ରଣଜୀ ଟ୍ରଫି:ମୁମ୍ବାଇ, ତାମିଲନାଡ଼ୁ, ଆନ୍ଧ୍ରକୁ ୩ ପଏଣ୍ଟ୍‌

ଭୁବନେଶ୍ୱର: ରଣଜୀ ଟ୍ରଫିରେ ଓଡ଼ିଶା ସ୍ଥାନ ପାଇଥିବା ଗ୍ରୁପ୍‌ ‘ସି’ର ଦ୍ୱିତୀୟ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଫଳରେ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ମୁମ୍ବାଇ, ତାମିଲନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶ ୩ ପଏଣ୍ଟ୍‌ ଲେଖାଏଁ କରାୟତ କରିନେଇଛନ୍ତି।
ଇନ୍ଦୋରରେ ଖେଳାଯାଇଥିବା ମଧ୍ୟପ୍ରଦେଶ-ମୁମ୍ବାଇ ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ମଧ୍ୟପ୍ରଦେଶ ନମନ ଓଝାଙ୍କ ଶତକ (୧୮୦ ରନ୍‌) ବଳରେ ୪୦୯ ରନ୍‌ କରିଥିଲା। ଜବାବରେ ମୁମ୍ବାଇ ପ୍ରଥମ ପାଳିରେ ଜୟ ବିଷ୍ଟଙ୍କ ଶତକ (୧୩୫) ଏବଂ ସିଧେଶ ଲାଡ୍‌ (୮୨) ଓ ସୂର୍ଯ୍ୟକୁମାର ଯାଦବ (୯୧) ଅର୍ଧଶତକ ସହାୟତାରେ ସମସ୍ତ ଓ୍ଵିକେଟ୍‌ ହରାଇ ୪୪୦ ରନ୍‌ କରି ୩୧ ରନ୍‌ରେ ଅଗୁଆ ରହିଥିଲା। ଦ୍ୱିତୀୟ ପାଳିରେ ମଧ୍ୟପ୍ରଦେଶ ଶେଷ ଦିନ ସୁଦ୍ଧା ୬ ଓ୍ଵିକେଟ୍‌ ହରାଇ ୧୪୫ ରନ୍‌ କରିିଥିଲା। ଫଳରେ ପ୍ରଥମ ପାଳିରେ ଆଗୁଆ ଥିବା ମୁମ୍ବାଇକୁ ୩ ଏବଂ ମଧ୍ୟପ୍ରଦେଶକୁ ୧ ପଏଣ୍ଟ୍‌ ମିଳିଥିଲା।
ଚେନ୍ନାଇରେ ଖେଳାଯାଇଥିବା ତାମିଲନାଡ଼ୁ-ତ୍ରିପୁରା ମ୍ୟାଚରେ ଘରୋଇ ଦଳ ୩ ପଏଣ୍ଟ୍‌ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରି ତ୍ରିପୁରା ସ୍ମିତ ପଟେଲ (୯୯) ଏବଂ ଯଶପାଲ ସିଂହ (୯୬) ଅର୍ଧଶତକ ସତ୍ତ୍ୱେ ସମସ୍ତ ଓ୍ଵିକେଟ୍‌ ହରାଇ ୨୫୮ ରନ୍‌ କରିଥିଲା। ଜବାବରେ ତାମିଲନାଡ଼ୁ ପ୍ରଥମ ପାଳିରେ ଓ୍ଵାସିଂଟନ୍‌ ସୁନ୍ଦରଙ୍କ ଶତକ (୧୫୯) ଏବଂ ବାବା ଇନ୍ଦରଜିତ (୮୯) ଓ ଅଭିନବ ମୁକୁନ୍ଦ (୭୬)ଙ୍କ ଅର୍ଧଶତକ ସହାୟତାରେ ୩୫୭/୪ ପାଳି ଘୋଷଣା କରିଥିଲା। ତ୍ରିପୁରା ଦ୍ୱିତୀୟ ପାଳି ଆରମ୍ଭ ଚତୁର୍ଥ ଦିନ ଶେଷ ସୁଦ୍ଧା ୩ ଓ୍ଵିକେଟ୍‌ ହରାଇ ୯୧ ରନ୍‌ କରିବା ସହ ମ୍ୟାଚ୍‌ ବଞ୍ଚାଇ ୧ ପଏଣ୍ଟ୍‌ କରାୟତ କରିଥିଲା।
ଭଦୋଦରାରେ ଖେଳାଯାଇଥିବା ବରୋଦା-ଆନ୍ଧ୍ରପ୍ରଦେଶ ମ୍ୟାଚ୍‌ରେ ଆନ୍ଧ୍ର ୩ ପଏଣ୍ଟ୍‌ ପକଟେସ୍ଥ କରିଛି। ପ୍ରଥମ ପାଳିରେ ବରୋଦା ସମସ୍ତ ଓ୍ଵିକେଟ୍‌ ହରାଇ ୩୭୩ ରନ୍‌ କରିଥିଲା।

କେଦାର ଦେବଧର ୯୩, ସ୍ୱପ୍ନିଲ ସିଂହ ୮୮, ଅତିତ ସେଠ୍‌ ୭୦* ଏବଂ ବିଷ୍ଣୁ ସୋଲାଙ୍କି ୬୧ ରନ୍‌ କରିଥିଲେ। ଜବାବରେ ଆନ୍ଧ୍ରପ୍ରଦେଶ ପ୍ରଥମ ପାଳିରେ ସମସ୍ତ ଓ୍ଵିକେଟ୍‌ ହରାଇ ୫୫୪ ରନ୍‌ କରି ୧୮୧ ରନ୍‌ ଆଗୁଆ ରହିଥିଲା। ହନୁମା ବିହାରୀ (୧୫୦) ଏବଂ ରିକି ଭୁଇ (୧୪୫) ଶତକ ହାସଲ କରିଥିଲା ବେଳେ ବୋଦାପତି ସୁମନ୍ତ (୮୬) ଅର୍ଧଶତକୀୟ ପାଳି ଖେଳିଥିଲେ। ବରୋଦା ଦ୍ୱିତୀୟ ପାଳିରେ ଆଦିତ୍ୟ ଓ୍ଵାଘମୋଦ୍‌ (୫୬), ବିଷ୍ଣୁ ସୋଲାଙ୍କି (୬୮) ଏବଂ ସ୍ୱପ୍ନୀଲ (୫୦)ଙ୍କ ଅର୍ଧଶତକ ବଳରେ ୬ ଓ୍ଵିକେଟ୍‌ ହରାଇ ୧୯୫ ରନ୍‌ କରି ମ୍ୟାଚ୍‌ ବଞ୍ଚାଇବା ସହ ଦଳକୁ ୧ ପଏଣ୍ଟ୍‌ ଦେଇଥିଲେ।
ଓଡ଼ିଶା ଦ୍ୱିତୀୟ ରାଉଣ୍ଡ୍‌ରେ ବିଶ୍ରାମ ପାଇଥିଲା ବେଳେ ତୃତୀୟ ରାଉଣ୍ଡ୍‌ରେ ଆନ୍ଧ୍ର ପ୍ରଦେଶ ସହ ୨୪ରୁ ବିଜୟଓ୍ଵାଡାରେ ଖେଳିବ।

ସମ୍ବନ୍ଧିତ ଖବର