ରାଜକନିକା (କେନ୍ଦ୍ରାପଡ଼ା): ଆର୍‌ଏନ୍‌ ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ରାଜ୍ୟସ୍ତରୀୟ ରାଜକନିକା କପ୍‌ ଫୁଟ୍‌ବଲ ପ୍ରତିଯୋଗିତାର ମଙ୍ଗଳବାର ଅନୁଷ୍ଠିତ ତୃତୀୟ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଭୁବନେଶ୍ୱରର ୟାଜଦାନୀ କ୍ଲବକୁ ୧-୦ ଗୋଲ୍‌ରେ ପରାସ୍ତ କରି କଟକର ମଙ୍ଗଳା କ୍ଲବ ସେମିଫାଇନାଲ୍‌ ପ୍ରବେଶ କରିଛି। ମ୍ୟାଚ୍‌ର ଏକମାତ୍ର ଗୋଲ୍‌ କରିଥିବା ବିଜୟୀ ଦଳର ସଂଜୟ କୁମାର ସାହୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ ଦିଲିପ୍‌ ବେହେରା ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା।

ମ୍ୟାଚ୍‌କୁ କାର୍ତ୍ତିକ ଦାଶ, ସୁବ୍ରତ ପୁରୋହିତ, ସୁଜିତ୍‌ କୁମାର ପାତ୍ର, ଭୋଳାନାଥ ମହକୁଡ଼ ପରିଚାଳନା କରିଥିଲେ। କେନ୍ଦ୍ରପଡ଼ା ଜିଲ୍ଲାପାଳ ରେଘୁ ଜୀ ମୁଖ୍ୟ ଅତିଥି ଏବଂ ମହାବୀର ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଗନ୍ଧର୍ବ ନାୟକ, ରାଜକନିକା ବିଡିଓ ବିଶ୍ୱେଶ୍ୱର ଭୋଇ, ସମାଜସେବୀ ବିକାଶ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଉପଲକ୍ଷେ ପଞ୍ଚାୟତସ୍ତରରେ ଫୁଟ୍‌ବଲ୍‌ ଖେଳକୁ ପ୍ରୋତ୍ସାହନ ଯୋଗାଉଥିବା ଜାଗୁଳାଇପଡ଼ା, କଣ୍ଟପଡ଼ା, ବାଘବୁଦା, ତରାସ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ବୁଧବାର ରାଉରକେଲାର ଯୁବ ଆଦିବାସୀ କ୍ଲବ୍‌ ଓ କଟକର ସାଇ ହଷ୍ଟେଲ୍‌ ମଧ୍ୟରେ ଶେଷ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର