ଚେନ୍ନାଇକୁ ହରାଇ ରାଜସ୍ଥାନ ଉଜ୍ଜୀବିତ

ଜୟପୁର: ଆଇପିଏଲ୍‌-୧୧ର ୪୩ତମ ମ୍ୟାଚ୍‌ରେ ଦୁଇ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍‌ସକୁ ହରାଇ ରାଜସ୍ଥାନ ରୟାଲ୍‌ସ ଆଶା ଉଜ୍ଜୀବିତ କରିଛି। ଅଜିଙ୍କ୍ୟ ରାହାଣେଙ୍କ ଦଳ ୧୧ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇଥିବା ବେଳେ ଚେନ୍ନାଇ ସମାନ ସଂଖ୍ୟକ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଛି। କର୍କଟ ରୋଗ ପାଇଁ ସଚେତନତା ସୃଷ୍ଟି ଲାଗି ଗୋଲାପୀ ପୋଷାକରେ ଖେଳିଥିବା ରାଜସ୍ଥାନ ମଧ୍ୟ ବିଜୟୀ ହୋଇ ମଧୁର ଅନୁଭବ ପାଇଛି। ଇଂଲିସ୍‌ ତାରକା ଜୋସ୍‌ ବଟଲର୍‌ (୯୫*, ୬୦ ବଲ୍‌, ୧୧ ଚୌକା, ୨ ଛକା)ଙ୍କ ପାଇଁ ରାଜସ୍ଥାନ ଏହି ଚମକପ୍ରଦ ବିଜୟ ପାଇଛି। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଛି। ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ସେନ୍‌ ଓ୍ଵାଟ୍‌ସନ୍‌ ଏବଂ ଅମ୍ବାତି ରାୟୁଡୁ ପ୍ରଥମ ଦୁଇ ଓଭରରେ ୧୯ ରନ୍‌ ଆଦାୟ କରିଥିଲେ। ରାୟୁଡୁ (୧୨, ୯ ବଲ୍‌, ୨ ଚୌକା)ଙ୍କୁ େଓ୍ଵଷ୍ଟଇଣ୍ଡିଆନ୍‌ ଦ୍ରୁତ ବୋଲର ଜୋଫ୍ରା ଆର୍ଚର୍‌ ବୋଲ୍‌ଡ କରି ପ୍ରଥମ ସଫଳତା ପାଇଥିଲେ। ଏହା ପରେ ସେନ୍‌ ଓ୍ଵାଟ୍‌ସନ୍‌ଙ୍କ ସହ ଯୋଗ ଦେଇଥିବା ସୁରେଶ ରାଇନା ଆକର୍ଷଣୀୟ ଅର୍ଧଶତକ ହାସଲ କରିଥିଲେ। ୩୨ ବଲ୍‌ରୁ ୫୦ ରନ୍‌ ଟପିବା ପରେ କିନ୍ତୁ ନ୍ୟୁଜିଲାଣ୍ଡ୍‌ ସ୍ପିନର୍‌ ଈଶ ସୋଢ଼ୀଙ୍କ ବୋଲିଂରେ ଷ୍ଟୁଆର୍ଟ ବିନ୍ନିଙ୍କୁ ସର୍ଟ ଫାଇନ୍‌ରେ କ୍ୟାଚ୍‌ ଦେଇ ଫେରିଯାଇଥିଲେ। ରାଇନାଙ୍କ ୩୫ ବଲ୍‌ ୫୨ ରନ୍‌ ପାଳିରେ ୬ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଏହାର ପୂର୍ବ ଓଭରରେ ସେନ୍‌ ଓ୍ଵାଟ୍‌ସନ୍‌ (୩୯, ୩୧ ବଲ୍‌, ୨ ଚୌକା, ୨ ଛକା)ଙ୍କୁ ଜୋଫ୍ରା ଆର୍ଚର ନିଜର ଦ୍ୱିତୀୟ ଶିକାର କରି ସାରିଥିଲେ। ୧୧.୧ ଓଭରରେ ୧୦୦ ରନ୍‌ରେ ପହଞ୍ଚିଥିବା ଚେନ୍ନାଇ ସମ୍ଭାବ୍ୟ ୨୦୦ରେ ପହଞ୍ଚିଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବେନ୍‌ ଷ୍ଟୋକ୍‌ସ (୪-୦-୩୧-୦) ଏବଂ ଈଶ ସୋଢ଼ୀ (୪-୦-୨୯-୧) ନିୟନ୍ତ୍ରିତ ବୋଲିଂ କରିବାରୁ ଚେନ୍ନାଇ ହାତଖୋଲା ସଟ୍‌ ଖେଳିପାରିନଥିଲା। ଶେଷ ଭାଗରେ ମହେନ୍ଦ୍ର ସିଂହ ଧୋନି (୩୩*, ୨୩ ବଲ୍‌, ୧ ଚୌକା, ୧ ଛକା) ଏବଂ ସାମ୍‌ ବିଲିଙ୍ଗ୍‌ସ (୨୭, ୨୨ ବଲ୍‌, ୩ ଚୌକା) ଭଲ ଖେଳିଥିଲେ ମଧ୍ୟ ଆଶାଜନକ ବିସ୍ଫୋରଣ କରିପାରିନଥିଲେ। ଜୋଫ୍ରା ଆର୍ଚର ସଫଳ ବୋଲର ଭାବେ ୨ ଓ୍ଵିକେଟ୍‌ ନେଇଥିଲେ ମଧ୍ୟ ସର୍ବାଧିକ ୪୨ ରନ୍‌ ବ୍ୟୟ କରିଥିଲେ। ୧୭୭ ରନ୍‌ ବିଜୟ ଲକ୍ଷ୍ୟରେ ଖେଳିଥିବା ରାଜସ୍ଥାନ ରୟାଲ୍‌ସ ବ୍ୟାଟିଂ ପଦୋନ୍ନତି ସହ ଆସିଥିବା ବେନ୍‌ ଷ୍ଟୋକ୍‌ସ (୧୧, ୭ ବଲ୍‌, ୧ ଚୌକା, ୧ ଛକା)ଙ୍କୁ ସଅଳ ହରାଇଥିଲା। ପାଳିର ପ୍ରଥମ ଓଭର ବୋଲିଂ କରିଥିବା ଇଂଲଣ୍ଡର ଡେଭିଡ୍‌ ଓ୍ଵିଲିଙ୍କୁ ନିଜ ଦେଶର ଜୋସ୍‌ ବଟଲର୍‌ ହ୍ୟାଟ୍ରିକ୍‌ ଚୌକା ମାରି ଅଭିଯାନ ଆରମ୍ଭ କରିଥିଲେ। ୪ ଓଭରରେ ଦଳ ୪୮ ରନ୍‌ ସଂଗ୍ରହ କରି ନେଇଥିଲା। କିନ୍ତୁ ପରବର୍ତୀ ୨ ଓଭରରେ ମାତ୍ର ୯ ରନ୍‌ ଯୋଡ଼ି ପାଓ୍ଵାର ପ୍ଲେ ଶେଷ ବେଳକୁ ୫୭/୨ରେ ପହଞ୍ଚିଥିଲା। ଗୋଟିଏ ପଟେ ଜୋସ୍‌ ବଟଲର୍‌ ଶେଷ ପର୍ଯ୍ୟନ୍ତ ଲଢ଼ି ଏକା ଏକା ମ୍ୟାଚ୍‌ ଜିତାଇଥିଲେ। ମଝିରେ ସଂଜୁ ସାମ୍‌ସନ୍‌ (୨୧, ୨୨ ବଲ୍‌) ଏବଂ ଷ୍ଟୁଆର୍ଟ ବିନ୍ନି (୨୨, ୧୭ ବଲ୍‌) କିଛିଟା ଅବଦାନ ଦେଇଥିଲେ। କିନ୍ତୁ ଶେଷ ୩ ଓଭରରୁ ୩୮ ରନ୍‌ ଆବଶ୍ୟକ ପଡ଼ିଥିବା ବେଳେ କ୍ରିଷ୍ଣାପ୍ପା ଗୌତମ ୨ ଛକା ବଳରେ ୪ ବଲ୍‌ରୁ ୧୩ ରନ୍‌ କରିବା ନିର୍ଣ୍ଣାୟକ ହୋଇଥିଲା। ତଥାପି ଶେଷ ଓଭରରୁ ୧୨ ରନ୍‌ ଆବଶ୍ୟକ ପଡ଼ିଥିଲା। ବଟ୍‌ଲର୍‌ ବ୍ରାଭୋଙ୍କ ଚତୁର୍ଥ ବଲ୍‌କୁ ଛକା ମାରିବା ପରେ ବିଜୟ ସହଜ ହୋଇଯାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ଚେନ୍ନାଇ ସୁପର୍‌ କିଙ୍ଗ୍‌ସ: ୨୦ ଓଭରରେ ୧୭୬/୪ (ସୁରେଶ ରାଇନା-୫୨, ସେନ୍‌ ଓ୍ଵାଟ୍‌ସନ୍‌-୩୯, ମହେନ୍ଦ୍ର ସିଂହ ଧୋନି-୩୩*, ସାମ୍‌ ବିଲିଙ୍ଗ୍‌ସ-୨୭, ଜୋଫ୍ରା ଆର୍ଚର୍‌-୨/୪୨, ଈଶ ସୋଢ଼ୀ-୧/୨୯)। ରାଜସ୍ଥାନ ରୟାଲ୍‌ସ: ୧୯.୫ ଓଭରରେ ୧୭୭/୬ (ଜୋସ୍‌ ବଟଲର୍‌-୯୫*, ଷ୍ଟୁଆର୍ଟ ବିନ୍ନି-୨୨, ସଂଜୁ ସାମ୍‌ସନ୍‌-୨୧, ସାର୍ଦୁଲ ଠାକୁର-୧/୨୨, ରବୀନ୍ଦ୍ର ଜାଦେଜା-୧/୨୮, ହଭରଜନ ସିଂହ-୧/୨୯, ଡ୍ଵାନ୍‌ ବ୍ରାଭୋ-୧/୩୧, ଡେଭିଡ୍‌ ଓ୍ଵିଲି-୧/୪୭ )।

ସମ୍ବନ୍ଧିତ ଖବର