ରାଜେଶଙ୍କୁ ପ୍ରଥମ ୫ ଓ୍ୱିକେଟ୍‌

ଆସାମ ୧୨୧, ପାଳି ଅଗ୍ରଣୀ ଦ୍ବାରରେ ଓଡ଼ିଶା (୮୬/୩) ଅର୍ଧଶତକ ସହ ଅନୁରାଗଙ୍କ ପ୍ରଥମ ଶ୍ରେଣୀ ୧ହଜାର ରନ୍‌

କଟକ: ଓଡ଼ିଶା କ୍ରିକେଟ୍‌ର ନୂଆ ସମ୍ଭାବନା ଭାବେ ଉଭା ହୋଇଥିବା ରାଜେଶ ମହାନ୍ତି ମଙ୍ଗଳବାର ଆଉ ଏକ ସଫଳତା ଛୁଇଁଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତୃତୀୟ ମ୍ୟାଚ୍‌ ଖେଳୁଥିବା ରାଜେଶ ଆସାମ ବିପକ୍ଷରେ ପ୍ରଥମ ୫ଵିକେଟ୍‌ ଅକ୍ତିଆର କରିଛନ୍ତି। ଫଳରେ ଗୌହାଟୀଠାରେ ଆରମ୍ଭ ହୋଇଥିବା ଓଡ଼ିଶା-ରଣଜୀ ରଣଜୀ ଟ୍ରଫି ମୁକାବିଲାର ପ୍ରଥମ ଦିନରେ ଆସାମ ୧୨୧ ରନ୍‌ରେ ସୀମିତ ରହିଥିଲା। ଦିନର ଦ୍ବିତୀୟାର୍ଧ ମଧ୍ୟ ଅନୁରାଗ ଷଡ଼ଙ୍ଗୀଙ୍କ ଅର୍ଧଶତକୀୟ ପାଳି ଆକର୍ଷଣର କେନ୍ଦ୍ର ରହିଥିଲା। ବ୍ୟକ୍ତିଗତ ପଞ୍ଚମ ଅର୍ଧଶତକ ସହ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ୧ହଜାର ରନ୍‌ ପୂରଣ କରିଥିଲେ। ଏଥିଯୋଗୁଁ ଦିନର ଖେଳ ସମାପ୍ତ ହେବା ବେଳକୁ ଓଡ଼ିଶା ପ୍ରଥମ ପାଳିରେ ୩ ଵିକେଟ ବିନିମୟରେ ୮୬ ରନ୍‌ ସ˚ଗ୍ରହ କରିନେଇଛି। ପାଳି ଅଗ୍ରଣୀ ପାଇବାକୁ ଓଡ଼ିଶାକୁ ଆଉ ୩୫ ରନ୍‌ ଆବଶ୍ୟକତା ରହିଛି।
ଏହି ମ୍ୟାଚ୍‌ରେ ଓଡ଼ିଶା ଅଧିନାୟକ ବିପ୍ଲବ ସାମନ୍ତରାୟ ଟସ୍‌ ଜିତି ବୋଲି˚ କରିଥିଲାବେଳେ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ସନ୍ଦୀପ ପଟ୍ଟନାୟକଙ୍କ ସ୍ଥାନରେ ରାଜେଶ ଧୂପର ଏବ˚ ପପୁ ରାଏଙ୍କ ସ୍ଥାନରେ ଧୀରାଜ ସି˚ହଙ୍କୁ ଦଳରେ ନିଆଯାଇଥିଲା। ପ୍ରଥମରୁ ଅଭିଜ୍ଞ ବସନ୍ତ ମହାନ୍ତି ଓ ରାଜେଶ ଆସାମ ପ୍ରାରମ୍ଭିକ ଯୋଡ଼ିକୁ ହାତ ଖୋଲିବାକୁ ମୌକା ଦେଇନଥିଲେ। ଫଳରେ ପ୍ରଥମ ୧୦ ଓଭରରେ ଆସାମ ମାତ୍ର ୧୨ ରନ୍‌ କରିପାରିଥିଲାବେଳେ ପରଭେଜ୍‌ ଅଜିଜ୍‌ଙ୍କୁ ୩ ରନ୍‌ରେ ଆଉଟ କରି ରାଜେଶ ଦଳକୁ ପ୍ରଥମ ଖୁସି ଆଣିଦେଇଥିଲେ। ଚତୁର୍ଦଶ ଓଭରରେ ରିଶଭ ଦାସ (୧୪)ଙ୍କୁ ରାଜେଶ ଦ୍ବିତୀୟ ଶିକାର କରିବା ପରେ ମଧ୍ୟାହ୍ନ ବିରତି ସୁଦ୍ଧା ଦେବବ୍ରତ ପ୍ରଧାନ ଓ ବିପ୍ଲବ ଗୋଟିଏ ଲେଖାଏଁ ଵିକେଟ ପାଇଯାଇଥିଲେ। ପୁଣି ଦ୍ବିତୀୟାର୍ଧ ଆରମ୍ଭ ହେବା ବେଳକୁ ରାଜେଶ, ଅମିତ ସିହ୍ନାଙ୍କୁ ଆଉଟ କରି ତୃତୀୟ ଵିକେଟ କବ୍‌ଜା କରିଥିଲେ। ରିୟାନ ପରାଗ (୨୫) ଓ ମୁକତାର ହୁସେନ୍‌ (୧)ଙ୍କୁ ଆଉଟ କରି ରଜେଶ ତାଙ୍କ ରଣଜୀ ଜୀବନର ପ୍ରଥମ ୫ଵିକେଟ ସଫଳତା ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଦେବବ୍ରତ ୨ ଏବଂ ବସନ୍ତ ଧୀରାଜ ଗୋଟିଏ ଲେଖାଏଁ ୱିକେଟ୍ କରାୟତ କରିଥିଲେ।
ଚା’ପାନ ବିରତି ପୂର୍ବରୁ ଓଡ଼ିଶା ବ୍ୟାଟି˚ ଆରମ୍ଭ କରିଥିଲା। ଗୋଟିଏ ପଟରୁ ଅନୁରାଗ ସୁଯୋଗ ଦେଖି ଚୌକା ମାରିବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟରେ ଧୂପର ରକ୍ଷଣାତ୍ମକ ଭଙ୍ଗୀରେ ଖେଳିଚାଲିଥିଲେ। ତଥାପି ଅଷ୍ଟମ ଓଭରରେ ହୁସେନ୍‌ଙ୍କ ସୁଇ˚ ଆଗରେ ହାର‌୍‌ମାନି ଧୂପର ମାତ୍ର ୧ ରନ୍‌ କରିଥିଲାବେଳେ ଏଲ୍‌ବିଡବ୍ଲୁ ହୋଇଥିଲେ। ସେହି ଓଭରର ପଞ୍ଚମ ବଲ୍‌ରେ ଗୋବିନ୍ଦ ପୋଦ୍ଦାର ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲିଅନ୍‌ ଫେରିଥିଲେ। ଲଗାତର ସଫଳତା ପାଇବା ପରେ ଯଦିଓ ଓଡ଼ିଶା ସମାନ୍ୟ ଚାପରେ ଆସିଯାଇଥିଲା, ତଥାପି ଅନୁରାଗ ଓ ଶୁଭ୍ରା˚ଶୁ ଧୀରେଧୀରେ ଚାପ କମ୍‌ କରାଇବାରେ କିଛିଟା ସଫଳ ହୋଇଥିଲେ। କିନ୍ତୁ ଦଳୀୟ ରନ୍‌ ୪୫ ହୋଇଥିଲାବେଳେ ହୁସେନ୍‌ଙ୍କ ଆଉଟସୁଇ˚ ଶୁଭ୍ରା˚ଶୁ (୧୦)ଙ୍କ ବ୍ୟାଟ୍‌ରେ ବାଜି ଵିକେଟ ରକ୍ଷକଙ୍କ ହାତରେ ପଡ଼ିଯିବାରୁ ଓଡ଼ିଶାର ତୃତୀୟ କ୍ଷତି ଘଟିଥିଲା। ବୁଧବାର ଷ୍ଟମ୍ପ ଅପସାରଣ ବେଳକୁ ଅନୁରାଗ ୮୭ ବଲ୍‌ରୁ ୧୩ ଚୌକା ସହ ୬୧ ଓ ବିପ୍ଲବ ୭ ରନ୍‌ କରି ଅପରାଜିତ ରହିଥି‌ଲେ।
ସ˚କ୍ଷିପ୍ତ ସ୍କୋର
ଆସାମ: ୧୨୧/୧୦, ରିୟାନ ପରାଗ ୨୪, ର˚ଜିତ ମାଳି ୨୮, ରାଜେଶ ମହାନ୍ତି ୫/୩୧, ଦେବବ୍ରତ ପ୍ରଧାନ ୨/୨୭, ବସନ୍ତ ମହାନ୍ତି ୧/୨୨, ବିପ୍ଲବ ସାମନ୍ତରା ୧/୩, ଧୀରାଜ ସି˚ହ ୧/୩୩।
ଓଡ଼ିଶା: ୮୬/୩, ଅନୁରାଗ ଷଡ଼ଙ୍ଗୀ ୬୧*, ଶୁଭ୍ରା˚ଶୁ ସେନାପତି ୧୦, ବିପ୍ଲବ ସାମନ୍ତରାୟ ୭*, ମୁକତାର ହୁସେନ୍‌ ୩/୨୩।

‘ମୋ ପାଇଁ ଏହା ଶ୍ରେଷ୍ଠ ମ୍ୟାଚ୍‌’
ଗୌହାଟୀର ବାରସପରା କ୍ରିକେଟ ଷ୍ଟାଡିୟମରେ ୫ଵିକେଟ ସଫଳତା ପାଇଛନ୍ତି ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି। ଚଳିତ ବର୍ଷ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ଖେଳିସାରିଥିବା ରାଜେଶ ବର୍ତ୍ତମାନ ରାଜ୍ୟ ଦଳର ପ୍ରମୁଖ ବୋଲର ଭାବେ ଉଭା ହୋଇଛନ୍ତି। ନିଜର ତୃତୀୟ ମ୍ୟାଚ୍‌ରେ ପ୍ରଥମ ୫ଵିକେଟ ପାଇଥିବାରୁ ଏହାକୁ ତାଙ୍କ ଜୀବନର ଶ୍ରେଷ୍ଠ ମ୍ୟାଚ ଭାବେ ସେ ବର୍ଣ୍ଣନା କରିଛନ୍ତି। ସକାଳୁ ପିଚ୍‌ ଦ୍ରୁତ ବୋଲରଙ୍କୁ ବେଶ୍‌ ସୁହାଉଥିଲା। ଵିକେଟରେ ଭଲ ସୁଇ˚ ହେଉଥିବାରୁ ଆରମ୍ଭରୁ ସଫଳତା ମିଳିବା ଆଶା ଥିଲା। ହେଲେ ୫ଵିକେଟ ପାଇବା ଭାବିନଥିଲି ବୋଲି ରାଜେଶ କହିଛନ୍ତି। ପଡ଼ିଆରେ ସବୁ ଫିଲ୍ଡରଙ୍କ ସମର୍ଥନ ରହୁଥିବାବେଳେ ବିପ୍ଲବ ଓ ବସନ୍ତଙ୍କ ଉପଦେଶ ମୋ’ ପାଇଁ ଅଧିକ ସହାୟକ ହୋଇଥିଲା। ପୂର୍ବରୁ ୨୦୧୭ରେ ବରଗଡ଼ରେ ହୋଇଥିବା କୁଚବେହାର ଟ୍ରଫିରେ ଝାଡ଼ଖଣ୍ତ ବିପକ୍ଷରେ ସେ ଗୋଟିଏ ପାଳିରେ ସର୍ବାଧିକ ୮ ଵିକେଟ ଅକ୍ତିଆର କରିଥିଲେ। ହେଲେ ପ୍ରଥମ ଶ୍ରେଣୀ କ୍ରିକେଟରେ ୫ ଵିକେଟ ପାଇବା ବହୁତ ବଡ଼ ଉପଲବ୍ଧି। ଆଗକୁ ମଧ୍ୟ ପ୍ରତ୍ୟେକ ମ୍ୟାଚରେ ନିଜର ଶତ ପ୍ରତିଶତ ପରିଶ୍ରମ ଦେବାକୁ ଉଦ୍ୟମ କରିବି ବୋଲି ରାଜେଶ କହିଛନ୍ତି।

ସମ୍ବନ୍ଧିତ ଖବର