ରାଜିନ୍ଦର ହକି ଇଣ୍ଡିଆର ନୂଆ ସଭାପତି

ନୂଆଦିଲ୍ଲୀ: ରାଜିନ୍ଦର ସିଂହ ହକି ଇଣ୍ଡିଆର ନୂଆ ସଭାପତି ହେଲେ। ଶନିବାର ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ମାରିଆମ୍ମା କୋଶୀ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଜିନ୍ଦରଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ଡ. ନରିନ୍ଦର ଧ୍ରୁବ ବାତ୍ରା ଆନ୍ତର୍ଜାକିକ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ସଭାପତି ଭାବେ ନିର୍ବାଚିତ ହେବା ପରେ ହକି ଇଣ୍ଡିଆର ସଭାପତି ପଦ ଛାଡ଼ି ଦେଇଥିଲେ। ନରିନ୍ଦରଙ୍କ ସ୍ଥାନରେ ୨୦୧୬ ନଭେମ୍ବରରେପୂର୍ବତନ ରାଜ୍ୟସ୍ତରର ସେଣ୍ଟର ଫରଓ୍ଵାର୍ଡ ମହିଳା ଖେଳାଳି ମାରିଆମ୍ମା ସଭାପତି ନିଯୁକ୍ତ ହୋଇଥିଲେ। ହେଲେ ପ୍ରାୟ ଦେଢ଼ବର୍ଷ ପରେ ମାରିଆମ୍ମା ପଦତ୍ୟାଗ କରିଛନ୍ତି। ଫଳରେ ଶନିବାର ତାଙ୍କ ସ୍ଥାନରେ ରାଜିନ୍ଦରଙ୍କୁ ସଭାପତି ନିଯୁକ୍ତ କରାଯାଇଛି ବୋଲି ହକି ଇଣ୍ଡିଆ ଘୋଷଣା କରିଛି। ସଭାପତି ପଦରୁ ଇସ୍ତଫା ଦେଇଥିବା ମାରିଆମ୍ମା ପ୍ରାୟ ଦୁଇ ଦଶନ୍ଧୀ ଧରି ହକି ପ୍ରଶାସନ ସହ ବିଭିନ୍ନ ପଦପଦବିରେ ସଂପୃକ୍ତ ରହିଥିଲେ। ସଂଘର ପରିଚାଳନା କ୍ଷେତ୍ରରେ ତାଙ୍କର ମାର୍ଗଦର୍ଶନ ଏବଂ ଖେଳାଳି ଓ ପ୍ରଶାସକଙ୍କ ପାଇଁ ପ୍ରେରଣା ଭୁଲି ହେବନାହିଁ। ତେଣୁ ଭାରତୀୟ ହକିରେ ତାଙ୍କର ଅବଦାନ ପାଇଁ ଆମେ କୃତଜ୍ଞ ବୋଲି ହକି ଇଣ୍ଡିଆ ମହାସଚିବ ମହମ୍ମଦ ମୁସ୍ତାକ୍‌ ଅହମ୍ମଦ କହିବା ସାଙ୍ଗକୁ ମାରିଆମ୍ମାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

ସମ୍ବନ୍ଧିତ ଖବର