ବାଙ୍ଗାଲୋରକୁ ବିଦା କଲା ରାଜସ୍ଥାନ

ଜୟପୁର: କର ବା ମର ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି କିଛି କରି ପାରିଲେନି। ଦଳକୁ ଯେତେବେଳେ ତାଙ୍କର ସବୁଠୁ ଅଧିକ ଦରକାର ଥିଲା ସେତିକି ବେଳେ ହିଁ ସେ ବିଫଳ ହେଲେ। କହିବାକୁ ଗଲେ କୋହଲି ଶନିବାର ନିଜ ହାତରେ ହିଁ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ବହୁମୂଲ୍ୟ ବିଜୟ ଉପହାର ଦେଲେ। ଶନିବାର କୋହଲି ମାତ୍ର ୪ ରନ୍‌ରେ ପ୍ୟାଭିଲିୟନ ଫେରିବା ସହ ଅପ୍ରତ୍ୟାଶିତ ଭାବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହେଲେନି। ଫଳରେ ଏବି ଡିଭିଲିୟର୍ସ (୫୩ ରନ୍‌, ୩୫ ବଲ୍‌, ୭ ଚୌକା) ଏବଂ ଓ୍ଵିକେଟ୍‌ ରକ୍ଷକ ପାର୍ଥିବ ପଟେଲ (୩୩ ରନ୍‌, ୨୧ ବଲ୍‌, ୩ ଚୌକା, ୨ ଛକା)ଙ୍କ ଦ୍ରୁତ ବ୍ୟାଟିଂ ସତ୍ତ୍ୱେ ଆର୍‌ସିବି ଆଜି ୧୬୫ ରନ୍‌ର ଅପେକ୍ଷାକୃତ ଛୋଟ ବିଜୟ ଲକ୍ଷ୍ୟକୁ ବି ହାସଲ କରି ପାରିଲାନି। ସେଥିପାଇଁ ଚର୍ତୁଦଶ ମ୍ୟାଚ୍‌ରୁ ଅଷ୍ଟମ ପରାଜୟ ବରଣ କରି ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା। ଏଥି ସହିତ ଦିଲ୍ଲୀ ଡେୟାର ଡେଭିଲ୍ସ ପରେ ଦ୍ୱିତୀୟ ଦଳ ଭାବେ ଆଇପିଏଲ-୧୧ରୁ ଆନୁଷ୍ଠାନିକ ଭାବେ ଦୁଃଖଦ ବିଦାୟ ନେଲା। ସେପଟେ ରାଜସ୍ଥାନ ତା’ ଯୁବ ବୋଲିଂ ବାହିନୀର ଘାତକ ବୋଲିଂ ବଳରେ ସେହି ଚର୍ତୁଦଶ ମ୍ୟାଚ୍‌ରୁ ସପ୍ତମ ବିଜୟ ହାସଲ କଲା। ଆର୍‌ସିବିକୁ ୧୯.୪ ଓଭରରେ ମାତ୍ର ୧୩୪ ରନ୍‌ରେ ଅଲଆଉଟ୍‌ କରି ୩୦ ରନ୍‌ର ବଡ଼ ବ୍ୟବଧାନରେ ମଧ୍ୟ ଜିତିଲା। ସେହିଭଳି ନିଜ ପ୍ଲେ ଅଫ୍‌ ଆଶାକୁ ମଧ୍ୟ ଉଜ୍ଜୀବିତ ରଖିଲା। ତେବେ ବଡ଼ ବିଜୟରେ ଅଭିଯାନ ଶେଷ କରିଥିଲେ ସୁଦ୍ଧା ରାଜସ୍ଥାନକୁ ପ୍ଲେ ଅଫ୍‌ ପ୍ରବେଶ ପାଇଁ ଏବେ ଅନ୍ୟ ଦଳଗୁଡ଼ିକର ପ୍ରଦର୍ଶନ ଉପରେ ନିର୍ଭର କରିବ। କାରଣ ଚଳିତ ଆଇପିଏଲ୍‌ରେ ଏକାଧିକ ଦଳ ୧୪ ପଏଣ୍ଟରେ ନିଜ ନିଜର ଲିଗ୍‌ ଅଭିଯାନ ଶେଷ କରିବାର ସମ୍ଭାବନା ଅଧିକ। ରାଜସ୍ଥାନ ସଂପ୍ରତି ଶ୍ରେଷ୍ଠ ୫ ଦଳ ମଧ୍ୟରେ ରହିଛି। ତଥାପି ବିଯୁକ୍ତାତ୍ମକ ରନ୍‌ ହାର (-୦.୨୭୩) ଏହି ଦଳର ପ୍ଲେ ଅଫ୍‌ ଟିକେଟ ହାସଲରେ ବାଧକ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି।

ଆର୍‌ସିବି ଶନିବାର ୨୦ ରନ୍‌ରେ କୋହଲିଙ୍କୁ ହରାଇଥିଲା। ତେବେ ଦ୍ୱିତୀୟ ଓ୍ଵିକେଟ୍‌ରେ ପାର୍ଥିବ ଓ ଡିଭିଲିୟର୍ସ ୫୫ ରନ୍‌ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ପାର୍ଥିବ ନବମ ଓଭରର ତୃତୀୟ ବଲ୍‌ରେ ଆଉଟ୍‌ ହେବା ପରେ ସେହି ଓଭରର ଶେଷ ବଲ୍‌ରେ ମୋଇନ ଅଲ୍ଲୀଙ୍କୁ ହରାଇ ଆର୍‌ସିବି ସଙ୍କଟରେ ପଡ଼ିଥିଲା। ଏହାପରେ ସବୁ କିଛି ଡିଭିଲିୟର୍ସଙ୍କ ଉପରେ ନିର୍ଭର କରୁଥିଲା। ହେଲେ ବିପଜ୍ଜନକ ଡିଭିଲିୟର୍ସଙ୍କୁ ଶ୍ରେୟସ୍‌ ଗୋପାଳ ନିଜ ଚତୁର ବୋଲିଂରେ ଚକ୍‌ମା ଦେଇ ଓ୍ଵିକେଟ୍‌ ରକ୍ଷକ ହେନରିକ୍‌ କ୍ଲାସେନଙ୍କ ହାତରେ ଷ୍ଟମ୍ପିଂ କରାଇବା ପରେ ଆର୍‌ସିବି ପାଳି ଏକପ୍ରକାର ଭୁଶୁଡ଼ି ଯାଇଥିଲା। ଷୋଡ଼ଶ ଓଭରର ପ୍ରଥମ ଓ ଦ୍ୱିତୀୟ ବଲ୍‌ରେ ଲଗାତାର ଦୁଇଟି ଓ୍ଵିକେଟ୍‌ ହରାଇବା ସହ ଆର୍‌ସିବି ୪ ବଲ୍‌ ପୂର୍ବରୁ ସମସ୍ତ ୧୦ ଓ୍ଵିକେଟ୍‌ ହରାଇ ମାତ୍ର ୧୩୪ ରନ୍‌ କରି ପାରିଥିଲା।
କୋହଲିଙ୍କୁ ବୋଲ୍ଡ କରି କ୍ରିଷ୍ଣପ୍ପା ଗୌତମ ଆର୍‌ସିବିକୁ ସବୁଠାରୁ ବଡ଼ ଝଟ୍‌କା ଦେଇଥିଲେ। ହେଲେ ୧୬ ରନ୍‌ ଦେଇ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିବା ଗୋପାଳଙ୍କ ସହ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରାହୁଲ ତ୍ରିପାଠୀ (୮୦ *ରନ୍‌, ୫୮ ବଲ୍‌, ୫ ଚୌକା, ୩ ଛକା) ରାଜସ୍ଥାନ ବିଜୟର ନାୟକ ଥିଲେ। ରାହୁଲଙ୍କ ଧମାକାଦାର ଓ ଅପରାଜିତ ପାଳି ବଳରେ ହିଁ ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ର ସମ୍ମାନଜନକ ସ୍କୋର କରି ପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ୩୩ (୩୧ ବଲ୍‌, ୩ ଚୌକା) ଓ କ୍ଲାସେନ୍‌ ଦ୍ରୁତ ୩୨ (୨୧ ବଲ୍‌, ୩ ଚୌକା, ୧ ଛକା) ରନ୍‌ କରିଥିଲେ। ଗୋପାଳଙ୍କୁ ତାଙ୍କ ଯାଦୁକରୀ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୬୪/୫ (ରାହୁଲ ତ୍ରିପାଠୀ ୮୦*, ଅଜିଙ୍କ୍ୟ ରାହାଣେ ୩୩, ହେନରିକ୍‌ କ୍ଲାସେନ ୩୨, ଉମେଶ ଯାଦବ ୩/୨୫)। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୯.୨ ଓଭରରେ ୧୩୪ (ଏବି ଡିଭିଲିୟର୍ସ ୫୩, ପାର୍ଥିବ ପଟେଲ ୩୩, ଶ୍ରେୟସ୍‌ ଗୋପାଳ ୪/୧୬, ବେନ୍‌ ଲାଫଲିନ ୨/୧୫, ଜୟଦେବ ଉନାଦକଟ ୨/୨୭)।

ସମ୍ବନ୍ଧିତ ଖବର