ରାଉରକେଲାକୁ ଫେରୁନି ରଣଜୀ ମ୍ୟାଚ୍‌, ୨୧ ବର୍ଷ ପୂର୍ବେ ହୋଇଥିଲା ଶେ‌ଷ ମ୍ୟାଚ୍‌

ଖେଳିଥିଲେ ସଚିନ, ଆଝାର୍‌, କୁମ୍ବଲେ, କାମ୍ବଲି

ରାଉରକେଲା(ଦେବବ୍ରତ ଗଡ଼ତିଆ): ରାଉରକେଲା ଯେ କେବଳ ଇସ୍ପାତ ସହର, ଶିଳ୍ପ ନଗରୀ ଭାବେ ସୁପରିଚିତ ତାହା ନୁହେଁ, କ୍ରୀଡ଼ାବିତଙ୍କ ଅନ୍ତୁଡ଼ିଶାଳ ଭାବେ ମଧ୍ୟ ସୁପ୍ରସିଦ୍ଧ। ଅଦ୍ୟାବଧି ଏହି ମାଟି ଏକାଧିକ ଅନ୍ତର୍ଜାତୀୟ ହକି ଖେଳାଳି, ଅଜୁର୍ନ ପୁରସ୍କାରପ୍ରାପ୍ତ ସାଇକ୍ଲିଷ୍ଟ୍‌, ବଡିବିଲ୍‌ଡର, ଆଥଲେଟ୍‌ ଭେଟି ଦେଇଛି। କ୍ରିକେଟ୍‌ରେ ମଧ୍ୟ ରାଉରକେଲା ଜନ୍ମିତ ଖେଳାଳି ରଣଜୀ ଟ୍ରଫି, ଦଲୀପ ଟ୍ରଫିରେ ଅଧିନାୟକତ୍ବ ଭାର ସମ୍ଭାଳିଛନ୍ତି। ମୋଟାମୋଟି ଭାବେ, ପ୍ରାୟ ସବୁ ବର୍ଗରେ ରାଉରକେଲାର କ୍ରୀଡ଼ାବିତ୍‌ ନିଜର ପରାକାଷ୍ଠା ପ୍ରତିପାଦିତ କରିସାରିଛନ୍ତି। ଏଠାରେ ଭିତ୍ତିଭୂମି, ଗମନାଗମନ ବ୍ୟବସ୍ଥା ସମେତ ହୋଟେଲ ଆଦି ବି ଉପଲବ୍ଧ। ତଥାପି ମାନ୍ୟତାପ୍ରାପ୍ତ ପ୍ରତିଯୋଗିତା ଆୟୋଜନରେ ରାଉରକେଲା ବେଶ୍‌‌ ପଛରେ ପଡ଼ିଯାଇଛି। ବିଶେଷକରି ଲିଷ୍ଟ୍‌ ଏ’ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରିବାରୁ ରାଉରକେଲା ବଞ୍ଚିତ ରହିଛି। ପାଖାପାଖି ୨୧ ବର୍ଷ ପୂର୍ବେ ରାଉରକେଲାରେ ଶେଷ ଥର ପାଇଁ ରଣଜୀ ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଏହାପରଠାରୁ କିନ୍ତୁ ଆଉ ରଣଜୀ ମ୍ୟାଚ୍‌ ଆୟୋଜିତ ହୋଇପାରିନି।

ଇସ୍ପାତ ଷ୍ଟାଡିୟମ୍‌ରେ ଭିତ୍ତିଭୂମି ଅଭାବ ବାଧକ

ଓଡ଼ିଶାରେ ରଣଜୀ ମ୍ୟାଚ୍‌ ଇତିହାସ ବହୁ ପୁରୁଣା। ଓଡ଼ିଶା ଦଳ ୧୯୪୯-୫୦ ରଣଜୀ ଋତୁରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା। ୧୯୪୯ ଡିସେମ୍ବର ୧୦ ତାରିଖରେ ଓଡ଼ିଶା ଜାମସେଦପୁରଠାରେ ବିହାର ବିପକ୍ଷରେ ନିଜର ପ୍ରଥମ ରଣଜୀ ମ୍ୟାଚ୍‌ ଖେଳିଥିଲା। ଏହାର ବର୍ଷକ ପରେ, ଅର୍ଥାତ୍‌ ୧୯୫୦ରେ ଓଡ଼ିଶା ସର୍ବପ୍ରଥମଥର ପାଇଁ ବାରବାଟୀ ଷ୍ଟାଡିୟମରେ ରଣଜୀ ମ୍ୟାଚ୍‌ ଆୟୋଜନ କରିଥିଲା। ଓଡ଼ିଶା ମାଟିରେ ପ୍ରଥମ ରଣଜୀ ମ୍ୟାଚ୍‌ ଓଡ଼ିଶା-ବିହାର ମଧ୍ୟରେ ଖେଳାଯାଇଥିଲା। ଏହାପରେ ବାରବାଟୀ ଷ୍ଟାଡିୟମରେ ଅନେକଗୁଡ଼ିଏ ମ୍ୟାଚ୍‌ ଖେଳାଯାଇଥିବା ବେଳେ ୧୯୬୭ ମସିହାରେ ପ୍ରଥମଥର ପାଇଁ କଟକ ବାହାରେ, ଅର୍ଥାତ୍‌ ବ୍ରହ୍ମପୁରରେ ରଣଜୀ ମ୍ୟାଚ୍‌ ଆୟୋଜିତ ହୋଇଥିଲା। କଟକ ଓ ବ୍ରହ୍ମପୁର ପରେ ରାଜ୍ୟରେ ତୃତୀୟ ସହର ଭାବେ ରଣଜୀ ମ୍ୟାଚ୍‌ ଆୟୋଜନ କରିବାର ଭାଗ୍ୟ ଜୁଟିଥିଲା ରାଉରକେଲାକୁ। ୧୯୬୯ ମସିହା ଡିସେମ୍ବର ୩୦ ତାରିଖରେ ପ୍ରଥମଥର ପାଇଁ ରାଉରକେଲା ସ୍ଥିତ ଇସ୍ପାତ ଷ୍ଟାଡିୟମରେ ରଣଜୀ ମ୍ୟାଚ୍‌ ଖେଳାଯାଇଥିଲା। ଏହା ପରଠାରୁ ୧୯୯୮ ମସିହା ପର୍ଯ୍ୟନ୍ତ ଏଠାରେ ମୋଟ୍‌ ୧୧ଟି ରଣଜୀ ମ୍ୟାଚ୍‌ ଖେଳାଯାଇଛି। ତେବେ ଶେଷ ଥର ପାଇଁ ୧୯୯୮ ଫେବ୍ରୁଆରି ୨୩ ତାରିଖରେ ରଣଜୀ ସୁପରଲିଗ୍‌ର ଏକ ମ୍ୟାଚ୍‌ ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କର୍ଣ୍ଣାଟକ ଏକ ପାଳି ଓ ୧୨୩ ରନ୍‌ରେ ଜିତିନେଇଥିଲା। ଉକ୍ତ ମ୍ୟାଚ୍‌ରେ କର୍ଣ୍ଣାଟକ ଦଳ ପକ୍ଷରୁ ଭାରତର ପୂର୍ବ ଅଧିନାୟକ ତଥା ସ୍ପିନ୍‌ କିମ୍ବଦନ୍ତୀ ଅନିଲ କୁମ୍ବଲେ, ଭାରତୀୟ ଦଳର ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ, ସ୍ପିନର ସୁନିଲ ଯୋଶୀଙ୍କ ଭଳି ତାରକା ଏଠାରେ ଖେଳିଥିଲେ। ସେତେବେଳେ ଓଡ଼ିଶା ଦଳରେ ଶିବ ସୁନ୍ଦର ଦାସ, ପ୍ରଭଞ୍ଜନ ମଲ୍ଲିକ, ପି ଜୟଚନ୍ଦ୍ରଙ୍କ ଭଳି ତାରକା ଖେଳାଳି ଥିଲେ। ଏହା ପୂର୍ବରୁ ୧୯୯୦ ମସିହାରେ ରାଉରକେଲାରେ ୧୯ ବର୍ଷରୁ କମ୍‌ ଭାରତ-ପାକିସ୍ତାନ ଟେଷ୍ଟ୍‌ ମ୍ୟାଚ୍‌ ମଧ୍ୟ ଖେଳାଯାଇଥିଲା। ଉକ୍ତ ମ୍ୟାଚ୍‌ରେ ଭାରତୀୟ ଦଳରେ ରଞ୍ଜୀବ ବିଶ୍ବାଳ ଅଧିନାୟକ ଓ ଅଜୟ ଜାଡେଜା ଉପଅଧିନାୟକ ଭାର ସମ୍ଭାଳିଥିଲେ। ଏମିତିକି ବିଗତ ଦିନରେ ରାଉରକେଲାରେ ଦୁଇ ଦୁଇଟି ଦଲୀପ ଟ୍ରଫି ମ୍ୟାଚ୍‌ ମଧ୍ୟ ଖେଳାଯାଇଛି। ୧୯୯୧ ଓ ୧୯୯୪ ମସିହାରେ ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଦୁଇଟି ଦଲୀପ ଟ୍ରଫି ମ୍ୟାଚ୍‌ ଖେଳାଯାଇଥିଲା। ଉଭୟ ମ୍ୟାଚ୍‌ରେ ଭାରତର ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକରଙ୍କ ସମେତ ମହମ୍ମଦ ଆଝାରୁଦ୍ଦିନ, କେ ଶ୍ରୀକାନ୍ତ, ସୟଦ କିର୍ମାନି, ଡବ୍ଲ୍ୟୁଭି ରମଣ, ରବି ଶାସ୍ତ୍ରୀ, ବିନୋଦ କାମ୍ବଲୀ, ଲାଲଚାନ୍ଦ ରାଜପୁତ, କିରଣ ମୋରେ, ଦିଲୀପ ଭେଙ୍ଗସରକାରଙ୍କ ଭଳି ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଥିଲେ। ୧୯୯୮ ମସିହା ପରେ ଏଠାରେ ୨୦୦୭ରେ ୨୨ ବର୍ଷରୁ କମ୍‌ ଓଡ଼ିଶା-ଆସାମ ମ୍ୟାଚ୍‌ ଏବଂ ୨୦୧୬ରେ ୧୬ ବର୍ଷରୁ କମ୍‌ ଓଡ଼ିଶା-ଆସାମ ମ୍ୟାଚ ଖେଳାଯାଇଥିଲା। କିନ୍ତୁ ଏହା ପରଠାରୁ ଗୋଟିଏ ବି ରଣଜୀ ମ୍ୟାଚ୍‌ ଖେଳାଯାଇନି। ଅପରପକ୍ଷରେ ସମ୍ବରପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ, ଟାଙ୍ଗୀର ଡ୍ରିମ୍‌ସ ପଡ଼ିଆ, ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିୟମ, ଭୁବନେଶ୍ବରର କିଟ୍‌, ରେଳବାଇ, ବିକାଶ ଷ୍ଟାଡିୟମ, ବାରିପଦା, ବାଲେଶ୍ବର ଆଦି ଏକାଧିକ ପଡ଼ିଆରେ ରଣଜୀ ମ୍ୟାଚ୍‌ ଅନୁଷ୍ଠିତ ହୋଇସାରିଛି।

ଇସ୍ପାତ ଷ୍ଟାଡିୟମରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଯୋଗୁଁ ୧୯୯୮ ପରଠାରୁ ଆଉ ରଣଜୀ ମ୍ୟାଚ୍‌ ଆୟୋଜନ ଅଧିକାର ଆର୍‌ଏସ୍‌ପିକୁ ଦିଆଯାଇନି। ବିସିସିଆଇ ନିୟମାନୁଯାୟୀ, ରଣଜୀ ମ୍ୟାଚ୍‌ ଆୟୋଜନ ପାଇଁ ଷ୍ଟାଡିୟମରେ ଉଭୟ ଦଳ ପାଇଁ ଅଲଗା ଅଲଗା ଗ୍ରିନ ରୁମ୍‌, ଡ୍ରେସିଂ ରୁମ୍‌, ମ୍ୟାଚ୍‌ ପରିଚାଳକ ଓ ନିରୀକ୍ଷକଙ୍କ ପାଇଁ ସ୍ବତନ୍ତ୍ର କକ୍ଷ, ଦୁଇ ଦଳର ଅଭ୍ୟାସ ପାଇଁ ପୃଥକ୍‌ ପିଚ୍‌, ଘାସଭର୍ତ୍ତି ସମତଳ ପଡ଼ିଆ ବ୍ୟବସ୍ଥା ଆଦି ବିଭିନ୍ନ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ ଇସ୍ପାତ ଷ୍ଟାଡିୟମରେ ଏସବୁ ବ୍ୟବସ୍ଥା ନାହିଁ। ଇସ୍ପାତ ଷ୍ଟାଡିୟମ ପରିଚାଳନା ଦାୟିତ୍ବରେ ଥିବା ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ତୃପକ୍ଷ ମଧ୍ୟ ଏ ଦିଗକୁ ବିଶେଷ ଧ୍ୟାନ ଦେଉନାହାନ୍ତି। ଏସବୁ ଅବ୍ୟବସ୍ଥାକୁ ସୁଧାରିଲେ ଅନାୟାସରେ ଏଠାରେ ରଣଜୀ ମ୍ୟାଚ୍‌ ଆୟୋଜନ କରାଯିବାକୁ ପୂର୍ବରୁ ବହୁବାର ଓସିଏ କର୍ତୃପକ୍ଷ ପ୍ରତିଶ୍ରୁତି ଦେବା ସତ୍ତ୍ବେ, ଆର୍‌ଏସ୍‌ପି କର୍ତୃପକ୍ଷଙ୍କ କ୍ରମାଗତ ଅବହେଳା କିନ୍ତୁ ରାଉରକେଲାକୁ ରଣଜୀ ମ୍ୟାଚ୍‌ ଫେରିବା ଆଶାକୁ ଚୂର୍‌ମାର କରି କରିଚାଲିଛି। ବିଳମ୍ବ ହେଲେ ମଧ୍ୟ, ତ୍ରୁଟି ସୁଧାରି ଇସ୍ପାତ ଷ୍ଟାଡିୟମ‌ରେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ କ୍ରୀଡ଼ାପ୍ରେମୀ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧିତ ଖବର

Comments are closed.