ରାମେଶ୍ୱର-ପାରାମାଉଣ୍ଟ୍‌ ଫାଇନାଲ୍‌ ମୁକାବିଲା

ରାମେଶ୍ୱର କପ୍‌ କ୍ରିକେଟ୍‌

ଭୁବନେଶ୍ୱର: ଦ୍ୱିତୀୟ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଆସନ୍ତା ରବିବାର ଖେଳାଯିବ। ଆୟୋଜକ ରାମେଶ୍ୱର-ଏ ଦଳ ସହ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ରାମେଶ୍ୱର ଦଳ ଗ୍ରୁପ୍‌-ଏରୁ ଫାଇନାଲ୍‌ ପ୍ରବେଶ କରିସାରିଥିଲା ବେଳେ ଶୁକ୍ରବାର ଗ୍ରୁପ୍‌-ବିର ସେମିଫାଇନାଲ୍‌ରେ କ୍ରାଉନ୍‌ ସ୍ପୋର୍ଟିଂକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ପାରାମାଉଣ୍ଟ୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା କ୍ରାଉନ୍‌ ୨୪ ଓଭରରେ ୧୦୫ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଜନ୍ମେଜୟ ନାୟକ ୪୩ ରନ୍‌ କରିଥିଲା ବେଳେ ପାରାମାଉଣ୍ଟ୍‌  ପକ୍ଷରୁ ଅନିକେତ ତ୍ରିପାଠୀ ୪/୧୩ ଓ ସାଇ ଶୁଭମ୍‌ ୩/୩୧ ମିଳିତ ଭାବେ ୭ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ଅଂଶୁମାନ ସାହୁଙ୍କ ୩୬, ସୁଦର୍ଶନ ସ୍ୱାଇଁଙ୍କ ୩୦ ଓ ସୌମ୍ୟରଞ୍ଜନ ବିଶ୍ୱାଳଙ୍କ ଅପରାଜିତ ୨୩ ରନ୍‌ ବଳରେ ପାରାମାଉଣ୍ଟ୍‌ ୨୫.୫ ଓଭରରେ ୨ ଓ୍ଵିକେଟ୍‌ ହରାଇ ୧୦୮ ରନ୍‌ କରିନେଇଥିଲା। ଅନିକେତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପ୍ରିୟବ୍ରତ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ମହାରଣା ମ୍ୟାଚ୍‌ ପରିଚାଳନା କରିଥିଲେ। ବିଶ୍ୱଜିତ୍‌ ମଲ୍ଲିକ ସ୍କୋରର୍‌ ଥିଲେ।

ସମ୍ବନ୍ଧିତ ଖବର