ରାଜେଶଙ୍କୁ ୫ ଓ୍ଵିକେଟ୍‌; ଝାଡ଼ଖଣ୍ଡ ୯/୨୨୭

କୁଚ୍‌ ବେହାର ଟ୍ରଫି: ସୁଯୋଗ ହରାଇଲା ଓଡ଼ିଶା

ବରଗଡ଼: ବିକାଶ ପଡ଼ିଆରେ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ୧୯ ବର୍ଷରୁ କମ୍‌ କୁଚ୍‌ ବେହାର ଟ୍ରଫିର ଗ୍ରପ୍‌-ଏ ଲିଗ୍‌ ମ୍ୟାଚ୍‌ ରବିବାରଠୁ ଆରମ୍ଭ ହୋଇଛି। ଟସ୍‌ ଜିଣି ଓଡ଼ିଶା ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ବୋଲରମାନେ ଯଥାର୍ଥ ପ୍ରମାଣିତ କରିଥିଲେ। ସବୁଜ ପିଚ୍‌ ଏବଂ ସକାଳୁଆ ପରିବେଶରୁ ଓଡ଼ିଶା ବୋଲର୍‌ମାନେ ଭଲ ଫାଇଦା ଉଠାଇଥିଲେ। ବିଶେଷକରି ରାଜେଶ ମହାନ୍ତି ୫ ଓ୍ଵିକେଟ୍‌ ନେଇ ଝାଡ଼ଖଣ୍ଡକୁ ଅଡୁଆରେ ପକାଇଥିଲେ। ରାଜେଶଙ୍କ ଘାତକ ବୋଲିଂ ଯୋଗୁଁ ଝାଡ଼ଖଣ୍ଡ ପ୍ରଥମ ଦିନ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୯ ଓ୍ଵିକେଟ୍‌ ହରାଇ ୨୨୭ ରନ୍‌ କରିପାରିଛି। ଅମର ଚୌଧୁରୀ ୪୮ ଏବଂ ବିବେକାନନ୍ଦ ତିଓ୍ଵାରି ୩୪ ରନ୍‌ କରିଥିଲେ। ତୃତୀୟ ଓଭର୍‌ରେ ହିଁ ଝାଡ଼ଖଣ୍ଡର ପ୍ରଥମ ଓ୍ଵିକେଟ୍‌ ଖସିଥିଲା। ପଞ୍ଚମ ଓଭର ବେଳକୁ ୨୦ ରନ୍‌ରେ ୩ ଓ୍ଵିକେଟ୍‌ ହରାଇଥିବା ଝାଡ଼ଖଣ୍ଡ ନିୟମିତ ଓ୍ଵିକେଟ୍‌ ହରାଇ ଦଳ ଏକ ସମୟରେ ୮୯ ରନ୍‌ରେ ୭ ଓ୍ଵିକେଟ୍‌ ହରାଇ ସଂକଟଜନକ ସ୍ଥିତିରେ ପହଂଚି ଯାଇଥିଲା। ହେଲେ ଅଷ୍ଟମ ଓ୍ଵିକେଟରେ ୬୯ ଏବଂ ଶେଷ ଓ୍ଵିକେଟରେ ଅବିଭାଜିତ ୫୨ ରନ୍‌ ଭାଗିଦାରୀରେ ଦଳ ବିପର୍ଯ୍ୟୟକୁ ଏଡ଼ାଇ ପାରିଥିଲା। ଅନ୍ୟପକ୍ଷରେ ରାଜେଶଙ୍କ ବ୍ୟତୀତ ଅନ୍ୟ ବୋଲର ସେଟୋ ପ୍ରଭାବ ପକାଇ ନପାରିବାରୁ ଓଡ଼ିଶା ପ୍ରତିପକ୍ଷକୁ କମ୍‌ ରନ୍‌ରେ ଅଟକାଇବାର ବଡ଼ ସୁଯୋଗ ହାତଛଡ଼ା କରିଥିଲା। ରାଜେଶ ମହାନ୍ତି ୨୬-୫-୫୯-୫ର ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ଶିବାଶିଷ, ଶେଖର ଏବଂ ବିନିତ ବାକିତକ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଭେନ୍ୟୁ ମ୍ୟାନେଜର ତଥା ବିକାଶ ଗ୍ରୁପ୍‌ର ଚେୟାର୍‌ମ୍ୟାନ୍‌ ଡି. ମୂରଲୀ କ୍ରିଷ୍ଣା ମ୍ୟାଚ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର