ଆଇପିଏଲ ୨୦୧୮ : ୧୫ ରନରେ ଜିତିଲା ରାଜସ୍ଥାନ

ଜୟପୁର: ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍ସ କିଙ୍ଗସ ଇଲେଭେନ ପଂଜାବକୁ ୧୫  ରନରେ ପରାସ୍ତ କରିଛି । ରାଜସ୍ଥାନର ୧୫୮ ରନ ଜବାବରେ ପଞ୍ଜାବ ୨୦ ଓଭରରେ ୭ ୱିକେଟ ହରାଇ  ମାତ୍ର୧୪୫ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ପଞ୍ଜାବ ଇନିଙ୍ଗସର ମୁଖ୍ୟ ଆକର୍ଷଣ ଥିଲା ଲୋକେଶ ରାହୁଲଙ୍କ ୭୦ ବଲରେ ଆକର୍ଷଣୀୟ ୯୫ ରନ । କିନ୍ତୁ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କୌଣସି କରାମତି ଦେଖାଇପାରି ନଥିଲେ । ଗୋଟିଏ ପଟେ ରାହୁଲ ଛିଡ଼ା ହୋଇଥିବାବେଳେ ଅନ୍ୟ ପଟେ ୱିକେଟର ପତନ ଅବ୍ୟାହତ ରହିଥିଲା ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୫୮ ରନ ସଂଗ୍ରହ କରିଥିଲା । ରାଜସ୍ଥାନ ତରଫରୁ ଜସ ବଟଲର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୮ ବଲରେ ୯ ଚୌକା ଓ ୧ ଛକା ସହ ୮୨ ରନ କରିଥିଲେ । ତେବେ ତାଙ୍କ ଛଡା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆବଶ୍ୟକ ଯୋଗଦାନ ଦେଇପାରିନଥିଲେ । ତେବେ ଦଳ ୮ ଓିକେଟ ହରାଇ ୧୫୮ ରନ କରିବାକୁ ସକ୍ଷମ ହୋଇଥିଲା । ପଂଜାବ ତରଫରୁ ଆଣ୍ଡ୍ରିଉ ଟାଇ ୩୪ ରନ ଦେଇ ୪ଟି ୱିକେଟ ନେଇଥିଲେ । ମୁଜିବୁର ରେହମାନ ମଧ୍ୟ ୨୧ ରନ ଦେଇ ୨ଟି ୱିକେଟ ନେଇଥିଲେ ।

ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚଳିତ ବର୍ଷର ଆଇପିଏଲରେ ବଜାୟ ରହିବାକୁ ଏହା ହେଉଛି ରାଜସ୍ଥାନ ରୟାଲ୍ସ ପାଇଁ ଶେଷ ସୁଯୋଗ ଥିଲା ।  ଦଳରେ ବେନ ଷ୍ଟୋକ୍ସ, ଜସ ବଟଲର,ଜୋଫ୍ରା ଆର୍ଚର ଓ ଜୟଦେବ ଉନାଡକଟ ପରି ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ବିଶେଷ ସଫଳତା ପାଇପାରିନାହିଁ । କିନ୍ତୁ ଆଜିର ବିଜୟ ପରେ ଦଳ ନିଜର ଆଶାକୁ ବଜାର ରଖିଛି ।  ଆଜି ମ୍ୟାଚକୁ ମିଶାଇ ରାଜସ୍ଥାନ ୧୦ଟି ମ୍ୟାଚ ଖେଳି  ୪ଟି ବିଜୟ ଓ ୬ଟି ପରାଜୟ ସହିତ ମୋଟ ୮ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ପଂଜାବ ସମାନ ସଂଖ୍ୟକ ମ୍ୟାଚ ଖେଳି ୬ଟି ବିଜୟ ଓ ୪ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର