ରିଙ୍ଗ୍ସ ଫାଇନାଲ୍‌ରେ ରାକେଶ

ଓଡ଼ିଆ ତାରକା ରାକେଶ କୁମାର ପାତ୍ର ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ହିଁ ନିଜ ଚମକ ଦେଖାଇଛନ୍ତି। ପୁରୁଷ ଜିମ୍ନାଷ୍ଟିକ୍ସର ରିଙ୍ଗ୍ସ ବର୍ଗରେ ସେ ଫାଇନାଲ୍‌ ପ୍ରବେଶ କରିଛନ୍ତି। ଗୁରୁବାର ଅପରାହ୍ନରେ ଅନୁଷ୍ଟିତ ରିଙ୍ଗ୍ସ ବର୍ଗର ଯୋଗ୍ୟତା ପର୍ଯ୍ୟାୟର ଷଷ୍ଠ ସ୍ଥାନରେ ରହି ରାକେଶ ଫାଇନାଲ୍‌ ଟିକେଟ୍‌ ହାସଲ କରିଛନ୍ତି। ଏପରି କରିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ସେ ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୌଣସି ବ୍ୟକ୍ତିଗତ ବର୍ଗର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ତେବେ ପାରାଲାଲ ବାର ଯୋଗ୍ୟତା ପର୍ଯ୍ୟାୟର ଅଷ୍ଟାଦଶ ସ୍ଥାନରେ ରହି ସେ ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ରିଙ୍ଗ୍ସରେ ରାକେଶ ମୋଟ ୧୩.୯୫୦ ପଏଣ୍ଟ ଅର୍ଜନ କରିଥିଲେ।

ଯାହା ଫାଇନାଲକୁ ଯିବା ଲାଗି ପର୍ଯାପ୍ତ ହୋଇଥିଲା। ଏହି ବର୍ଗର ଫାଇନାଲ ଶନିବାର ଅନୁଷ୍ଠିତ ହେବ। ପୁରୀ କ୍ରୀଡ଼ା ଛାତ୍ରାବାସରୁ ବାହାରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ଜଣେ ସଫଳ ଜିମ୍ନାଷ୍ଟ୍‌ ଭାବେ ସ୍ଥାପିତ କରିପାରିଥିବା ରାକେଶ ସଂପ୍ରତି ଭାରତୀୟ ନୌସେନାରେ କାର୍ଯ୍ୟରତ। ଆଶୋକ କୁମାର ମିଶ୍ର ହେଉଛନ୍ତି ତାଙ୍କର ଆଦ୍ୟଗୁରୁ। ମାମୁଁ ଶୁଭେନ୍ଦୁ ପାତ୍ରଙ୍କ ପ୍ରେରଣାରେ ଜିମ୍ନାଷ୍ଟିକ୍ସ ରିଙ୍ଗ୍‌କୁ ଓହ୍ଲାଇଥିବା ରାକେଶ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳୁଥିବା ୮ ଓଡ଼ିଆ ତାରକାଙ୍କ ମଧ୍ୟରୁ ଅନ୍ୟତମ।
ସୂଚନାଯୋଗ୍ୟ ଯେ ରାକେଶଙ୍କୁ ପ୍ରଥମେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ମିଳି ନଥିଲା। ହେଲେ ଚାରିଆଡ଼ୁ ସମାଲୋଚନାର ସମ୍ମୁଖୀନ ହେବା ପରେ ଶେଷ ମୁହୂର୍ତରେ ଭାରତୀୟ ଅଲିମ୍ପିକ୍ସ ସଂଘ ତାଙ୍କୁ ଭାରତୀୟ ଦଳରେ ସାମିଲ କରିବାକୁ ବାଧ୍ୟ ହୋଇଥିଲା। ଶେଷରେ ସେହି ରାକେଶ ହିଁ ଭାରତୀୟ ଦଳର ସମ୍ମାନ ରଖିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ତାରକା ଯୋଗେଶ୍ୱର ସିଂହ ଅଲ୍‌ରାଉଣ୍ଡ ବର୍ଗର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୌଣସି ବ୍ୟକ୍ତିଗତ ବର୍ଗ ଜିମ୍ନାଷ୍ଟିକ୍ସର ଫାଇନାଲକୁ ଯିବାରେ ସେ ରାକେଶଙ୍କ ପରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ତେବେ ରାକେଶ, ଯୋଗେଶ୍ୱର ଏବଂ ଆଶିଷ କୁମାରଙ୍କୁ ନେଇ ଗଠିତ ଭାରତୀୟ ଦଳ ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସର ଦଳଗତ ବର୍ଗର ନବମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ତିନିଜଣ ଯାକ ମିଳିତ ଭାବେ ୧୭୪.୩୦୦ ପଏଣ୍ଟ ଅର୍ଜନ କରିଥିଲେ। ଏହି ବର୍ଗରେ ଇଂଲଣ୍ଡ, କାନାଡା ଓ ସ୍କଟ୍‌ଲାଣ୍ଡ ପ୍ରଥମ ତିନି ସ୍ଥାନରେ ରହି ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର