ଭୁବନେଶ୍ବର: ଦୀର୍ଘ ୪ ଋତୁ ପରେ ବାରବାଟୀ ଷ୍ଟାଡିୟମ୍ରେ ଓଡ଼ିଶା ରଣଜୀ ମ୍ୟାଚ୍ ଖେଳିବ। ମଙ୍ଗଳବାର ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ପ୍ରକାଶିତ ବିସିସିଆଇ ଖେଳସୂଚୀରୁ ଏହା ଜଣାପଡ଼ିଛି। ଶେଷ ଥର ପାଇଁ ଓଡ଼ିଶା ଏହି ଐତିହାସିକ ପଡ଼ିଆରେ ୨୦୧୫ ମସିହାରେ ଖେଳିଥିବା ବେଳେ ୨୦୧୬ରେ ନିରପେକ୍ଷ ଭେନ୍ୟୁ ଭାବେ କେରଳ-ତ୍ରିପୁରା ମୁହାଁମୁହିଁ ହୋଇଥିଲେ। ମୋଟ ୯ ମ୍ୟାଚ୍ ମଧ୍ୟରୁ ୫ଟି ଓଡ଼ିଶା ଘରୋଇ ପଡ଼ିଆରେ ଖେଳିବା ଧାର୍ଯ୍ୟ ହୋଇଛି। କଟକର ଡ୍ରିମ୍ସ ଏବଂ ବାରବାଟୀରେ ୨ ଲେଖାଏଁ ଏବଂ ଭୁବନେଶ୍ବରର କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଗୋଟିଏ ମ୍ୟାଚ୍ ଖେଳାଯିବ। ଓଡ଼ିଶାର ୨୦୧୯-୨୦ ଋତୁର ଅଭିଯାନ କିନ୍ତୁ ଛତିଶଗଡ଼ ବିପକ୍ଷରୁ ଆରମ୍ଭ ହେବ। ଡିସେମ୍ବର ୯ରୁ ୧୨ ମଧ୍ୟରେ ଏହି ମ୍ୟାଚ୍ ଛତିଶଗଡ଼ରେ ଖେଳାଯିବ। ଏହା ପରେ ଓଡ଼ିଶା ଡ୍ରିମ୍ସରେ ସର୍ଭିସେସ୍ ଏବଂ ଉତ୍ତରାଖଣ୍ଡ ବିପକ୍ଷରେ ଲଗାତାର ଭାବେ ପରବର୍ତୀ ଦୁଇ ମ୍ୟାଚ୍ ଖେଳି ଆଗକୁ ବଢ଼ିବ। ତ୍ରିପୁରା, ହରିଆଣା ବିପକ୍ଷରେ ଖେଳିବାକୁ ବାହାରକୁ ଯିବା ପରେ ବାରବାଟୀରେ ଜମ୍ମୁ ଓ କଶ୍ମୀର ଏବଂ ଆସାମ ବିପକ୍ଷରେ ମଧ୍ୟ ଲଗାତାର ମ୍ୟାଚ୍ ଖେଳିବ। ମହାରାଷ୍ଟ୍ର ବିପକ୍ଷରେ ଖେଳିବାକୁ ମହାରାଷ୍ଟ୍ର ଯିବ। ଶେଷ ଲିଗ୍ ମ୍ୟାଚ୍ କିଟ୍ ଷ୍ଟାଡିୟମ୍ରେ ୨୦୨୦ ଫେବ୍ରୁଆରି ୧୨ରୁ ୧୫ ମଧ୍ୟରେ ଝାଡ଼ଖଣ୍ଡ ବିପକ୍ଷରେ ଖେଳିବ।
ଅନ୍ୟପକ୍ଷରେ ସିକେ ନାୟୁଡୁ ଟ୍ରଫି (୨୩ ବର୍ଷରୁ କମ୍), କୁଚ୍ ବେହାର ଟ୍ରଫି (୧୯ ବର୍ଷରୁ କମ୍), ବିଜୟ ମର୍ଚାଣ୍ଟ ଟ୍ରଫି (୧୬ ବର୍ଷରୁ କମ୍), ପୁରୁଷ ୨୩ ବର୍ଷରୁ କମ୍ ଦିନିକିଆ, ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦, ବିନୁ ମଙ୍କଡ ଟ୍ରଫି (୧୯ ବର୍ଷରୁ କମ୍) ସହିତ ମହିଳା ଦଳର ସମସ୍ତ ଖେଳସୂଚୀ ମଧ୍ୟ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ପ୍ରକାଶ ପାଇଛି।