ଏଲିମିନେଟରରେ ଆଜି ରାଜସ୍ଥାନ-କୋଲ୍‌କାତା 

କୋଲକାତା: ଚଳିତ ଆଇପିଏଲ୍‌ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ୍‌ ତାଲିକାର ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥିବା କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ବୁଧବାର ଏଲିମିନେଟର ମ୍ୟାଚ୍‌ ଖେଳାଯିବ। କୋଲ୍‌କାତାର ଇଡେନ ଗାର୍ଡେନ୍ସରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ପାଇଁ ଚଳିତ ବର୍ଷର ସବୁଠାରୁ ବଡ଼ ପରୀକ୍ଷା ହେବ। କାରଣ ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପର ବିପକ୍ଷରେ ଖେଳିଥିବା ଦୁଇଟି ଯାକ ମୁକାବିଲାରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିଜୟୀ ହୋଇଛି। ଗତମାସରେ ରାଜସ୍ଥାନକୁ କୋଲ୍‌କାତା ତା’ ଘରୋଇ ମାଟିରେ ଅର୍ଥାତ୍‌ ଜୟପୁରରେ ୭ ଓ୍ଵିକେଟରେ ପରାସ୍ତ କରିଥିଲା। ସେହିଭଳି ଗତ ସପ୍ତାହରେ ଇଡେନ୍‌ ଗାର୍ଡେନ୍ସ ଖେଳିଥିବା ଦ୍ୱିତୀୟ ମୁକାବିଲାକୁ ୬ ଓ୍ଵିକେଟ୍‌ରେ ଜିତି ନେଇଥିଲା। ଏପରିକି ଶେଷ ତିନିଟି ମ୍ୟାଚ୍‌ ଜିତି ହ୍ୟାଟ୍ରିକ୍‌ ବିଜୟ ସହ କୋଲ୍‌କାତା ଷଷ୍ଠ ଥର ପାଇଁ ପ୍ଲେ ଅଫରେ ପ୍ରବେଶ କରିଛି।

ପ୍ରତିଯୋଗିତାର ସର୍ବାଧିକ ଦଳଗତ ରନ୍‌ କରିବାଠାରୁ ଆରମ୍ଭ କରି ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ଲେ ଅଫ୍‌କୁ ଯିବା ପର୍ଯ୍ୟନ୍ତ କୋଲ୍‌କାତା ଏବର୍ଷ ଦୀନେଶ କାର୍ତିକଙ୍କ ନେତୃତ୍ୱରେ ଜବରଦସ୍ତ ପ୍ରଦର୍ଶନ କରି ଆସିଛି। ତା’ ଛଡ଼ା ବୁଧବାର ମ୍ୟାଚ୍‌ରେ କୋଲ୍‌କାତା ପାଖରେ ଘରୋଇ ମାଟିରେ ଖେଳିବାର ଅତିରିକ୍ତ ଲାଭ ମଧ୍ୟ ରହିବ। କାଗଜ କଲମରେ ମଧ୍ୟ ରାଜସ୍ଥାନଠାରୁ କୋଲ୍‌କାତା ଶକ୍ତିଶାଳୀ ମନେ ହୁଏ। କାରଣ ରାଜସ୍ଥାନ ତା’ର ଦୁଇ ତାରକା ଖେଳାଳି ଜୋସ୍‌ ବଟଲର ଓ ବେନ୍‌ ଷ୍ଟୋକ୍ସଙ୍କ ବିନା ଏହି ମ୍ୟାଚ୍‌ ଖେଳିବ। ସେଥିପାଇଁ ବୁଧବାର ମ୍ୟାଚ୍‌ରେ କୋଲ୍‌କାତା ପଲ୍ଲା ନିଶ୍ଚିତ ଭାବେ ଭାରି ରହିବ। ସୁନୀଲ ନରିନ, ପୀୟୂଷ ଚାଓ୍ଵଲା ଓ କୁଲଦୀପ ଯାଦବଙ୍କ ସ୍ପିନ୍‌ ବୋଲିଂ ସହ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଦୁର୍ବଳ ଫର୍ମ ମଧ୍ୟ ରାଜସ୍ଥାନ ପାଇଁ ଚିନ୍ତାର କାରଣ ହେବ। ସେପଟେ କୋଲ୍‌କାତା ଅଧିନାୟକ କାର୍ତିକ ଚମତ୍କାର ଫର୍ମରେ ଥିଲା ବେଳେ ଆନ୍ଦ୍ରେ ରସେଲ, ରବିନ ଉଥାପ୍ପା, କ୍ରିସ୍‌ ଲିନ୍‌ଙ୍କ ଭଳି ଖେଳାଳିଙ୍କ ଉପସ୍ଥିତି ଦଳର ବ୍ୟାଟିଂକୁ ସମୃଦ୍ଧ କରିଛି।

ସମ୍ବନ୍ଧିତ ଖବର