ରଣଜୀ ଟ୍ରଫି: ପ୍ରଥମ ଦିନ ବରୋଦା ୨୮୧/୩

କଟକ: ଓଡ଼ିଶା ବୋଲରମାନଙ୍କ ଚମକହୀନ ପ୍ରଦର୍ଶନ ଯୋଗୁଁ ଘରୋଇ ବରୋଦା ରଣଜୀ ଟ୍ରଫିର ପ୍ରଥମ ଦିନରେ ଏବେ ଭଲ ସ୍ଥିତିରେ ପହଞ୍ଚିଯାଇଛି। ବରୋଦା ପ୍ରଥମ ଦିନର ଷ୍ଟମ୍ପସ୍‌ ଅପସାରଣ ବେଳକୁ ୩ ଓ୍ଵିକେଟ ବିନିମୟରେ ୨୮୧ ରନ୍‌ ସଂଗ୍ରହ କରିଛି। ବସନ୍ତ ମହାନ୍ତି, ବିପ୍ଲବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି। ଭଦୋଦରାସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଘରୋଇ ଦଳର ଦୁଇ ଯୁବ ଖେଳାଳି ଧ୍ରୁବ ପଟେଲ ଓ ନିନାଦ ରଥ୍‌ବା ପଦାର୍ପଣ କରିଥିଲେ। କିନ୍ତୁ ଓଡ଼ିଶା ଦଳରେ କୌଣସି ପରିବର୍ତ୍ତନ କରିଯାଇନଥିଲା।

ଟସ୍‌ ଜିତି ଓଡ଼ିଶା କ୍ଷେତ୍ରରକ୍ଷଣ କରିଥିଲା। ଘରୋଇ ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଦାର ଦେଓଧର ଓ ଆଦିତ୍ୟ ଓ୍ଵାଘମୋଡ ଓଡ଼ିଶାର ସବୁ ଯୋଜନାରେ ପାଣି ମଡ଼ାଇ ଦେଇଥିଲେ। ପିଚ୍‌ରୁ ବୋଲରଙ୍କୁ ସହାୟତା ମିଳିବା ଆଶାରେ ଓଡ଼ିଶା ବୋଲିଂ କରିଥିଲେ ବି ଆରମ୍ଭରୁ ଦଳକୁ କୌଣସି ଫାଇଦା ମିଳିନଥିଲା। ଏହି ଦୁଇ ବ୍ୟାଟ୍ସମ୍ୟାନ ବିନା ବାଧାରେ ହାତଖୋଲା ସଟ୍‌ ଖେଳୁଥିଲେ। ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ବରୋଦାର ଗୋଟିଏ ହେଲେ ଓ୍ଵିକେଟ ଯାଇନଥିଲା, କେଦାର ଅର୍ଧଶତକ ଅର୍ଜନ କରିଥିଲେ। ବିରତି ପରେ ଅର୍ଧଶତକ ଅର୍ଜନ କରିଥିବା ଆଦିତ୍ୟ (୫୨)ଙ୍କ ରୂପରେ ଓଡ଼ିଶାକୁ ପ୍ରଥମ ସଫଳତା ମିଳିଥିଲା। ବସନ୍ତ ମହାନ୍ତି ତାଙ୍କୁ ଆଉଟ କରିଥିଲେ। ତେବେ ଆଉଟ ହେବା ବେଳକୁ ଉଭୟଙ୍କ ମଧ୍ୟରେ ୧୫୨ ରନ୍‌ର ପ୍ରଥମ ଓ୍ଵିକେଟ୍‌ ଭାଗୀଦାରି ହୋଇସାରିଥିଲା। ଆଦିତ୍ୟଙ୍କ ସ୍ଥାନରେ ଆସିଥିବା ବିଷ୍ଣୁ ସୋଲାଙ୍କି ମଧ୍ୟ କେଦାରଙ୍କୁ ଉଚିତ୍‌ ସହଯୋଗ ଦେଇଥିଲେ। ଏଥିମଧ୍ୟରେ କେଦାର ଚଳିତ ପ୍ରତିଯୋଗିତାରେ ପ୍ରଥମ ଶତକ ଅର୍ଜନ କରିବା ସହ ଓଡ଼ିଶାର ଚିନ୍ତା ବଢାଇ ଦେଇଥିଲେ। କେଦାର (୧୦୪, ୧୫୦ ବଲ୍‌, ୧୫ ଚୌକା, ୧ ଛକା) କିନ୍ତୁ କିଛି ସମୟ ପରେ ବିପ୍ଲବଙ୍କ ବୋଲିଂରେ ଓ୍ଵିକେଟରକ୍ଷକ ଧୂପରଙ୍କ ଗ୍ଲୋଭ୍‌ରେ ଧରାପଡ଼ିବାରୁ ଓଡ଼ିଶାକୁ ଦ୍ୱିତୀୟ ସଫଳତା ମିଳିଥିଲା। ଅଧିନାୟକ ଦୀପକ ହୁଦା ଦ୍ରୁତ ଖେଳିବାକୁ ଯାଇ ଦଳୀୟ ରନ୍‌ ୨୦୦ ପାର୍‌ କରିବା ସହିତ ୫୭ ବଲ୍‌ରେ ଅର୍ଧଶତକ ପୂରଣ କରିଥିଲେ। ଦଳୀୟ ସ୍କୋର ୨୩୯ ହୋଇଥିଲାବେଳେ ଦୀପକ (୫୧)ଙ୍କୁ ଗୋବିନ୍ଦ ପୋଦ୍ଦାର ବୋଲ୍ଡ କରିଦେଇଥିଲେ। ପରେ ବିଷ୍ଣୁ ଓ ପଞ୍ଚମ ସ୍ଥାନରେ ଆସିଥିବା ସ୍ୱପ୍ନିଲ ସିଂହ ମିଳିତ ଭାବେ ଦଳୀୟ ସ୍କୋରରେ ୪୨ ରନ୍‌ ସଂଯୋଗ କରିସାରିଲେଣି। ଷ୍ଟମ୍ପ ଅପସାରଣ ବେଳକୁ ବିଷ୍ଣୁ ୧୦୮ ବଲ୍‌ରୁ ୪୬ ଓ ସ୍ୱପ୍ନିଲ ୫୬ ବଲ୍‌ରୁ ୧୯ ରନ୍‌ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର