ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମ୍ବର୍ଧିତ କଲା କ୍ରୀଡ଼ା ମନ୍ତ୍ରାଳୟ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନିଜ ବାସଭବନରେ ଭେଟି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହି ଖେଳାଳିମାନେ ଭାରତ ପାଇଁ ଗର୍ବ ଗୌରବ ଆଣିଛନ୍ତି। ଯେତେବେଳେ ଏହି ଖେଳାଳିମାନେ ପଦକ ଜିତନ୍ତି ସେତେବେଳେ ଭାରତର ପତାକା ଉପରକୁ ଉଠିଥାଏ ବୋଲି ମୋଦି ଏହି ଅବସରରେ କହିଥିଲେ। ପଦକ ଜିତିବାରେ ବିଫଳ ଖେଳାଳିଙ୍କୁ ପ୍ରଶଂସା କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭୁଲିନଥିଲେ। ମୋଦି କହିଥିଲେ, ଖେଳାଳିମାନଙ୍କ ଜୀବନ କେତେ ଦଶନ୍ଧି ଧରି ଚାଲିଥାଏ। ଯେପରିକି ଏମ୍‌ସି ମେରିକମ୍‌ ସାଂସଦ ହୋଇ ମଧ୍ୟ ଗୋଲ୍ଡକୋଷ୍ଟ୍‍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗୋପୀଚାନ୍ଦ ନିଜର ସଫଳ ଖେଳାଳି ଜୀବନ ପରେ ମାର୍ଗଦର୍ଶକ ଭାବେ ବହୁ ବ୍ୟାଡ୍‌ମିଣ୍ଟନ୍‌ ତାରକା ସୃଷ୍ଟି କରିସାରିଲେଣି। ପ୍ରତିଭା, ପ୍ରଶିକ୍ଷଣ, ଏକାଗ୍ରତା, କଠିନ ପରିଶ୍ରମ ସାଙ୍ଗକୁ ମାନସିକ ଦୃଢ଼ତା ଜଣେ ଖେଳାଳି ପାଇଁ ନିହାତି ଜରୁରୀ। ଯୋଗ ମଧ୍ୟ ଏହାର ଏକ ଉପାଦାନ ବୋଲି ମୋଦି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନଯୋଗ୍ୟ, ଗୋଲ୍ଡକୋଷ୍ଟ୍‍ରେ ଭାରତ ୨୬ ସ୍ୱର୍ଣ୍ଣ, ୨୦ ରୌପ୍ୟ ଏବଂ ୨୦ କାଂସ୍ୟ ସହ ମୋଟ ୬୬ ପଦକ ଜିତି ତାଲିକାରେ ତୃତୀୟ ସ୍ଥାନରେ ରହିଥିଲା।

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାଙ୍କୁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୋମବାର ସମ୍ବର୍ଧିତ ମଧ୍ୟ କରାଯାଇଛି। ଏହି ଉତ୍ସବରେ ସ୍ୱର୍ଣ୍ଣ ବିଜେତାଙ୍କୁ ୩୦ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୨୦ ଲକ୍ଷ ଏବଂ କାଂସ୍ୟ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଖେଳାଳିମାନେ ଦେଶର ଦୂତ, ଯୁବ ଭାରତୀୟଙ୍କ ପାଇଁ ଆଦର୍ଶ, ଆମେ ସମସ୍ତେ ସେମାନଙ୍କ ପାଇଁ ଗର୍ବ କରୁ ବୋଲି ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର କହିଥିଲେ। ସେ ପୁଣି କହିଥିଲେ, ଖେଳାଳିମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶିକୁ କୌଣସି ଅଧିକାରୀ ଦେବାରେ ବିଳମ୍ବ କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ କ୍ରୀଡ଼ା ମନ୍ତ୍ରାଳୟର ମିଳିତ ଭାବେ ଖେଳାଳିମାନଙ୍କର ଥିବା ଅସୁବିଧା ସମାଧାନ କରିବେ ବୋଲି ଅଲିମ୍ପିକ୍‌ ପଦକ ବିଜେତା ଶ୍ରୀ ରାଠୋର ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର