଳେ କାନପୁରରେ ଉତ୍ତରପ୍ରଦେଶ ପାଳି ବ୍ୟବଧାନରେ ଗୋଆକୁ ହରାଇ ଭୁବନେଶ୍ବର ଆସିଛି। ଓଡ଼ିଶା ପାଇଁ ଏହି ଘରୋଇ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ରହିବ। ଓଡ଼ିଶା ଏବଂ ଉତ୍ତରପ୍ରଦେଶ ବିଗତ ୧୬ ବର୍ଷ ମଧ୍ୟରେ ଦୁଇ ରାଜ୍ୟ ପରସ୍ପରକୁ ୫ ଥର ଭେଟିଛନ୍ତି। ଓଡ଼ିଶା ୨ ଥର ହାରିଥିବାବ‌େଳେ ୩ ଥର ମ୍ୟାଚ୍ ଅମୀମାଂସିତ ରଖିଛି। ଶେଷ ଥର ପାଇଁ ୬ ଋତୁ ତଳେ ଲକ୍ଷ୍ନୌ ମୁକାବିଲାରେ ଓଡ଼ିଶା ହାରିଥିଲା। ନୂଆା ଋତୁରେ ପ୍ରଥମ ଥର ରାଜ୍ୟ ବାହାରକୁ ଯିବା ପୂର୍ବରୁ ଓଡ଼ିଶା ପାଇଁ ଏହା ଶେଷ ଘରୋଇ ମ୍ୟାଚ୍ ହୋଇଥିବାରୁ ବିପ୍ଳବ ସାମନ୍ତରାୟଙ୍କ ଦଳ ମଧ୍ୟ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବା ଯୋଜନାରେ ରହିଛି। ଦଳର ସବୁଠୁ ବରିଷ୍ଠ ଖେଳାଳି ତଥା ପ୍ରଥମ ପସନ୍ଦ ବୋଲର ବସନ୍ତ ମହାନ୍ତି ଦଳକୁ ଫେରିଥିବାରୁ ଘ‌େରୋଇ ଶିବିରର ଆତ୍ମବିଶ୍ବାସ ବଢ଼ିଛି। ପ୍ରଥମ ମ୍ୟାଚରୁ ମିଳିଥିବା ସକରାତ୍ମକ ଦିଗକୁ ଉପଯୋଗ କରି ଓଡ଼ିଶା ମଧ୍ୟ ଏହି ମ୍ୟାଚ୍ ଖେଳିବ ବୋଲି ଆଶା କରାଯାଉଛି। ଅନୁରାଗ ଷଡ଼ଙ୍ଗୀ, ବିପ୍ଳବ ସାମନ୍ତରାୟ ଶତକ ଜମାଇଥିବାବେଳେ ପ୍ରଥମ ପଦାର୍ପଣ କରିଥିବା ଦୁଇ ଉଦୀୟମାନ ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ପଟ୍ଟା ପିଚ୍‌ରୁ ପ୍ରମୁଖ ୱିକେଟ୍‌ ବାହାର କରିବାରେ ସକ୍ଷମ ହୋଇଥିଲେ। ସମାନ ମତ ଦେଇଛନ୍ତି ଓଡ଼ିଶା ଦଳ ଅଧିନାୟକ ବିପ୍ଳବ ସାମନ୍ତରାୟ। ‘‘ପ୍ରଥମ ମ୍ୟାଚ୍ ଭଳି ଆମେ ମଧ୍ୟ ଏହି ମ୍ୟାଚ୍‌କୁ ଜିତିବାର‌େ ଯୋଜନା କରିଛୁ। ହରିଆଣା ବିପକ୍ଷରେ ୨ ଶତକ, ଶାନ୍ତନ୍ତୁଙ୍କ ପ୍ରଶଂସନୀୟ ଉଭୟ ଭଳି, ୩ ପଦାର୍ପଣକାରୀ ବୋଲରଙ୍କ ପ୍ରଦର୍ଶନ ଭଲ ରହିଥିଲା। ଆମକୁ ‌କ୍ଷେତ୍ରରକ୍ଷଣରେ ଉନ୍ନତି ଆଣିବାକୁ ପଡ଼ିବ। ଆମ ଆଗରେ କେଉଁ ଦଳ ଅଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ସବୁ ଖେଳାଳି ଉନ୍ନତ ପ୍ରଦର୍ଶନ ଦେବାକୁ ବ୍ୟଗ୍ର’’ ବୋଲି କହିଛନ୍ତି ବିପ୍ଳବ। ବସନ୍ତ ମହାନ୍ତିଙ୍କ ପ୍ରତ୍ୟାବର୍ତନ ନିଶ୍ଚିତ ମନୋବଳ ବଢ଼ାଇଛି।‌ ସେ ଆମ ଦଳର ମୁଖ୍ୟ ସମ୍ପତ୍ତି, ଅତୀତରେ ବହୁ ମ୍ୟାଚ୍ ଜିତାଇଛନ୍ତି ବୋଲି କହିଥିଲେ ବିପ୍ଳବ। ସେହିଭଳି ଏକ ଉନ୍ନତ ଦଳ ବିପକ୍ଷରେ ଖେଳିବାର ଥିବାରୁ ଓଡ଼ିଶାର ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରି ଚୟନକର୍ତାଙ୍କୁ ପ୍ରଭାବିତ କରିପାରିବେ ବୋଲି ବିପ୍ଳବ କହିଛନ୍ତି। ଏହି ମ୍ୟାଚ୍‌ ପାଇଁ ପ୍ରସ୍ତୁତ ପିଚ୍‌ ପ୍ରଥମ ମ୍ୟାଚ୍ ତୁଳନାରେ ଭିନ୍ନ ରହିବ। ଏ ପିଚ୍ ସତେଜ ରହିଛି ଏବଂ ସକାଳେ ନିଶ୍ଚିତ ସୁଇଙ୍ଗ ବୋଲରଙ୍କୁ ସହାୟତା କରିବ। ମୋଟାମୋଟି ଭାବେ ବୋଲରମାନେ ଏଠାରେ ଠିକଣା ଯାଗାରେ ପକାଇଲେ ନିଶ୍ଚିତ ସଫଳ ‌ହେବେ ବୋଲି ବିପ୍ଳବ କହିଛନ୍ତି। ବସନ୍ତଙ୍କ ପ୍ରତ୍ୟାବର୍ତନକୁ ନେଇ ମଧ୍ୟ ପ୍ରଶିକ୍ଷକ ରଶ୍ମିରଂଜନ ପରିଡ଼ା ଖୁସୀ ହୋଇଛନ୍ତି। ବସନ୍ତଙ୍କ ଅଭାବ ପ୍ରଥମ ମ୍ୟାଚରେ ଅନୁଭବ ହୋଇଥିଲା। ଏବେ ଆମେ ବୋଲିଂ ଶକ୍ତି ଦୃଢ଼ ହୋଇପାରିଛି। ପ୍ରଥମ ମ୍ୟାଚରେ ବ୍ୟାଟସମ୍ୟାନ୍ ସେତେଟା ସଫଳ ହୋଇନଥିଲେ, କିନ୍ତୁ ଭଲ ବ୍ୟାଟିଂ କରୁଛନ୍ତି ଏବଂ ଟଚ୍‌ରେ ଅଛନ୍ତି ବୋଲି କହିଛନ୍ତି ରଶ୍ମି। ପିଚ୍ ନିଶ୍ଚିତ ଫଳାଫଳ ଦେବା ଭଳି ଲାଗୁଛି, ଆମେ ପ୍ରତିଦ୍ବନ୍ଦ୍ବୀ ଦଳର ସାମର୍ଥ୍ୟ ନୁହେଁ, ନିଜ ଶକ୍ତିରେ ଖେଳିବୁ ବୋଲି କହିଛନ୍ତି ଦୁଇ ଥର ରଣଜୀ ଟ୍ରଫି ବିଜେତା ରଶ୍ମି।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ଗତ ମ୍ୟାଚରେ ଅଭିଜ୍ଞ ଅନ୍ତର୍ଜାତୀୟ ତାରକା ସୁରେଶ ରାଇନାଙ୍କ ବିନା ଖେଳିଥିଲେ ମଧ୍ୟ ଓଡ଼ିଶା ବିପକ୍ଷ ମ୍ୟାଚରେ ଖେଳିବାକୁ ଯାଉଛନ୍ତି। କାନପୁରରେ ଖେଳିଥିବା ପ୍ରଥମ ମ୍ୟାଚରେ ଉତ୍ତରପ୍ରଦେଶ ଏକ ପାଳି ଓ ୨୪୭ ରନ୍‌ର ବଡ଼ ବ୍ୟବଧାନରେ ଗୋଆକୁ ହରାଇଥିଲା। ଏହି ମ୍ୟାଚରେ ଅକାଶଦୀପ ନାଥ (୧୯୪), ମହମ୍ମଦ ସୈଫ (୧୨୬) ଏବଂ ପ୍ରିୟମ ଗର୍ଗ (୧୧୭*) ଶତକ ଜମାଇଥିବାବେଳେ ଦଳ ୬୫୪/୪ରେ ଘୋଷଣା କରିଥିଲା। ବୋଲିଂରେ ଅଙ୍କିତ ରାଜପୁତ ୭, ସୌରଭ କୁମାର ୬, କନିଷ୍ଠ ବିଶ୍ବକପ୍ ତାରକା ଶିଭମ ମାଭି ୫ ୱିକେଟ୍‌ ନେବାରୁ ଗୋଆ ଉଭୟ ପାଳିରେ ୧୫୨ ଓ ୧୬୫ ରନ୍ କରି ଶୋଚନୀୟ ପରାଜୟ ବରଣ କରିଥିଲା।

ଓଡ଼ିଶା ଦଳ: ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ (ଅଧିନାୟକ), ଶୁଭ୍ରାଂଶୁ ଶେଖର‌ ସେନାପତି, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା (ୱି‌େକଟରକ୍ଷକ), ପପୁ ରୟ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ, ରଂଜିତ ସିଂହ ଏବଂ ଶୁଭମ ନାୟକ। ସପୋର୍ଟ ଷ୍ଟାଫ: ରଶ୍ମିରଂଜନ ପରିଡ଼ା (ପ୍ରଶିକ୍ଷକ), ଶୁଭକାନ୍ତ ସାହୁ (ଫିଜିଓ), ମନୋଜ କୁମାର ବିଶ୍ବାଳ (ଟ୍ରେନର), ଶୁଭାଶିଷ ଭୂୟାଁ (ପର୍ଯ୍ୟବେକ୍ଷକ)।

ଉତ୍ତରପ୍ରଦେଶ ଦଳ: ଅକାଶଦୀପ ନାଥ (ଅଧିନାୟକ), ରିଙ୍କୁ ସିଂହ, ଉମଙ୍ଗ ଯାଦବ, ସମର୍ଥ ସିଂହ, ସୁରେଶ ରାଇନା, ଅଙ୍କିତ ରାଜପୁର, ସୌରଭ କୁମାର, ମାଧବ କୌଶିକ, ଅଲମାକ ସୌକତ, ମହମ୍ମଦ ସୈଫ, ଶିଭମ ମାଭି, ପ୍ରିୟମ ଗର୍ଗ, ଉପେନ୍ଦର ଯାଦବ, ଧୃବ ପ୍ରତାପ ସିଂହ, ୟାଶ ଦୟାଲ, ଜୀସାନ ଅନସାରି। ପ୍ରଶିକ୍ଷକ: ରିଜୱାନ ସାମସାଦ। ଅମ୍ପାୟାର: ଅକ୍ଷୟ ତୋତ୍ରେ, ବିକେ ରବି, ମ୍ୟାଚ୍ ‌ରେଫରି: ରାଜୀବ ଦେବବର୍ମା।

ସମ୍ବନ୍ଧିତ ଖବର