ଭାରତୀୟ ସ୍ୱପ୍ନ ସାକାର ଲକ୍ଷ୍ୟରେ ରାଜୀବ-ଆନିଶ

ଚେନ୍ନାଇ: (ଦେବାଶିଷ ସୁନ୍ଦରାୟ): ଶୁକ୍ରବାରଠାରୁ ଚେନ୍ନାଇର ମାଡ୍ରାସ ମୋଟର ରେସ୍‌ ଟ୍ରାକ୍‌ରେ ଆୟୋଜିତ ହେବାକୁ ଥିବା ଏସିଆର ସର୍ବବୃହତ୍‌ ମୋଟରସାଇକେଲ ରେସିଂ ପ୍ରତିଯୋଗିତା ଏଫଆଇଏମ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିଅନସିପ୍‌ (ଏଆର୍‌ଆର୍‌ସି)ର ଚତୁର୍ଥ ପର୍ଯ୍ୟାୟରେ ରାଜୀବ ସେଥୁ ଏବଂ ଆନିଶ ସେଟୀ ଭାରତୀୟ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରିବେ। ଭାରତରୁ ମଧ୍ୟ ଅନ୍ତର୍ଜାତୀୟ ମୋଟରସାଇକେଲ୍‌ ରେସର ସୃଷ୍ଟି ହୋଇ ପାରିବେ ତା’ର ବଳିଷ୍ଠ ପ୍ରମାଣ ଦେବେ। ହଣ୍ଡା ଦୁଇ ଚକିଆ ଯାନ, ଭାରତ ନିବେଦିତ ‘ଇଦେମିତସୁ ହଣ୍ଡା ରେସିଂ ଇଣ୍ଡିଆ’ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାଗ ନେବାରେ ପ୍ରଥମ ଭାରତୀୟ ଦଳ ହେବ। ରାଜୀବ ଏବଂ ଆନିଶ ମଧ୍ୟ ବ୍ୟକ୍ତିଗତ ଭାବେ ସଫଳତାର ନୂଆ ସ୍ତର ଛୁଇଁବେ। ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଜାପାନରେ ଆୟୋଜିତ ପ୍ରତିଯୋଗିତାର ପ୍ରଥମ ତିନି ପର୍ଯ୍ୟାୟରେ ସଫଳ ପ୍ରଦର୍ଶନ କରିବା ପରେ ଉଭୟ ଘରୋଇ ପରିବେଶରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟରେ ନିଜ ବାଇକ୍‌ ଚାଳନା କଳା କୌଶଳର ପରିଚୟ ଦେବେ। ଏଥିନେଇ ଉଭୟ ବେଶ୍‌ ଉତ୍ସାହିତ ଅଛନ୍ତି। ପ୍ରଥମ ଥର ପାଇଁ ଏସୀୟ ସ୍ତରୀୟ ରେସିଂ ପ୍ରତିଯୋଗିତାରେ ଅଂଶ ଗ୍ରଂହଣ କରୁଥିବା ଆନିଶ ଅଷ୍ଟ୍ରେଲିଆରେ ପ୍ରଥମ ପଏଣ୍ଟ୍‌ ଅର୍ଜନ କରି ଦେଶକୁ ଗର୍ବିତ କରିଥିଲେ। ଜାପାନର ଭଲ କରି ଉଭୟ ୨୪ ବର୍ଷୀୟ ଆନିଶ ଏବଂ ୨୦ ବର୍ଷୀୟ ରାଜୀବ ଶ୍ରେଷ୍ଠ ୨୫ ମଧ୍ୟରେ ରହିଥିଲେ। ଦଳର ଜାପାନୀୟ ରେସର ତାଇଗା ହାଦା ସୁପରସ୍ପୋର୍ଟ ୬୦୦ ବର୍ଗରେ ୯ ପଏଣ୍ଟ୍‌ ଅର୍ଜନ କରି ସାରିଛନ୍ତି। ରାଜୀବ ଲଗାତାର ଦୁଇ ଥର ଜାତୀୟ ମୋଟର ରେସିଂ ପ୍ରତିଯୋଗିତା ଜିତି ଏସୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ। ମୁଁ ଆତ୍ମବିଶ୍ୱାସର ସହ ପଡ଼ିଆକୁ ଓହ୍ଲାଇବି। ସିବିଆର ୨୫୦ ଆରଆର ବାଇକରେ ମୁଁ ଏବେ ଭଲ କରୁଛି। ଘରୋଇ ପରିବେଶରେ ଜିତିବା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜୀବ କହିଛନ୍ତି। ହଣ୍ଡା ବିଶେଷଜ୍ଞମାନଙ୍କୁ ଧନ୍ୟବାଦ ଦେଇ ଆନିଶ କହିଛନ୍ତି ଏସିଆର ଶ୍ରେଷ୍ଠ ରେସର୍‌ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ମୋ ପାଇଁ ଗର୍ବର କଥା। ମୁଁ ମୋ ଶୈଳୀରେ କିଛିଟା ଅଦଳ ବଦଳ କରିଛି। ପୋଡିୟମରେ ଭାରତୀୟ ପତାକା ଧରି ଛିଡ଼ା ହେବା ମୋର ପରବର୍ତୀ ଲକ୍ଷ୍ୟ। ଭାରତରୁ ଅନ୍ତର୍ଜାତୀୟ ସ୍ତରୀୟ ଚାଳକ ସୃଷ୍ଟି କରିବା ‘ଇଦେମିତସୁ ହଣ୍ଡା ରେସିଂ ଇଣ୍ଡିଆ’ ଦଳର ସ୍ୱପ୍ନ। ପ୍ରଥମ ଦଳ ସହ ଆମେ ଭାରତୀୟ ମୋଟରସ୍ପୋର୍ଟସକୁ ଏସିଆ ସ୍ତରକୁ ନେଇଛୁ। ରାଜୀବ ଓ ଆନିଶ ଚେନ୍ନାଇ ଆହ୍ଵାନ ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଉଭୟ ଭଲ ପ୍ରଦର୍ଶନ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ଥିବା ହଣ୍ଡା ମୋଟର ସାଇକେଲ୍‌ ଆଣ୍ଡ ସ୍କୁଟର ଭାରତର ବ୍ରାଣ୍ଡ ଏବଂ ଯୋଗାଯୋଗ ଉପ ସଭାପତି ପ୍ରଭୁ ନାଗରାଜ କହିଛନ୍ତି।

ସମ୍ବନ୍ଧିତ ଖବର