ଜାକର୍ତାକୁ ବର୍ଷା ଭିଜା ବିଦାୟ

ଅଷ୍ଟାଦଶ ଏସୀୟ କ୍ରୀଡ଼ା ଉଦ୍‌ଯାପିତ

0 254

ଜାକର୍ତା/ପାଲେମବାଙ୍ଗ: ସତରଙ୍ଗୀ ଅଲୋକ ମାଳା, ଆଖି ଝଲସେଇ ଦେଲା ଭଳି ଆତସବାଜୀ ଓ ଲେଜର ସୋ’ ସହ ଝିପି ଝପି ବର୍ଷା ଛିଟା ମଧ୍ୟରେ ରବିବାର ଅଷ୍ଟାଦଶ ଏସୀୟ କ୍ରୀଡ଼ା ଉଦ୍‌ଯାପିତ ହୋଇଯାଇଛି। ୪୫ ଅଂଶଗ୍ରହଣକାରୀ ଦେଶର ଖେଳାଳିଙ୍କ ମାର୍ଚପାଷ୍ଟ ପରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମନ୍ତ୍ରମୁଗ୍ଧ ମାହୋଲ ଭିତରେ ଖେଳାଳିମାନେ ଜାକର୍ତାକୁ ଭାବବିହ୍ଵଳ ବିଦାୟ ଦେଇଛନ୍ତି। ୨୦୨୨ରେ ପୁନର୍ବାର ଦେଖା ହେବାର ଆଶା ଓ ଉତ୍ସାହରେ ସେମାନେ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଜାକର୍ତା/ପାଲେମବାଙ୍ଗ କ୍ରୀଡ଼ା ଉତ୍ସବର ସମାପନ ଦିବସରେ ୨୦୨୨ର ଆୟୋଜନ ଅଧିକାର ପାଇଥିବା ଚୀନ୍‌ର ହାଙ୍ଗଝୁ ସହରକୁ ଶେଷରେ ଏସୀୟ କ୍ରୀଡ଼ା ପତାକା ହସ୍ତାନ୍ତର କରଯାଇଛି। ଇଣ୍ଡୋନେସିଆର ଜାତୀୟ ସଂଗୀତ ଗାନ ସହ ରବିବାର ସଂଧ୍ୟାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ସ୍ଥାନୀୟ କଳାକାରମାନେ ଉଦ୍‌ଘାଟନୀରେ ଇଣ୍ଡୋନେସିଆର କଳା ସଂସ୍କୃତିକୁ ନିଖୁଣ ଭାବେ ଦର୍ଶାଇଥିଲେ। ଉଦ୍‌ଯାପନୀରେ କିନ୍ତୁ ଖେଳାଳି, ଅଧିକାରୀ, ସ୍ୱେଚ୍ଛାସେବୀ ଏବଂ ଦର୍ଶକଙ୍କ ମନୋରଞ୍ଜନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଗାୟିକା ଇସୟାନା ସରସ୍ୱତୀ ଓ କୋରିଆ ପପ୍‌ ଗାୟକ ଏକନଙ୍କ ଗୀତରେ ସଂପୂର୍ଣ୍ଣ ଷ୍ଟାଡିୟମ୍‌ ଝୁମିି ଉଠିଥିଲା। ତେବେ ଭାରତୀୟ ଗାୟକ ସିଦ୍ଧାର୍ଥ ସ୍ଲାଥିଆ, ଦେନାଦାଙ୍କ କୁଛ୍‌ କୁଛ୍‌ ହୋତାହେ ଓ କୋଇ ମିଲଗୟା ଗୀତରେ ଷ୍ଟାଡିୟମରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଯେମିତି ଝୁମି ଉଠିଥିଲେ। ମାସ୍କଟ ଭିନ୍‌ ଭିନ୍‌, ଅତୁଙ୍ଗ ଓ କାକା ପଡ଼ିଆ ଭିତରକୁ ଆସି ଖେଳାଳିଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ଵିଦୋଦୋ, ଉପ ରାଷ୍ଟ୍ରପତି ମହମ୍ମଦ ଜୁସୁଫ କାଲା ଭାଷଣ ଦେବା ପରେ ଗତ ୨ ସପ୍ତାହ ଧରି ଉଡ଼ୁଥିବା ଏସୀୟ ପରିଷଦ ପତାକାକୁ ଖୁଣ୍ଟରୁ ଅବତରଣ କରାଯାଇଥିଲା। ତା’ ସହ ଏସୀୟ ଅଲିମ୍ପିକ୍ସ ପରିଷଦ ସଭାପତି ଅହମ୍ମଦ ଅଲ୍‌ ଫହଦ ଅଲ୍‌-ଅହମ୍ମଦ-ଅଲ୍‌ ସବା ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଆନୁଷ୍ଠାନିକ ଉଦ୍‌ଯାପନ ଘୋଷଣା କରିଥିଲେ। ସେ ମଧ ସମସ୍ତ ୧୩,୦୦୦ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଦେଇଥିଲେ। ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଆୟୋଜକ ପରବର୍ତୀ ଏସୀୟ କ୍ରୀଡ଼ାର ଆୟୋଜନ ଅଧିକାର ପାଇଥିବା ଚୀନ୍‌ର ହାଙ୍ଗଝୁ ସହରର ପ୍ରତିନିଧିଙ୍କୁ ଏସୀୟ ଅଲିମ୍ପିକ୍ସ ପରିଷଦ ପତାକା ଓ ଏସିଆଡ଼୍‍ ମସାଲକୁ ହସ୍ତାନ୍ତର କରିଥିଲେ। ଏହା ପରେ ହାଙ୍ଗଝୁରୁ ଆସିଥିବା କଳାକାରମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ପରମ୍ପରାକୁ ବଦଳାଇ ଏଥର ଖେଳାଳିମାନେ ନିଜ ଦେଶ ପରିବର୍ତେ ସେମାନେ ଖେଳୁଥିବା ଖେଳ ଆଧାରରେ ପଡ଼ିଆରେ ବୁଲିଥିଲେ। ଭାରତୀୟ ଖେଳାଳିମାନେ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲଙ୍କ ନେତୃତ୍ୱରେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ।

ହାଙ୍ଗଝୁରେ ୨୦୨୨
ଏସୀୟ କ୍ରୀଡ଼ାର ପରବର୍ତୀ ସଂସ୍କରଣ ଚୀନ୍‌ର ହାଙ୍ଗଝୁଠାରେ ଆୟୋଜିତ ହେବ। ସେଠାରେ ଊନ୍ନବିଂଶ ସଂସ୍କରଣ ୨୦୨୨ ମସିହା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ବେଜିଂ (୧୯୯୦) ଓ ଗୁଆଁଝୁ (୨୦୧୦) ପରେ ଏସୀୟ କ୍ରୀଡ଼ା ଆୟୋଜନ କରିବାରେ ହାଙ୍ଗଝୁ ଚୀନ୍‌ର ତୃତୀୟ ସହର ହେବ। ୨୦୧୫ ସେପ୍ଟେମ୍ବର ୧୬ ତାରିଖରେ ତୁର୍କମେନିସ୍ତାନର ଅସଗାବାତ୍‌ଠାରେ ଆୟୋଜିତ ଏସୀୟ ଅଲିମ୍ପିକ୍ସ ପରିଷଦର ୩୪ତମ ସାଧାରଣ ଅଧିବେସନରେ ହାଙ୍ଗଝୁକୁ ୨୦୨୨ ଏସୀୟ କ୍ରୀଡ଼ା ଆୟୋଜନ ଅଧିକାର ମିଳିଥିଲା। ୪୪ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଖେଳାଯିବ। ୩୦ ଷ୍ଟାଡିୟମ ପୂର୍ବରୁ ଥିଲା ବେଳେ ୧୦ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ୨୦୨୨ରେ ପ୍ରଥମ ଥର ପାଇଁ ଭିଡିଓ ଗେମ୍‌ ଦକ୍ଷତାକୁ ନେଇ ‘ଇସ୍ପୋର୍ଟସ’ ନାମରେ ଏକ ନୂଆ ଖେଳ ସ୍ଥାନ ପାଇବ। ଯାହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି।

ଭାରତ ଅଷ୍ଟମ
ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତ ୬୯ ପଦକ ଜିତିଛି। ପଦକ ସଂଖ୍ୟା ଦୃଷ୍ଟିରୁ ଏସିଆଡ଼୍‍ ଇତିହାସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ହେଲେ ଭାରତର ପଦକ ତାଲିକା ସ୍ଥାନରେ କୌଣସି ପରିବର୍ତନ ହୋଇ ନାହିଁ। ଭାରତ ୨୦୧୪ ଗତ ସଂସ୍କରଣରେ ଅଷ୍ଟମ ସ୍ଥାନରେ ରହିଥିଲା। ଚଳିତ ଥର ମଧ୍ୟ ସେହି ଅଷ୍ଟମରେ ଅଭିଯାନ ଶେଷ କରିଛି। ଗତଥର ଭଳି ଏଥର ମଧ୍ୟ ଚୀନ୍‌ (୧୩୨ ସ୍ୱର୍ଣ୍ଣ, ୯୨ ରୌପ୍ୟ, ୬୫ କାଂସ୍ୟ) ପ୍ରଥମ ସ୍ଥାନ ଅଧିକାର କରିନେଇଛି। ଜାପାନ (୭୫, ୫୬, ୭୪) ଦ୍ୱିତୀୟରେ ଥିଲା ବେଳେ ଦକ୍ଷିଣ କୋରିଆ (୪୯, ୫୮, ୭୦) ତୃତୀୟରେ ରହିଛି। ଆୟୋଜକ ଇଣ୍ଡୋନେସିଆ, ଉଜ୍‌ବେକିସ୍ତାନ, ଇରାନ ଓ ଚାଇନିଜ୍‌ ତାଇପେ ଭଳି ଦେଶ ବି ଭାରତ ଉପରେ ରହିଛନ୍ତି। ଭାରତ ଏଥର ଦୌଡ଼କୁଦରୁ ୭, ବନ୍ଧୁକ ଚାଳନାରୁ ୨, କୁସ୍ତିରୁ ୨ ଏବଂ ବ୍ରିଜ୍‌, ନୌଚାଳନା, ଟେନିସ ଓ ମୁଷ୍ଟିଯୁଦ୍ଧରୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଜିତିଛି। ସେହିଭଳି ଦୌଡ଼କୁଦରୁ ୧୦, ବନ୍ଧୁକ ଚାଳନାରୁ ୪, ତୀରନ୍ଦାଜୀରୁ ୨, ଅଶ୍ୱଚାଳନାରୁ ୨ ଓ ସ୍କ୍ଵାସ୍‌, ସେଲିଂ, ବ୍ୟାଡମିଣ୍ଟନ, ହକି, କବାଡ଼ି ଓ କୁରାସରୁ ଗୋଟିଏ ଲେଖାଏଁ ରୌପ୍ୟ ପଦକ ହାସଲ କରିଛି। ଅନ୍ୟ ପକ୍ଷରେ ସ୍କ୍ଵାସ ଓ ଉଷୁରୁ ସର୍ବାଧିକ ଚାରିଟି ଲେଖାଏଁ କାଂସ୍ୟ ପଦକ ହାସଲ କରିଛି। ବନ୍ଧୁକ ଚାଳନାରୁ ଦ୍ୱିତୀୟ ସର୍ବାଧିକ ତିନିଟି ଓ ବ୍ରିଜ୍‌, ଦୌଡ଼କୁଦ, ନୌଚାଳନା, ଟେବୁଲ ଟେନିସ୍‌ ଓ ଟେନିସରୁ ଦୁଇଟି ଲେଖାଏଁ କାଂସ୍ୟ ପଦକ ଜିତିଥିଲା। କୁସ୍ତି, ମୁଷ୍ଟିଯୁଦ୍ଧ, ବ୍ୟାଡ୍‌ମିଣ୍ଟନ, ହକି, କବାଡି, ସିପକଟାକ୍ର ଓ କୁରାସରୁ ଗୋଟିଏ ଲେଖାଏଁ କାଂସ୍ୟ ପଦକ ମିଳିଛି।

JAKARTA, INDONESIA – AUGUST 24: Gold 

ଜାପାନର ରିକୋକୋ ଶ୍ରେଷ୍ଠ ଖେଳାଳି
ଜାପାନର ୧୮ ବର୍ଷୀୟା ମହିଳା ସନ୍ତରକ ରିକାକୋ ଇକି ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଛନ୍ତି। ଏଭଳି ସଫଳତା ଲାଭ କରିବାରେ ସେ ପ୍ରଥମ ମହିଳା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଚଳିତ ଏସୀୟ କ୍ରୀଡ଼ାରେ ସେ ୬ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତିବା ସହ ଦୁଇଟି ଦଳଗତ ରୌପ୍ୟ ହାସଲ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.