ରଣଜୀ ଟ୍ରଫି:ଆନ୍ଧ୍ରର ୫୮୪/୫ ଜବାବରେ ଓଡ଼ିଶା ୩୨/୧

ବିହାରୀଙ୍କ ତ୍ରିଶତକ, ଚାପରେ ଓଡ଼ିଶା

କଟକ: ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ପ୍ରଶାନ୍ତ କୁମାରଙ୍କ ଶତକ ପରେ ଅଧିନାୟକ ହନୁମା ବିହାରୀଙ୍କ ପ୍ରଥମ ତ୍ରିଶତକ (୩୦୨*) ଓ ରିକି ଭୁଇଙ୍କ ଚତୁର୍ଥ ଶତକ ବଳରେ ଆନ୍ଧ୍ରପ୍ରଦେଶ ଏଠାରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ବଡ଼ ସ୍କୋର୍‌ ଛିଡ଼ା କରି ଦୃଢ଼ ସ୍ଥିତି ପାଇଯାଇଛି। ମଙ୍ଗଳବାର ପ୍ରଥମ ଦିନ ୨ ଓ୍ଵିକେଟ୍‌ ବିନିମୟରେ ୨୭୮ ରନ୍‌ କରିଥିବା ଆନ୍ଧ୍ର ବୁଧବାର ଦ୍ୱିତୀୟ ଦିବସରେ ୫୮୪/୫ରେ ପ୍ରଥମ ପାଳି ଘୋଷଣା କରିଦେଇଥିଲା। ଏହାର ଜବାବରେ ଦ୍ୱିତୀୟ ଦିନ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଓଡ଼ିଶା ୧୨ ଓଭର ଖେଳି ନଟରାଜ ବେହେରାଙ୍କ ଓ୍ଵିକେଟ ହରାଇ ୩୨ ରନ୍‌ କରିଛି। ପାଳିର ଚତୁର୍ଥ ଓଭରରେ ନଟରାଜ (୪) ଏଲ୍‌ବିଡବ୍ଲୁ ହୋଇ ଦଳକୁ ପ୍ରଥମ୍‌ ଝଟ୍‌କା ଦେଇଥିଲେ। ଭାର୍ଗବ ଭଟ୍ଟ ଏହି ଓ୍ଵିକେଟ ନେଇଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସନ୍ଦୀପ ପଟ୍ଟନାୟକ ୧୪ ଓ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୧୪ ରନ୍‌ କରି ଅପରାଜିତ ରହିଛନ୍ତି।

ପ୍ରଥମ ଦିନ ଅପରାଜିତ ଶତକ ଅର୍ଜନ କରିଥିବା ବିହାରୀ ଦ୍ୱିତୀୟ ଦିନ ମଧ୍ୟ ଓଡ଼ିଶା ବୋଲରଙ୍କୁ ନିରାଶ କରିଚାଲିଥିଲେ। ୨୭୮/୨ରୁ ଖେଳିଥିବା ଆନ୍ଧ୍ର ପକ୍ଷରୁ ଅଧିନାୟକ ହନୁମା ତାଙ୍କର ପଞ୍ଚମ ଦ୍ୱିଶତକ ଅର୍ଜନ କରିଥିଲେ। ଏପରିକି ଧିରେଧିରେ ନିଜର ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ଭାଙ୍ଗି ଚାଲିଥିଲେ। ମଧ୍ୟାହ୍ନ ବିରତି ସୁଦ୍ଧା ହନୁମା ୨୦୦ ଓ ଅନ୍ୟତମ ଅପରାଜିତ ବ୍ୟାଟ୍ସମ୍ୟାନ ରିକି ଭୁଇ (୮୦*) ଅର୍ଧଶତକ ହାସଲ କରିିଥିଲେ। ବିରତି ପରେ ରିକି ମ୍ୟାଚ୍‌ର ତୃତୀୟ ଶତକ ପୂରଣ କରିଥିଲେ। ତେବେ ଗୋବିନ୍ଦ ପୋଦ୍ଦାର ୧୩୪ତମ ଓଭରର ଦ୍ୱିତୀୟ ବଲ୍‌ରେ ରିକିଙ୍କୁ ଏଲ୍‌ବିଡବ୍ଲୁ ଆଉଟ୍‌ କରିଥିଲେ। ଗୋଟିଏ ଓଭର ବ୍ୟବଧାନରେ ରବି ତେଜା (୧)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ବୋଲ୍ଡ କରିଦେଇଥିଲେ। ଲଗାତର ଦୁଇଟି ସଫଳତା ମିଳିବା ପରେ ଓଡ଼ିଶା ଶିବିରରେ ସାମାନ୍ୟ ଆଶ୍ୱସ୍ତି ଆସିଥିଲେ ବି ଅନ୍ୟପଟେ ବିହାରୀ ନିଜ ଧୈର୍ଯ୍ୟର ପ୍ରମାଣ ଦେଇଚାଲିଥିଲେ। ତାଙ୍କ ଓ୍ଵିକେଟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲେ ମଧ୍ୟ କୌଣସି ଓଡ଼ିଶା ବୋଲର ତାଙ୍କୁ ରୋକିବାରେ ବିଫଳ ହୋଇଥିଲେ। ଚା’ପାନ ବିରତି ବେଳକୁ ଆନ୍ଧ୍ର ପ୍ରଦେଶ ୫୦୦ ରନ୍‌ ପୂରଣ କରିନେଇଥିଲା। ବିହାରୀଙ୍କୁ ସହଯୋଗ କରିଆସୁଥିବା ବୋଦାପତି ସୁମନ୍ତ (୧୭ ରନ୍‌, ୭୮ ବଲ୍‌) ବିରତି ପରେପରେ ଓ୍ଵିକେଟ ହରାଇ ବସିଥିଲେ। ତାଙ୍କୁ ଆଉଟ କରି ଧୀରାଜ ମ୍ୟାଚ୍‌ରେ ପ୍ରଥମ ଓ୍ଵିକେଟ୍‌ ନେଇଥିଲେ। ଏହାପରେ ଅଶ୍ୱିନ ହେବରଙ୍କ ସହ ମିଶି ବିହାରୀ ପାଳିକୁ ଆଗକୁ ବଢାଇବା ସହ ଖେଳ ଜୀବନର ପ୍ରଥମ ତ୍ରିଶତକ ଅର୍ଜନ କରିଥିଲେ। ଏଥିପାଇଁ ତାଙ୍କୁ ୪୫୩ ବଲ୍‌ର ସମ୍ମୁଖୀନ ହେବାକୁୁ ପଡ଼ିଥିଲା। ତାଙ୍କର ଏହି ଅବରାଜିତ ପାଳି ିମଧ୍ୟରେ ୨୯ ଚୌକା ଓ ୨ଛକା ଅନ୍ତର୍ଭୁକ୍ତ। ତ୍ରିଶତକ ଅର୍ଜନ କରବା ପରେ ବିହାରୀ ମଧ୍ୟ ପାଳି ଘୋଷଣା କରିଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ଆନ୍ଧ୍ରପ୍ରଦେଶ ୧୬୬ ଓଭରରେ ୫୮୪/୫, ଘୋଷିତ (ହନୁମା ବିହାରୀ ୩୦୨*, ପ୍ରଶାନ୍ତ କୁମାର ୧୨୭, ରିକି ଭୁଇ ୧୦୦, ସୂର୍ଯ୍ୟକାନ୍ତ ପ୍ରଧାନ ୨/୧୦୬, ବସନ୍ତ ମହାନ୍ତି ୧/୮୨, ଗୋବିନ୍ଦ ପୋଦ୍ଦାର ୧/୧୦୨, ଧୀରାଜ ସିଂହ ୧/୧୩୭। ଓଡ଼ିଶା ୧୨ ଓଭରରେ ୩୨/୧ (ସନ୍ଦୀପ ପଟ୍ଟନାୟକ ୧୪*, ନଟରାଜ ବେହେରା ୪, ଗୋବିନ୍ଦ ପୋଦ୍ଦାର ୧୪*, ଭାର୍ଗବ ଭଟ୍ଟ ୧/୧୨)।

ସମ୍ବନ୍ଧିତ ଖବର