ରଣଜୀ ଟ୍ରଫି, ରାଜସ୍ଥାନଠାରୁ ଆଦୌ ଜିତିନି ଓଡ଼ିଶା

୭ ମ୍ୟାଚ୍‌ରୁ ହାରିଛି ୪; ଅମୀମାଂସିତ ୩

କଟକ: ଶୁକ୍ରବାରଠୁ ଭୁବନେଶ୍ବରର ବିକାଶ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ରଣଜୀ ମୁକାବିଲା। ତେବେ ଘରୋଇ ଦଳ ପାଇଁ ଏହି ମ୍ୟାଚ୍‌ ଏବେ ପରୀକ୍ଷା ସଦୃଶ ହେବ। ବର୍ତ୍ତମାନ ସୁଦ୍ଧା ସମସ୍ତ ମ୍ୟାଚ୍‌କୁ ତର୍ଜମା କଲେ ରାଜସ୍ଥାନର ପଲ୍ଲା ସବୁଠୁ ଭାରି ରହୁଛି। ଚଳିତ ଋତୁରେ ରାଜସ୍ଥାନ ଖେଳିଥିବା ୫ ମ୍ୟାଚ୍‌ରୁ ୪ ଜିତିଥିଲା ବେଳେ ଉତ୍ତରପ୍ରଦେଶ ବିପକ୍ଷ ଅମୀମା˚ସିତ ମ୍ୟାଚ୍‌ରେ ପାଳି ଅଗ୍ରଣୀ ପାଇଥିଲା। ତେଣୁ ଏଲିଟ୍‌ ଗ୍ରୁପ୍‌ ସି’ରେ ରାଜସ୍ଥାନ ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହିଛି। ହେଲେ ଏହା ତୁଳନାରେ ଓଡ଼ିଶା ପ୍ରଶ˚ସା ଅପେକ୍ଷା ସମାଲୋଚିତ ବେଶି ହୋଇଛି। ପ୍ରତ୍ୟେକ ମ୍ୟାଚ୍‌ରେ ଜଣେ କିମ୍ବା ଦୁଇ ଜଣଙ୍କୁ ଛାଡ଼ିଦେଲେ ଆଉ କେହି ସାମର୍ଥ୍ୟ ଅନୁଯା‌ୟୀ ପ୍ରଦର୍ଶନ ଦେଉନାହାନ୍ତି। ୫ ମ୍ୟାଚ୍‌ରୁ ମାତ୍ର ୧୩ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଆସାମ ଓ ତ୍ରିପୁରା ବିପକ୍ଷରେ ଓଡ଼ିଶା ବିଜୟ ପାଇଥିଲେ ବି ସେଥିରେ ମଧ୍ୟ ସମସ୍ତଙ୍କ ଅବଦାନ ଆସୁନଥିଲା। ଝାଡ଼ଖଣ୍ତ ବିପକ୍ଷ ଶେଷ ମ୍ୟାଚ୍‌ରେ କେବଳ ଶୁଭ୍ରା˚ଶୁ ସେନାପତି ଶେଷ ପର୍ଯ୍ୟନ୍ତ ଦଳକୁ ଜିତାଇବା ପାଇଁ ସ˚ଘର୍ଷ କରିଚାଲିଥିଲେ, କିନ୍ତୁ ବରିଷ୍ଠ ଖେଳାଳିମାନଙ୍କ ଦାୟିତ୍ବହୀନତା ପାଇଁ ଓଡ଼ିଶା ଅଳ୍ପକେ ମ୍ୟାଚ୍‌ ହାତଛଡ଼ା କରିଥିଲା। ତେଣୁ ଏଠାରେ ଓଡ଼ିଶା ଖେଳାଳିଙ୍କୁ କେବଳ ଖେଳିବା ଅପେକ୍ଷା ଆହୁରି ଅନେକ ହୋମ୍‌ଵର୍କ କରିବାକୁ ହେବ।

ଏହି ଋତୁ ପୂର୍ବରୁ ଉଭୟ ଓଡ଼ିଶା ଓ ରାଜସ୍ଥାନ ୭ ଥର ସାମ୍ନାସାମ୍ନି ହୋଇଛନ୍ତି। ସେଥିରେ ରାଜସ୍ଥାନ ୪ଟିରେ ବିଜୟୀ ହୋଇଥିଲା ବେଳେ ଅନ୍ୟଗୁଡ଼ିକ ଅମୀମା˚ସିତ ରହିଥିଲା। ‌ତେବେ ଅମୀମା˚ସିତ ୩ ମ୍ୟାଚ୍‌ରୁ ମାତ୍ର ଗୋଟିକରେ ଓଡ଼ିଶା ପାଳି ଅଗ୍ରଣୀ ପାଇଥିଲା। ୧୯୮୩-୮୪ରେ ଏହି ଦୁଇ ଦଳଙ୍କ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା ବେଳେ ଏଥିରେ ଅମୀମା˚ସିତ ଫଳାଫଳରୁ ରାଜସ୍ଥାନ ଅଗ୍ରଣୀ ପାଇଥିଲା। ଏହାପରେ ୨୦୦୫-୦୬ରେ ରାଜସ୍ଥାନ ୯ ଵିକେଟରେ ବିଜୟୀ ହୋଇଥିଲା ବେଳେ ୨୦୦୮-୦୯ରେ ଅମୀମା˚ସିତ ମ୍ୟାଚ୍‌ରେ ଓଡ଼ିଶା ଅଗ୍ରଣୀ ପାଇଥିଲା। ୨୦୧୧-୧୨, ୨୦୧୪-୧୫ ଓ ୨୦୧୫-୧୬ରେ ରାଜସ୍ଥାନ ଯଥାକ୍ରମେ ପାଳି ସହ ୫୬ ରନ୍‌, ୧୦ ଵିକେଟ ଓ ୨ ଵିକେଟ୍‌ରେ ବିଜୟୀ ହୋଇଥିଲା। ୨୦୧୬-୧୭ରେ ହୋଇଥିବା ଅମୀମା˚ସିତ ମ୍ୟାଚ୍‌ରେ ରାଜସ୍ଥାନ ଅଗ୍ରଣୀ ପାଇଥିଲା। ସବୁଠାରୁ ରୋଚକ ଘଟଣାକ୍ରମରେ ରାଜସ୍ଥାନକୁ ଦୁଇଥର ରଣଜୀ ବିଜେତା କରାଇଥିବା ରଶ୍ମିର˚ଜନ ପରିଡ଼ା ଗୋଟିଏ ଋତୁରେ ନିଜ ରାଜ୍ୟ ବିପକ୍ଷରେ ଖେଳିଥିବା ଦେଖାଯାଇଥିଲା। ୨୦୧୧-୧୨ ଋତୁରେ ରାଜସ୍ଥାନ ପାଳି ବିଜୟ ପାଇଥିଲା ବେଳେ ରଶ୍ମି ଏହି ମ୍ୟାଚ୍‌ରେ ଖେଳିଥିଲେ। ପ୍ରଥମ ପାଳିରେ ରାଜସ୍ଥାନ ୪୨୩ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା ବେଳେ ରଶ୍ମି ୩୦ ରନ୍‌ କରିଥିଲେ। ଓଡ଼ିଶା ପ୍ରଥମ ପାଳିରେ ୧୩୪ ରନ୍‌ କରି ଫଲୋଅନ୍‌ ଖେଳିବା ପରେ ଦ୍ବିତୀୟ ପାଳିରେ ୨୩୩ ରନ୍‌ କରିପାରିଥିଲା। ଏହି ଋତୁରେ ରଶ୍ମି ୧୦ ମ୍ୟାଚ୍‌ରୁ ୩୫.୪୧ ରନ୍‌ ହାରରେ ୪୨୫ ରନ୍‌ କରିଥିଲେ। ବର୍ତ୍ତମାନ ରଶ୍ମି ଓଡ଼ିଶାର ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଥିବାରୁ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବା ନେଇ ଆଶା କରାଯାଇପାରେ।

ସମ୍ବନ୍ଧିତ ଖବର