ରାଜ୍ୟ ଜନଜାତି କ୍ରୀଡ଼ା:ଖୋର୍ଧା ଦଳଗତ ବିଜେତା:ସୁନ୍ଦରଗଡ଼ ଉପବିଜେତା

କଟକ: ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାରେ ଖୋର୍ଦ୍ଧାକୁ ଦଳଗତ ବିଜେତା ଭାବେ ପୁରସ୍କୃତ କରାଯାଇଛି। ସେହିପରି ସୁନ୍ଦରଗଡ଼ ଉପ ବିଜେତା ହୋଇଛି। ଶେଷ ଦିନରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ପୁରୁଷ ଓ ମହିଳା ବିଭାଗ ହକିରେ ଖୋର୍ଦ୍ଧା ବିଜେତା ହୋଇଥିଲାବେଳେ ସୁନ୍ଦରଗଡ଼ ଉପ ବିଜେତା ହୋଇଥିଲା। ସେହିପରି ଖୋଖୋରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଖୋର୍ଦ୍ଧା ବିଜେତା ଓ ବାଲେଶ୍ୱର ଉପ ବିଜେତା ହୋଇଛି। ଫୁଟବଲ୍‌ର ପୁରୁଷ ବିଭାଗରେ ସମ୍ବଲପୁର ବିଜେତା ଓ ମୟୁରଭଞ୍ଜ ଉପ ବିଜେତା, ମହିଳାରେ ଝାରସୁଗୁଡ଼ା ବିଜେତା ଓ ସୁନ୍ଦରଗଡ଼ ଉପ ବିଜେତା ହୋଇଛି। ଭଲିବଲ୍‌ର ପୁରୁଷ ବିଭାଗରେ ରାୟଗଡ଼ା ବିଜେତା, ବାଲେଶ୍ୱର ଉପ ବିଜେତା ଓ ମହିଳାରେ ମାଲକାନଗିରି ବିଜେତା ଓ ନୂଆପଡ଼ା ଉପବିଜେତା ହୋଇଛନ୍ତି। କବାଡ଼ିର ପୁରୁଷ ବିଭାଗରେ ବରଗଡ଼ ଓ ମହିଳାରେ କନ୍ଧମାଳ ବିଜେତା ହୋଇଥିଲାବେଳେ ଉଭୟ ବିଭାଗରେ ସୁନ୍ଦରଗଡ଼ ଉପ ବିଜେତା ହୋଇଛି।

ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଜେତାମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏଥିସହିତ ଅଲିମ୍ପିକ୍ସରେ ଯେପରି ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ପଦକ ହାସଲ କରନ୍ତୁ, ସେଥିପ୍ରତି ଚେଷ୍ଟା କରିବାକୁ ସେ ଆହ୍ଵାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପରିବହନ ମନ୍ତ୍ରୀ ରମେଶ ମାଝୀ, ବିଧାୟକ ଦେବାଶିଷ ସାମନ୍ତରାୟ, କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭୀନିଲ କ୍ରୀଷ୍ଣା, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ଅଧ୍ୟକ୍ଷ ଅରୁପ ପଟ୍ଟନାୟକ, ଏସ୍‌ସିଏସ୍‌ଟି କମିସନର ରଘୁବୀର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଜନଜାତି କ୍ରୀଡ଼ା ଗତବର୍ଷ ଡିସେମ୍ବର ୧୮ ତାରିଖରେ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ଆରମ୍ଭ ହୋଇଥିଲା। ବାଲେଶ୍ୱର, ବାରିପଦା, ଭବାନୀପାଟଣା, କଟକ, କେନ୍ଦୁଝର, କୋରାପୁଟ, ରାଉରକେଲାରେ ଫେବ୍ରୁଆରି ୬ରୁ ୧୨ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ଇଭେଣ୍ଟର ଫାଇନାଲ୍‌ ଗୁଡ଼ିକ କଟକ ଓ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା। ବ୍ଲକ୍‌ ସ୍ତରରେ ପ୍ରାୟ ଲକ୍ଷେ ୩୦ ହଜାର ଜନଜାତି କ୍ରୀଡ଼ାବିତ୍‌ମାନେ ଅଂଶଗ୍ରହଣ କରିଥିଲେ।
କିସ୍‌ରୁ ୯୦ ପ୍ରତିଶତ
ଭୁବନେଶ୍ୱର,୧|୬(ଇମିସ): ଖୋର୍ଧା ଦ୍ୱିମୁକୁଟ ଦେବାରେ ଆଦିବାସୀ ପିଲାଙ୍କ ପ୍ରାଣକେନ୍ଦ୍ର କିସ୍‌ ମୁଖ୍ୟ ଭୁମିକା ତୁଲାଇଛି। କିସ୍‌ ପିଲାଙ୍କ ବଳରେ ବଳିୟାନ୍‌ ହୋଇ ଖୋର୍ଧା ଦଳ ଭଲିବଲ୍‌, ତୀରନ୍ଦାଜୀ, ଦୌଡ଼କୁଦ, ଖୋ ଖୋ, କବାଡ଼ି, ହକିରେ ବିଜେତା ହୋଇଥିବାବେଳେ ଫୁଟ୍‌ବଲ୍‌ରେ ଉପ ବିଜେତା ହୋଇଛି। ସମ୍ପୂର୍ଣ୍ଣ ଖୋର୍ଧା ଦଳରେ ୧୨୦ ପିଲା ଖେଳିଥିବାବେଳେ କିସ୍‌ରୁ ୯୫ ଜଣ ପ୍ରତିନିଧିତ୍ୱ କରିଥିଲେ। ସେଥି ପାଇଁ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର