ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଆରମ୍ଭ:ଗ୍ରୁପ୍‌ ବିଜେତା ସହ ଦ୍ବିତୀୟ ପର୍ଯ୍ୟାୟରେ ଭାରତ

କଟକ: ଦମ୍‌ଦାର ପ୍ରଦର୍ଶନରୁ ଭାରତ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା ଅଭିଯାନ ଆରମ୍ଭ କରିଛି। ଉଭୟ ପୁରୁଷ ଓ ମହିଳା ଦଳ ନିଜ ନିଜ ଗ୍ରୁପ୍‌ରେ ବିଜେତା ହୋଇ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ ପ୍ରଥମ ମ୍ୟାଚ୍‌ରେ ସ୍କଟଲାଣ୍ତକୁ ଓ ଦ୍ବିତୀୟ ମ୍ୟାଚ୍‌ରେ ସିଙ୍ଗାପୁରକୁ ୩-୦ ଲେଖାଏଁରେ ହରାଇଥିଲା ବେଳେ ମହିଳା ଦଳ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି ସଫଳତା ପାଇଛି। ତେବେ ଶୀର୍ଷ ଖେଳାଳି ଶରତ କମଲ ଓ ଅହିକା ମୁଖାର୍ଜୀ ଗୋଟିଏ ଲେଖାଏଁ ଗେମ୍‌ ପଏଣ୍ଟରେ ପରାଜିତ ହୋଇଥିଲେ। ତଥାପି ଏହା ଦଳୀୟ ପ୍ରଦର୍ଶନରେ କିଛି ଫରକ ପକାଇନଥିଲା।
ମହିଳା ବିଭାଗରେ ମନିକା ବାତ୍ରା ଭାରତ ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଶ୍ରୀଲଙ୍କା ସହ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ର ପ୍ରଥମ ରାଉଣ୍ତରେ ମନିକାଙ୍କ ସାମ୍ନାସାମ୍ନି ହୋଇଥିଲା ବିମାଣ୍ତି ବାନ୍ଦରାଙ୍କ ସହିତ। ପ୍ରଥମରୁ ଅତି ସହଜ ଭାବେ ୧୧-୫, ୧୧-୪, ୧୧-୫ ପଏଣ୍ଟରେ ମନିକା ଏହି ରାଉଣ୍ତକୁ ଜିତିଯାଇଥିଲେ। ତାଙ୍କ ପରେ ଅର୍ଚ୍ଚନା କାମାଥ ୧୧-୫, ୧୧-୫ରେ ଇଶାରା ମଦୁରାଙ୍ଗି ବିପକ୍ଷରେ ପ୍ରଥମ ଦୁଇ ସେଟ୍‌ ଜିତିଯାଇଥିଲା ବେଳେ ତୃତୀୟ ସେଟ୍‌ ଜିତିବାକୁ କସରତ କରିବାକୁ ପଡିଥିଲା। ତୃତୀୟ ସେଟ୍‌ ୧୦-୧୦ରେ ବରାବର ହୋଇଯିବାରୁ ପରବର୍ତ୍ତୀ ଦୁଇ ଗେମ୍‌ ପଏଣ୍ଟକୁ ଅର୍ଚ୍ଚନା କବ୍‌ଜା କରିନେଇଥିଲେ। ତୃତୀୟ ରାଉଣ୍ତରେ ଅହିକା ମୁଖାର୍ଜୀ ମଧ୍ୟ ୧୧-୩, ୧୧-୩ରେ ଚମଥସରା ଫର୍ଣ୍ଣାଣ୍ତୋଙ୍କୁ ହରାଇଥିଲେ ବି ତୃତୀୟ ସେଟ୍‌କୁ ୮-୧୧ରେ ହାତଛଡ଼ା କରିଥିଲେ। ତେବେ ଚତୁର୍ଥ ସେଟ୍‌ରେ ସେ ପ୍ରତ୍ୟାବର୍ତ୍ତନ କରି ୧୧-୪ରେ ଜିତିବା ସହ ଭାରତକୁ ୩-୦ରେ ବିଜୟ ଭେଟି ଦେଇଥିଲେ।
ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ମନିକା ଓ ଅହିକାଙ୍କୁ ବିଶ୍ରାମ ଦିଆଯାଇ ମଧୁରିକା ପାଟକର ଓ ସୁତୀର୍ଥା ମୁଖାର୍ଜୀଙ୍କୁ ସୁଯୋଗ ଦିଆଯାଇଥିଲା। ପ୍ରଥମ ରାଉଣ୍ତରେ ଅର୍ଚ୍ଚନା ୧୧-୬, ୧୧-୨, ୧୧-୨ରେ ଦାନିଶା ପଟେଲଙ୍କୁ ହରାଇଥିଲେ। ଏହାପରେ ମଧୁରିକା ୧୧-୨, ୧୧-୫, ୧୧-୩ରେ ପାଲେଶା ମେଟସୋଏଲିବିଙ୍କୁ ଏବ˚ ସୁତୀର୍ଥା ୧୧-୧, ୧୧-୪, ୧୧-୪ରେ ସିମେନ୍‌ ମୁକ୍ରେଙ୍କୁ ହରାଇ ଭାରତକୁ ସହଜସାଧ୍ୟ ବିଜୟ ଭେଟି ଦେଇଥିଲେ। ଗ୍ରୁପର ସମସ୍ତ ମ୍ୟାଚ ଜିତି ଭାରତ ଗ୍ରୁପ୍‌ ବିଜେତା ହୋଇଥିଲା।
ପୁରୁଷ ଦଳ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ୩-୦ରେ ସ୍କଟଲାଣ୍ତକୁ ହରାଇଥିଲା। ବିଶ୍ବର ୨୪ ନମ୍ବର ଖେଳାଳି ଜି ସାଥିଆନ୍‌ ୧୧-୪, ୧୧-୭, ୧୦-୮ରେ ନିଏଲ କାମେରୁନ୍‌ଙ୍କୁ ହରାଇଥିଲେ। ତାଙ୍କ ପଛକୁ ଶରତ କମଲ ୧୧-୨, ୧୧-୬, ୧୧-୯ରେ କୋଲିନ୍‌ ଡାଲଗ୍ଲେଇସଙ୍କୁ ଓ ହରମୀତ ଦେଶାଇ ୧୧-୨, ୧୧-୬, ୧୧-୧ରେ ଡାଏଲାନ କରିଙ୍କୁ ହରାଇ ଦଳକୁ ସହଜରେ ବିଜୟୀ କରାଇଥିଲେ। ଦ୍ବିତୀୟ ମ୍ୟାଚ୍‌ ଗତ ସ˚ସ୍କରଣର ବିଜେତା ଶକ୍ତିଶାଳୀ ସିଙ୍ଗାପୁର ସହ ଥିଲେ ବି ଏହି ଦଳ ଏଥର ତାହାର ଏକ ଯୁବ ଦଳକୁ ପଠାଇଥିଲା। ତେଣୁ ଆରମ୍ଭରୁ ଏହା ଉପରେ ଚାପ ପକାଇବାକୁ ଭାରତର ରଣନୀତି ଥିବାବେଳେ ଘରୋଇ ଦଳ ଏଥିରେ ସଫଳ ହୋଇଥିଲା। ପୁଣି ଥରେ ଜି ସାଥିଆନ୍‌ ରାଉଣ୍ତ ଆରମ୍ଭ କରିବା ସହ ୧୧-୭, ୧୧-୯, ୧୧-୮ରେ ୟୁଏନ୍‌ କୋଏନ ପାଙ୍ଗକୁ ହରାଇଥିଲେ। କିନ୍ତୁ ଦ୍ବିତୀୟ ରାଉଣ୍ତରେ ଶରତ କମଲ ପ୍ରଥମ ସେଟ୍‌ରେ ନିରାଶ କରିଥିଲେ। ସେ ଜିଉ କ୍ଲାରେନ୍ସ ଚିଉଙ୍କଠୁ ୮-୧୧ରେ ହାରିଯାଇଥିଲେ। ତେବେ ଏହାପରେ ସେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ତିନି ସେଟ୍‌କୁ (୧୧-୫, ୧୧-୪, ୧୧-୯) ନିଜ ନାମରେ କରିଥିଲେ। ତୃତୀୟ ରାଉଣ୍ତରେ ହରମୀତ ଦେଶାଇ ପୁଣି ଥରେ ଏକତରଫା ପ୍ରଦର୍ଶନ କରି ୧୧-୪, ୧୧-୭, ୧୧-୬ରେ ସାଓ ହାନ୍‌ ଜୋଶଙ୍କୁ ପରାଜିତ କରିଥିଲେ। ଲଗାତର ଦୁଇଟି ମ୍ୟାଚ୍‌ ଜିତି ଭାରତ ଗ୍ରୁପ୍‌ ବି’ର ବିଜେତା ହୋଇଛି।

ସମ୍ବନ୍ଧିତ ଖବର