ରାଜସ୍ଥାନର ପ୍ରଥମ ବିଜୟ, ଦିଲ୍ଲୀର ଦ୍ୱିତୀୟ ପରାଜୟ

ଜୟପୁର: ଦୁଇ ବର୍ଷର ବ୍ୟବଧାନ ପରେ ଫେରିଥିବା ରାଜସ୍ଥାନ ରୟାଲ୍ସ ବୁଧବାର ଆଇପିଏଲ୍‌-୧୧ରେ ପ୍ରଥମ ବିଜୟ ହାସଲ କରିଛି। ଆଜିର ବର୍ଷା ପ୍ରଭାବିତ ମ୍ୟାଚ୍‌କୁ ୧୦ ରନ୍‌ରେ ଜିତି ନେଇ ଖାତା ଖୋଲିଛି। ଅନ୍ୟ ପକ୍ଷରେ ପ୍ରତିପକ୍ଷ ଦିଲ୍ଲୀ ଡେୟାର ଡେଭିଲ୍ସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ରାଜସ୍ଥାନ ୧୭.୩ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା ବେଳେ ବର୍ଷା ହୋଇଥିଲା। ଫଳରେ ଦିଲ୍ଲୀ ସମ୍ମୁଖରେ ଡକଓ୍ଵର୍ଥ/ଲୁଇସ ନିୟମ ଅନୁସାରେ ୬ ଓଭରରୁ ୭୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦିଲ୍ଲୀ ଆରମ୍ଭରୁ ଦିଗ ହରାଇ ନିର୍ଧାରିତ ୬ ଓଭରରେ ୪ ଓ୍ଵିକେଟ୍‌ ବିନିମୟରେ ୬୦ ରନ୍‌ କରି ପାରିଥିଲା।

ସ୍ଥାନୀୟ ସବାଇ ମାନ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଲଗାଣ ବର୍ଷା ପାଇଁ ଅଧାରୁ ବାତିଲ ହୋଇଯିବାର ଆଶଙ୍କା ଦେଖା ଦେଇଥିଲା। ରାତି ୯ଟା ୨୩ରୁ ଆରମ୍ଭ ହୋଇଥିବା ବର୍ଷା ପାଖା ପାଖି ଦୁଇ ଘଣ୍ଟା ୨୫ ମିନିଟ୍‌ ପରେ ପୂରା ଛାଡ଼ିଯିବାରୁ ସୌଭାଗ୍ୟବଶତଃ ଏକ ୬ ଓଭରିଆ ମ୍ୟାଚ୍‌ ଖେଳା ଯାଇଥିଲା। ବୁଧବାର ନିର୍ଧାରିତ ସମୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଟସ୍‌ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରାଜସ୍ଥାନ ମାତ୍ର ୧୧ ରନ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡାର୍କି ସଟ୍‌ଙ୍କୁ ହରାଇଥିଲା। ତେବେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ୪୫ ଏବଂ ଯୁବ ତାରକା ସଞ୍ଜୁ ସାମସନ (୩୭)ଙ୍କ ଦ୍ରୁତ ୩୭ ରନ୍‌ ବଳରେ ୧୭.୩ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୫୩ ରନ୍‌ କରି ନେଇଥିଲା। ଫଳରେ ଏକ ସମ୍ମାନ ଜନକ ସ୍କୋର କରିବାର ସ୍ଥିତିରେ ଥିଲା। ତେବେ ଏହା ପରେ ବର୍ଷା ଏକପ୍ରକାର ଲୁଚକାଳି ଖେଳ ଖେଳିଥିଲା। କିଛି ସମୟ ପାଇଁ ଛାଡ଼ି ପୁଣି ଥରେ ଆରମ୍ଭ ହୋଇ ଯାଉଥିଲା। ତଥାପି ୯.୨୩ରୁ ଆରମ୍ଭ ହୋଇଥିବା ବର୍ଷା ୧୧.୪୫ରେ ଛାଡ଼ିଯିବାରୁ ଦିଲ୍ଲୀ ସମ୍ମୁଖରେ ୬ ଓଭରରୁ ୭୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୧୭.୩ ଓଭରରେ ୧୫୩/୫ ( ଅଜିଙ୍କ୍ୟ ରାହାଣେ ୪୫, ସଞ୍ଜୁ ସାମସନ ୩୭, ସାହାବାଜ ନଦିମ ୨/୩୪)। ଦିଲ୍ଲୀ ୬ ଓଭରରେ ୬୦/୪ (ପୁନଃ ନିର୍ଧାରିତ ଲକ୍ଷ୍ୟ ୬ ଓଭରରୁ ୭୧, ଋଷବ ପନ୍ତ ୨୦, କ୍ରିସ୍‌ ମୋରିସ୍‌ ୧୭*, ବେନ୍‌ ଲାଫଲିନ୍‌ ୨/୨୦)।

ସମ୍ବନ୍ଧିତ ଖବର