ମୁମ୍ବାଇ ପଞ୍ଝାରୁ ବିଜୟ ଛଡ଼ାଇ ନେଲା ରାଜସ୍ଥାନ

ଜୟପୁର : ରବିବାର ରାତିରେ ଖେଳା ଯାଇଥିବା ଆଇପିଏଲ୍‌-୧୧ର ୨୧ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ନାଟକୀୟ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରିଛି। ମୁମ୍ବାଇ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଏକଦା ସଙ୍କଟରେ ପଡ଼ିଥିବା ରାଜସ୍ଥାନ ଶେଷ ଆଡ଼କୁ ଦମଦାର ପ୍ରଦର୍ଶନ କରି ପ୍ରତୀକ୍ଷିତ ବିଜୟ ପାଇଛି। ୧୯.୪ ଓଭରରେ ୭ ଓ୍ଵିକେଟ୍‌ ହରାଇ ଲକ୍ଷ୍ୟ ପୂରଣ କରିବା ସହ ଆଉ ଏକ ସ୍ମରଣୀୟ ବିଜୟ ହାସଲ କରିଛିା। ଗତବର୍ଷ ବିଜେତା ମୁମ୍ବାଇ ଆଜି ଚତୁର୍ଥ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇଥିଲା। ରାଜସ୍ଥାନ ରବିବାର ମାତ୍ର ୩୮ ରନ୍‌ରେ ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୪) ଏବଂ ରାହୁଲ ତ୍ରିପାଠୀ (୯)ଙ୍କୁ ହରାଇଥିଲା। ଏହା ପରେ ସଞ୍ଜୁ ସାମ୍‌ସନ୍‌ (୫୨) ଓ ବେନ୍‌ ଷ୍ଟୋକ୍ସ (୪୦) ପାଳିକୁ ଆଗେଇ ନେଇଥିଲେ। ରାଜସ୍ଥାନ ଧିରେ ଧିରେ ବିଜୟର ନିକଟତର ହେଉଥିଲା ବେଳେ ଷ୍ଟୋକ୍ସଙ୍କୁ ବୋଲ୍ଡ କରି ହାର୍ଦିକ ପାଣ୍ଡ୍ୟା ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ସେହିଭଳି ଯସ୍‌ପ୍ରୀତ ବୁମରା ଗୋଟିଏ ଓଭରରେ ସାମସନ୍‌ ଓ ଜୋସ୍‌ ବଟଲର (୬)ଙ୍କୁ ଆଉଟ୍‌ କରି ମୁମ୍ବାଇକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ରନ୍‌ ହାର ଦ୍ରୁତ ଗତିରେ ବଢ଼ି ଚାଲିଥିଲା ବେଳେ ରାଜସ୍ଥାନର ଖେଳ ସେହିଠାରେ ଖତମ ହୋଇଗଲା ଭଳି ମନେ ହୋଇଥିଲା। ହେଲେ ଅଷ୍ଟମ ସ୍ଥାନରେ ଆସିଥିବା କର୍ଣ୍ଣାଟକ ତାରକା କୃଷ୍ଣପ୍ପା ଗୌତମ (୩୩* ରନ୍‌, ୧୧ ବଲ୍‌, ୪ ଚୌକା, ୨ ଛକା) ଅବିଶ୍ୱସନୀୟ ବ୍ୟାଟିଂ କରି ସବୁ କିଛି ଓଲଟ ପାଲଟ କରି ଦେଇଥିଲେ। ନିଜ ପ୍ରଥମ ୩ ଓଭରରେ ମାତ୍ର ୧୦ ରନ୍‌ ଦେଇଥିବା ବୁମ୍‌ରାଙ୍କ ଚତୁର୍ଥ ତଥା ପାଳିର ଊନ୍ନବିଂଶ ଓଭରରୁ ୧୮ ରନ୍‌ ନେଇ ସେ ରାଜସ୍ଥାନ ଆଶା ଦେଇଥିଲେ। ସେଥିପାଇଁ ଶେଷ ଓଭରରୁ ବିଜୟ ପାଇଁ ୧୦ ରନ୍‌ର ଦରକାର ଥିଲା। ଏହାର ଦ୍ୱିତୀୟ ବଲ୍‌କୁ ଚୌକା ଏବଂ ଚତୁର୍ଥକୁ ଛକା ମାରି ସେ ହିଁ ବିଜୟ ମୁଣ୍ଡି ମାରିଥିଲେ।

ଏହା ପୂର୍ବରୁ ମୁମ୍ବାଇ ପାଳିର ଶେଷ ୬ ଓଭରରେ ରାଜସ୍ଥାନର ପ୍ରତ୍ୟାବର୍ତନ ଥିଲା ଦେଖିଲା ଭଳି। ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କ ବେପରୁଆ ବ୍ୟାଟିଂ ହିଁ ଥିଲା ଏହାର କାରଣ। ଅନ୍ତିମ ୩୫ ବଲ୍‌ରେ ରାଜସ୍ଥାନ ବୋଲରମାନେ ମାତ୍ର ୩୭ ରନ୍‌ ବ୍ୟୟ କରି ମୁମ୍ବାଇର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ପରେ ଯାହା ମୁମ୍ବାଇ ପରାଜୟର ପ୍ରମୁଖ କାରଣ ହୋଇଥିଲା। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ମାତ୍ର ୧ ରନ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଏଭିନ ଲୁଇସ୍‌ (୦)ଙ୍କୁ ହରାଇଥିଲା। ହେଲେ ଦୁଇ ଯୁବ ତାରକା ସୂର୍ଯ୍ୟ କୁମାର ଯାଦବ (୭୨ ରନ୍‌, ୪୭ ବଲ୍‌, ୬ ଚୌକା, ୩ ଛକା) ଓ ଈଶାନ କିଶନ (୫୮ ରନ୍‌, ୪୨ ବଲ୍‌, ୪ ଚୌକା, ୩ ଛକା) ଦ୍ୱିତୀୟ ଓ୍ଵିକେଟ୍‌ରେ ୧୨୯ ରନ୍‌ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ହେଲେ ସେମାନେ ପକାଇଥିବା ଦୃଢ଼ ମୁଳଦୁଆର ଲାଭ ମୁମ୍ବାଇର ପରବର୍ତୀ ବ୍ୟାଟ୍ସମ୍ୟାନ୍‌ ଉଠାଇ ପାରି ନଥିଲେ। ସୂର୍ଯ୍ୟ ଏବଂ ଈଶାନ ୫ ରନ୍‌ ଭିତରେ ଆଉଟ୍‌ ହେବା ଏବଂ ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ରନ୍‌ ଆଉଟ୍‌ ହୋଇଯିବା ମୁମ୍ବାଇ ପାଇଁ କାଳ ହୋଇଥିଲା। ପ୍ରଥମ ମ୍ୟାଚ୍‌ ଖେଳୁଥିବା ରାଜସ୍ଥାନର େଓ୍ଵଷ୍ଟଇଣ୍ଡୀୟ ବୋଲର ଜୋଫ୍ରା ଆର୍ଚର (୪-୦-୨୨-୩) ଗୋଟିଏ ଓଭରରେ ଦୁଇଟି ଓ୍ଵିକେଟ୍‌ ସହ ମୋଟ ତିନିଟି ଓ୍ଵିକେଟ୍‌ ନେଇ ମୁମ୍ବାଇ ରନ୍‌ ସଂଗ୍ରହ ହାରକୁ ଏକବାର କମାଇ ଦେଇଥିଲେ। ସେଥିପାଇଁ ମୁମ୍ବାଇ ବଡ଼ ସ୍କୋର କରି ପାରି ନଥିଲା। ଶାଣିତ ବୋଲିଂ ପାଇଁ ଆର୍ଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୭/୭ (ସୂର୍ଯ୍ୟ କୁମାର ଯାଦବ ୭୨, ଈଶାନ କିଶନ ୫୮, କିରଣ ପୋଲାର୍ଡ ୨୧, ଜୋଫ୍ରା ଆର୍ଚର ୩/୨୨, ଧଓ୍ଵଲ କୁଲକର୍ଣ୍ଣି ୨/୨୨)। ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୧୬୮/୭ (ସଞ୍ଜୁ ସାମସନ୍‌ ୫୨, ବେନ୍‌ ଷ୍ଟୋକ୍ସ ୪୦, କୃଷ୍ଣପ୍ପା ଗୌତମ ୩୩*, ଯସ୍‌ପ୍ରୀତ ବୁମରା ୨/୨୮, ହାର୍ଦିକ ପାଣ୍ଡ୍ୟା ୨/୨୫)।

ସମ୍ବନ୍ଧିତ ଖବର