ବେରୋଜଗାର ରାଜପୁତଙ୍କୁ ରୁପା

୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ରେ ୩୭ ବର୍ଷୀୟ ସଂଜୀବ ରାଜପୁତ ଚଳିତ ଏସୀୟ କ୍ରୀଡ଼ାରେ ମଙ୍ଗଳବାର ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ। ପୂର୍ବତନ ନୌସେନା ଅଧିକାରୀ ସଂଜୀବ ବନ୍ଧୁକ ଚାଳନାରେ ରୁପେଲି ସଫଳତା ପାଇଛନ୍ତି। ହେଲେ ନୌସେନାରୁ ଅବସର ନେବା ପରେ ବ୍ୟକ୍ତିଗତ ଭାବେ ସେ ବେରୋଜଗାର ଅଛନ୍ତି। ଏହା ପୂର୍ବରୁ ସଂଜୀବ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ହରିଆଣାର ଯମୁନା ନଗରରେ ରହୁଥିବା ସଂଜୀବ ଗତବର୍ଷ ଭାରତୀୟ କ୍ରୀଡ଼ା ପ୍ରାଧୀକରଣରେ ସହାୟକ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ହେଲେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ତାଙ୍କୁ ଏହି ଚାକିରି ହରାଇବାକୁ ପଡ଼ିଥିଲା।
ମୋତେ ନିଶ୍ଚିତ ଭାବେ ଚାକିରି ଯୋଗାଡ଼ କରିବାକୁ ହେବ। ଏଠାକାର ପରିବେଶ ଓ ପରିସ୍ଥିତି ବେଶ୍‌ କଷ୍ଟକର ଥିଲା। ହେଲେ ରୌପ୍ୟ ଜିତିବା ନେଇ ମୁଁ ବହୁତ ଖୁସି ବୋଲି ରାଜପୁତ କହିଛନ୍ତି। ୧୯୮୧ ମସିହା ଜାନୁଆରି ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ରାଜପୁତ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଏବଂ ୨୦୦୬ ମେଲବର୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିଲେ। ୨୦୧୧ର ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ପ୍ରତିଯୋଗିତାରେ ମଧ୍ୟ ସେ ସ୍ୱର୍ଣ୍ଣ ହାସଲ କରିଥିଲେ। ଏ ପର୍ଯ୍ୟନ୍ତ ସେ ୬ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ଜିତି ସାରିଲେଣି। ମାତ୍ର ୧୮ ବର୍ଷ ବୟସରେ ସେ ନୌସେନାରେ ନାବିକ ଭାବେ ଯୋଗ ଦେଇଥିଲେ।
ସଂଜୀବ ଆଜି ନିଜ ଶେଷ ସଟ୍‌ରେ ମାତ୍ର ୮.୪ ପଏଣ୍ଟ ଅର୍ଜନ କରିଥିଲେ। ଯାହା ଫଳରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ୪୫୨.୭ ପଏଣ୍ଟ ପାଇ ସେ ରୌପ୍ୟ ପାଇଥିଲା ବେଳେ ସ୍ୱର୍ଣ୍ଣ ଚୀନ୍‌ର ହୁଇ ଜିଚେଙ୍ଗଙ୍କ ଖାତାକୁ ଯାଇଥିଲା। ଜାପାନର ତାକାୟୁକି ମିତସୁମୋତୋ (୪୪୧.୪) କାଂସ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର