ପୃଥ୍ବୀ ରାଜ୍, ରାଜକୋଟ ଟେଷ୍ଟ୍‌ର ପ୍ରଥମ ଦିନରେ ଭାରତ ୩୬୪/୪

ରାଜକୋଟ: ରାଜକୋଟ ଟେଷ୍ଟ୍‌ରେ ଭାରତୀୟ କ୍ରିକେଟ୍‌ର ଉଦୀୟମାନ ନାୟକ ପୃଥ୍ବୀ ସ’ (୧୩୪ଙ୍କ ରାଜୁତି ଦେଖିବାକୁ ମିଳିଛି। ୧୮ ବର୍ଷୀୟ ପୃଥ୍ବୀ ପଦାର୍ପଣରେ ଚମକପ୍ରଦ ଶତକ ହାସଲ କରିଛନ୍ତି। ତା’ ସହ ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପୃଥ୍ବୀଙ୍କ ଚିତ୍ତାକର୍ଷକ ଶତକ ବଳରେ ଭାରତ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଏହି ଟେଷ୍ଟ୍‌ର ପ୍ରଥମ ଦିନରେ ୪ ୱିକେଟ୍ ହରାଇ ୩୬୪ ରନ୍ କରି ନେଇଛି। ଖେଳ ଶେଷ ବେଳକୁ ଅଧିନାୟକ ବିରାଟ କୋହଲି (୭୨*) ଓ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତ (୧୭*) ଅପରାଜିତ ରହିଛନ୍ତି। ହେଲେ ସ’ ପ୍ରଥମ ଦିନର ମହାନାୟକ ଭାବେ ଉଭା ହୋଇଛନ୍ତି। ପ୍ରଥମ ଟେଷ୍ଟରେ ହିଁ ସେ ବହୁ ଦିଗ୍ଗଜ ଖେଳାଳିଙ୍କ ସହ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନ କିଣି ନେଇଛନ୍ତି।

ରାଜ‌େକାଟରେ ସ’ ପଦାର୍ପଣ କରିବେ ବୋଲି ବୁଧବାର ହିଁ ଅଧିନାୟକ କୋହଲି ଘୋଷଣା କରି ଦେଇଥିଲେ। ସେଥିପାଇଁ ଗୁରୁବାର ସମଗ୍ର ଦେଶର ନଜର ତାଙ୍କ ଉପରେ ଥିଲା। କିଶୋରାବସ୍ଥାରେ ଥିବା ସ’ ମଧ୍ୟ ଶୁଭେଚ୍ଛୁଙ୍କୁ ଆଦୌ ନିରାଶ କରି ନଥିଲେ। କ୍ରିଜ୍‌ରେ ଅଭିଜ୍ଞ ଖେଳାଳିଙ୍କ ଭଳି ଜମି ପ୍ରଥମେ ଅର୍ଧଶତକ ଏବଂ ତା’ ପରେ ଦ୍ରୁତ ଶତକ ଅଜର୍ନ କରି ନେଇଥିଲେ। ଗୁରୁବାର ସାନନ ଗାବ୍ରିଏଲଙ୍କ ଅଗ୍ନିବର୍ଷୀ ପ୍ରଥମ ଓଭରର ଦ୍ବିତୀୟ ବଲ୍‌ରୁ ୩ ରନ୍ ନେଇ ଟେଷ୍ଟ୍‌ କ୍ରିକେଟ୍‌ରେ ନିଜ ଆର୍ବିଭାବକୁ ଦର୍ଶାଇ ଥିଲେ ପୃଥ୍ବୀ ସ’। ପରେ ନିଜ ସ୍ମରଣୀୟ ପାଳିରେ ୧୯ ଦର୍ଶନୀୟ ଚୌକା ମାରି ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଥିଲେ। ୱେଷ୍ଟଇଣ୍ଡିଜର ସବୁ ବୋଲରଙ୍କୁ ପୋଖତ ପେସାଦାରଙ୍କ ଭଳି ଖେଳି ମାତ୍ର ୯୯ ବଲ୍‌ରୁ ସେ ନିଜ ପ୍ରଥମ ଟେଷ୍ଟରେ ଶତକ ପୂରଣ କରି ନେଇଥିଲେ। ଯାହା ପଦାପର୍ଣରେ ତୃତୀୟ ଦ୍ରୁତତମ ଶତକ ହୋଇଥିଲା। ପଦାର୍ପଣରେ ଶତକ ଅର୍ଜନ କରିବାରେ ସେ ଭାରତର ପଞ୍ଚଦଶ ଏବଂ ସର୍ବକନିଷ୍ଠ କ୍ରିକେଟର୍‌ ହୋଇଥିଲେ। ଭାରତ ଆ‌ଧିପତ୍ୟ ବିସ୍ତାର କରିଥିବା ପ୍ରଥମ ଦିନରେ ସ’ଙ୍କ ଶତକ ହିଁ ପ୍ରମୁଖ ଆକର୍ଷଣ ଥିଲା। ଭାରତୀୟ ଅଧିନାୟକ କୋହଲି ଗୁରୁବାର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପଦାର୍ପଣରେ ଶତକ ଅର୍ଜନ କରି ପୃଥ୍ବୀ ପ୍ରଶଂସାର ପାତ୍ର ହୋଇଥିଲେ ମଧ୍ୟ ତାଙ୍କ ସହ ପାଳି ଆରମ୍ଭ କରିଥିବା ଲୋକେଶ ରାହୁଲ (୦) ସେତେଟା ଭାଗ୍ୟଶାଳୀ ହୋଇ ନଥିଲେ। ଗାବ୍ରିଏଲଙ୍କ ପ୍ରଥମ ଓଭରର ଶେଷ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇ ସେ ପାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ପୃଥ୍ବୀ ଏବଂ ଚେତେଶ୍ବର ପୂଜାରା (୮୬) ଭାରତୀୟ ପାଳିକୁ ସଜାଡ଼ି ଥିଲେ। ନିର୍ଭିକ କ୍ରିକେଟ୍ ଖେଳିଥିବା ପୃଥ୍ବୀ ୫୬ ବଲ୍‌ରୁ ୭ ଚୌକା ସହାୟତାରେ ଅର୍ଧଶତକ ପୂରଣ କରିଥିଲେ। ପୂଜାରା ମଧ୍ୟ ୬୭ ବଲ୍‌ରୁ ୯ ଚୌକା ବଳରେ ଊନ୍ନବିଂଶ ଅର୍ଧଶତକ ହାସଲ କରିଥିଲେ। ଫଳରେ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଭାରତ ଗୋଟିଏ ୱିକେଟ୍ ବିନିମୟରେ ୧୩୩ ରନ୍ କରି ନେଇଥିଲା। ପୂଜାରା ସେରମାନ ଲୁଇସଙ୍କ ପ୍ରଥମ ଟେଷ୍ଟ୍‌ ୱିକେଟ୍ ହେବା ପୂର୍ବରୁ ସେ ଏବଂ ପୃଥ୍ବୀ ଦ୍ବିତୀୟ ୱିକେଟ୍‌ରେ ୨୦୬ ରନ୍ ଯୋଡ଼ି ନେଇଥିଲେ। ପୂଜାରା ନିଜ ଘରୋଇ ମାଟିରେ ଶତକ ଅର୍ଜନରୁ ବଞ୍ଚିତ ହେବା ପରେ ପୃଥ୍ବୀଙ୍କୁ କ୍ରିଜ୍‌ରେ ଯୋଗ ଦେଇଥିଲେ କୋହଲି। ହେଲେ କିଛି ସମୟ ପରେ ସ’ଙ୍କୁ ଦେବେନ୍ଦ୍ର ବିଶୁ କଟ୍ ଆଣ୍ଡ ବୋଲ୍ଡ କରି ତାଙ୍କ ସ୍ବପ୍ନୀଳ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। କୋହଲି ଓ ଅଜିଙ୍କ୍ୟ ରାହାଣେ (୪୧) ଚତୁର୍ଥ ୱିକେଟ୍‌ରେ ୧୦୫ ରନ୍ ଯୋଡ଼ି ଭାରତ ସ୍ଥିତିକୁ ଏକବାର ମଜବୁତ କରି ନେଇଥିଲେ। କୋହଲି ୧୦୦ ବଲ୍‌ରୁ ୨ ଚୌକା ବଳରେ ୨୦ତମ ଅର୍ଧଶତକ ହାସଲ କରିଥିଲେ। ରାହାଣେ କିନ୍ତୁ ଏକାଗ୍ରତା ହରାଇ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ଅନ୍ୟତମ ଯୁବ ତାରକା ତଥା ୱିକେଟ୍ ରକ୍ଷକ ଋଷବ ପନ୍ତ (୧୭*) ସ୍ବଭାବିକ ଦ୍ରୁତ ପାଳି ଖେଳିଥିଲେ। ଗାବ୍ରିଏଲଙ୍କ ଶେଷ ଓଭରର ତୃତୀୟ ବଲ୍‌ରୁ ପନ୍ତ ବିଶାଳ ଛକା ମାରିବା ସହ ଭାରତ ୩୬୪/୪ରେ ଦିନ ଶେଷ କରିଥିଲା।

ଦ୍ବିତୀୟ ସଚିନ
ଭାରତୀୟ କ୍ରିକେଟ୍‌କୁ ଦ୍ବିତୀୟ ସଚିନ ମିଳି ଯାଇଛି। ପଦାର୍ପଣରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଯେଭଳି ନିଜ ଚମକରେ ସମଗ୍ର କ୍ରିକେଟ୍ ଜଗତକୁ ଆଲୋକିତ କରି ଦେଇଥିଲେ, ମୁମ୍ବାଇ ବିସ୍ମୟ ବାଳକ ପୃଥ୍ବୀ ସ’ ଠିକ୍ ସେହିଭଳି କମାଲ କରିଛନ୍ତି। ପଦାର୍ପଣ ପ୍ରଦଶର୍ନରେ ବରଂ ସେ ସଚିନଙ୍କୁ ଟପି ଯାଇଛନ୍ତି। ସଚିନ ନିଜ ପ୍ରଥମ ଟେଷ୍ଟ ପାଳିରେ ୧୫ ରନ୍ କରିଥିଲେ। ସ’ ୧୩୪ ରନ୍ କରି ନେଇଛନ୍ତି। ଖେଳ ଜୀବନର ଆଦ୍ୟ ପର୍ବରେ ଥିବା ସ’ଙ୍କୁ ଅବଶ୍ୟ ସଚିନଙ୍କ କୀର୍ତ୍ତିମାନ ପାହାଡ଼କୁ ଅତିକ୍ରମ କରିବା ଲାଗି ଏଭଳି ଆହୁରି ଅଗଣିତ ପ୍ରଦର୍ଶନର ଆବଶ୍ୟକତା ରହିଛି। ସଚିନଙ୍କ ଭଳି ସ’ ରଣଜୀ ଏବଂ ଦଲୀପ ଟ୍ରଫି ପଦାର୍ପଣରେ ଶତକ ହାସଲ କରିଥିଲେ। ଦଲୀପ ଟ୍ରଫିରେ ଶତକ ହାସଲ କରିବାରେ ସେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ଟେଷ୍ଟ ଶତକ ହାସଲ କରିବାରେ ସଚିନଙ୍କ ପରେ ସ’ ଦ୍ବିତୀୟ ସର୍ବକନିଷ୍ଠ ହୋଇଛନ୍ତି। ସଚିନ ୧୭ ବର୍ଷ ୧୦୭ ଦିନରେ ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରଠାରେ ୧୧୯ ରନ୍‌ର ପାଳି ଖେଳିଥିଲେ। ପୃଥ୍ବୀ ୧୮ ବର୍ଷ ୩୨୯ ଦିନ ବୟସରେ ଶତକ କରିଛନ୍ତି।

ପଦାର୍ପଣ ଶତକରେ ପଞ୍ଚଦଶ ଭାରତୀୟ
ପୃଥ୍ବୀ ସ’ଙ୍କ ପୂର୍ବରୁ ଲାଲା ଅମରନାଥ, ମହମ୍ମଦ ଆଝାରୁଦ୍ଦିନ, ସୌରଭ ଗାଙ୍ଗୁଲି, ଦୀପକ ସୋଧନ, ଏଜି କ୍ରିପାଲ ସିଂହ, ଆବାସ ଅଲ୍ଲୀ ବେଗ୍, ହନୁମନ୍ତ ସିଂହ, ଗୁଣ୍ଡାପ୍ପା ବିଶ୍ବନାଥ, ସୁରିନ୍ଦର ଅମରନାଥ, ପ୍ରବୀଣ ଆମ୍ରେ, ବୀରେନ୍ଦ୍ର ସେହବାଗ, ସୁରେଶ ରାଇନା, ଶିଖର ଧାୱନ ଓ ରୋହିତ ଶର୍ମାଙ୍କ ଭଳି ଖେଳାଳି ନିଜ ପ୍ରଥମ ଟେଷ୍ଟ୍‌ରେ ଶତକ ଅର୍ଜନ କରିବାରେ ସୌଭାଗ୍ୟ ଲାଭ କରିଛନ୍ତି।

ପିଚ୍‌ରେ ପଶିଲେ ପ୍ରଶଂସକ
ରାଜକୋଟ ଟେଷ୍ଟ୍‌ର ପ୍ରଥମ ଦିନ ଖେଳ ବେଳେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିଲା। ଦୁଇ ଜଣ ପ୍ରଶଂସକ ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ହଠାତ୍ ପଡ଼ିଆ ଭିତରକୁ ପଶି ଯାଇଥିଲେ। ଏପରିକି ସେମାନେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ପିଚ୍ ଭିତରେ ସେଲଫି ନେବାକୁ ଚେଷ୍ଟା କରିଥିଲେ। କୋହଲି ହାତ ହଲାଇ ଉଭୟଙ୍କୁ ପଡ଼ିଆ ବାହାରକୁ ଚାଲିଯିବାକୁ କହିଥିଲେ। ତେବେ ସେଲଫି ନେଇ ହିଁ ସେମାନେ ପଡ଼ିଆ ଛାଡ଼ିଥିଲେ। ସୁରକ୍ଷାକର୍ମୀ ଏହି ଦୁଇ ପ୍ରଶଂସକଙ୍କ ହାତଧରି ସୀମା ରେଖା ବାହାରକୁ ନେଇ ଯାଇଥିଲେ।

୪ ବର୍ଷରୁ ମା’ ଛେଉଣ୍ଡ
ପୃଥ୍ବୀଙ୍କ ପିତା ଅଶୋକ ଗୁପ୍ତା ବିହାରର ଗୟାର ମୂଳ ବାସିନ୍ଦା। ହେଲେ ଭଲ ରୋଜଗାର ଆଶାରେ ସେ ମହାରାଷ୍ଟ୍ରକୁ ଚାଲି ଯାଇଥିଲେ। ମହାରାଷ୍ଟ୍ରର ଥାନେ ସହରରୁ ନିଜ ଘ‌ର କରିବା ପରେ ଅଶୋକ ତାଙ୍କ ପୈତୃକ ସାଙ୍ଗିଆକୁ ଗୁପ୍ତାରୁ ବଦଳାଇ ସ’ କରି ଦେଇଥିଲେ। ପୃଥ୍ବୀ ୧୯୯୯ ମସିହା ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ରର ଥାନେରେ ଜନ୍ମ ଗ୍ରହଣ କରିଥିଲେ। ହେଲେ ମାତ୍ର ୪ ବର୍ଷ ବୟସରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇ ଯାଇଥିଲା। ତେବେ ଅଶୋକ କୁନି ପୃଥ୍ବୀଙ୍କ କ୍ରିକେଟ୍ କଳାକୁ ପିଲାଦିନରୁ ଠଉରାଇ ନେଇଥିଲେ। ସେଥିପାଇଁ ତାଙ୍କୁ କ୍ରିକେଟ୍‌ର ବିଧିବଦ୍ଧ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ୨୦୧୦ରେ ପୃଥ୍ବୀ ଏକାସଙ୍ଗରେ ଦୁଇଟି କ୍ରିକେଟ୍ ବୃତ୍ତି ପାଇବା ପରେ ଅଶୋକ ଥାନେରୁ ମୁମ୍ବାଇ ଚାଲି ଆସିଥିଲେ। ପୃଥ୍ବୀଙ୍କ ଖେଳ ଜୀବନ ମୁମ୍ବାଇର ଭିରାରରେ ଗଢ଼ି ଉଠିଥିଲା। ୨୦୧୩ରେ ହାରିସ୍ ସିଲ୍ଡ କ୍ରିକେଟ୍‌ରେ ୫୪୬ ରନ୍‌ର ପାଳି ଖେଳି ସେ ଚର୍ଚାକୁ ଆସିଥିଲେ। ମୁମ୍ବାଇ ପକ୍ଷରୁ ଗତବର୍ଷ ରଣଜୀ ପଦାର୍ପଣ କରିଥିଲେ ସ’। ରଣଜୀ ସେମିଫାଇନାଲ୍ ଖେଳି ପଦାର୍ପଣରେ ହିଁ ଶତକ ଅର୍ଜନ କରିଥିଲେ ସେ। ସେହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଲାଭ କରିଥିଲେ। ରଣଜୀ ସଫଳତାକୁ ସ’ ଘରୋଇ କ୍ରିକେଟ୍‌ର ଆଉ ଏକ ସମ୍ମାନ ଜନକ ପ୍ରତିଯୋଗିତା ଦଲୀପ ଟ୍ରଫିରେ ଦୋହରାଇଥିଲେ। ନିଜ ପ୍ରଥମ ଦଲୀପ ଟ୍ରଫି ମ୍ୟାଚ୍‌ରେ ଶତକ ଅର୍ଜନ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଥିଲେ ସେ । ତେବେ ଦଲୀପ ଟ୍ରଫିରେ ଶତକ ଅର୍ଜନ କରିବାରେ ସ’ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ଚଳିତ ବର୍ଷ ସେ ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ବକପ୍‌ ଦଳର ଅଧିନାୟକ ‌ନିଯୁକ୍ତ ହୋଇଥିଲେ। ତାଙ୍କ ନେତୃତ୍ବରେ ହିଁ ଭାରତ ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲା। ସ’ ୧୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୭ ଶତକ ଏବଂ ୫ ଅର୍ଧଶତକ ବଳରେ ୧୪୧୮ ରନ୍ କରିଛନ୍ତି। ସେହିଭଳି ୨୨ ଲି‌ଷ୍ଟ ଏ ମ୍ୟାଚ୍‌ରୁ ୩ ଶତକ ଏବଂ ୫ ଅର୍ଧଶତକ ସହାୟତାରେ ୯୩୮ ରନ୍ କରିଛନ୍ତି। ୯ ଟ୍ବେଣ୍ଟି-୨୦ରୁ ୨ ଅର୍ଧଶତକରେ ସେ ୨୪୫ ରନ୍ ଅର୍ଜନ କରିଛନ୍ତି। ପୃଥ୍ବୀ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଆଇପିଏଲ୍ ଖେଳୁଥିଲେ।

ସଚିନ, ସୌରଭ, ସେହବାଗ ପ୍ରଶଂସାରେ ପୋତିଲେ
ଗୁରୁବାର ପୃଥ୍ବୀ ସ’ ଖେଳିଥିବା ପାଳିକୁ ଭାରତୀୟ କ୍ରିକେଟ୍‌ର ଅନେକ ମହାନ ଖେଳାଳି ପ୍ରଶଂସା କରିଛନ୍ତି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଗୁଣ ଗାନ କରିଛନ୍ତି। ତୁମ ପ୍ରଥମ ଟେ‌ଷ୍ଟ୍‌ରେ ଏଭଳି ଏକ ଆକ୍ରମଣାତ୍ମକ ପାଳି ଦେଖି ବହୁତ ଖୁସି ଲାଗିଲା। ଏଭଳି ନିର୍ଭିକ କ୍ରିକେଟ୍ ଖେଳିବା ଜାରି ରଖ ବୋଲି ସଚିନ ଟ୍ବିଟ୍ କରିଥିଲେ। ‌ବୀରେନ୍ଦ୍ର ସେହବାଗ ତାଙ୍କ ଚିରାଚରିତ ଶୈଳୀରେ ପିଲା ପାଖରେ ବହୁତ ଦମ୍ ଅଛି ବୋଲି ଲେଖିଥିଲେ। ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ପୃଥ୍ବୀଙ୍କୁ ପ୍ରଶଂସା କରି ଟ୍ବିଟ୍ କରିଥିଲେ। ଏପରିକି ବ୍ୟାଡମିଣ୍ଟନ୍‌ ତାରକା କିଦାମ୍ବି ଶ୍ରୀକାନ୍ତ ମଧ୍ୟ ପୃଥ୍ବୀଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଥିଲେ। ପଦାପର୍ଣରେ ଚିତ୍ତାକର୍ଷକ ଶତକ। ଏଭଳି ପଦାର୍ପଣ ପାଇଁ ଅଭିନନ୍ଦନ ବୋଲି ଶ୍ରୀକାନ୍ତ ଲେଖିଥିଲେ। ଟର୍ବା‌େନଟର ହରଭଜନ ସିଂହ ଲେଖିଥିଲେ ୧୮ ବର୍ଷ ବୟସରେ ଭାରତ ପଦାର୍ପଣ କରି ଶତକ। ୟା’ଠାରୁ ଭଲ କଥା ଆଉ କିଛି ହୋଇ ନପାରେ।

ଅପରାଜିତ ରହିଥିଲେ ଆହୁରି ଭଲ ହୋଇଥାଆନ୍ତା: ପୃଥ୍ବୀ
ପଦାପର୍ଣରେ ଶତକ ଅର୍ଜନ କରିଥିଲେ ମଧ୍ୟ ସେତିକିରେ ପୃଥ୍ବୀ ସ’ଙ୍କ ରନ୍ ଭୋକ ମେଣ୍ଟି ନାହିଁ। ଶତକ ପରେ ମଧ୍ୟ ବ୍ୟାଟିଂ ଜାରି ରଖିଥିଲେ ଆହୁରି ଭଲ ହୋଇଥାଆନ୍ତା ବୋଲି ସେ ପ୍ରଥମ ଦିନ ଖେଳ ଶେଷ ପରେ ଦେଇଥିବା‌ ସାକ୍ଷାତକାରରେ କହିଛନ୍ତି। ମୋତେ ବହୁତ ଭଲ ଲାଗୁଛି। ପ୍ରଥମେ ପ୍ରଥମେ ମନରେ ଟିକିଏ ଡର ଥିଲା। ହେଲେ କିଛି ସମୟ ପରେ ମୁଁ ପ୍ରଥମ‌ ଶ୍ରେଣୀ ଏବଂ ଭାରତ ‘ଏ’ ପାଇଁ ଯାହା କରେ ତାହା କରିଥିଲି। ମୋ ସ୍ବାଭାବିକ ଖେଳ ଖେଳିବା ଆରମ୍ଭ କରିଥିଲି। ଆନ୍ତର୍ଜାତୀୟ ମ୍ୟାଚ୍‌ର ଚାପ ମୋ ଉପରେ ଆଦୌ ନଥିଲା। ୧୦-୧୫ ଓଭର ପରେ ମୋ ପାଇଁ ବ୍ୟାଟିଂ ସହଜ ହୋଇ ଯାଇଥିଲା। ମୁଁ ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରିଥିଲି। ଆଜିର ଶତକକୁ ମୁଁ ମୋ ପିତାଙ୍କୁ ଉତ୍ସର୍ଗ କରୁଛି। ପ୍ରଥମ ଶତକ କେବଳ ତାଙ୍କ ପାଇଁ। ସେ ମୋ ପାଇଁ ବହୁତ କିଛି ସହିଛନ୍ତି ବୋଲି ପୃଥ୍ବୀ କହିଥିଲେ।

ସମ୍ବନ୍ଧିତ ଖବର