ରଣଜୀ ଟ୍ରଫି: ଓଡ଼ିଶାର ତୃତୀୟ ପରାଜୟ

ସୂର୍ଯ୍ୟକାନ୍ତଙ୍କ ଅର୍ଧଶତକ ବେକାର୍‌: ରାଜସ୍ଥାନ ୩୫ ରନ୍‌ରେ ବିଜୟୀ

ଭୁବନେଶ୍ବର: ସ୍ଥାନୀୟ ବିକାଶ କ୍ରି‌କେଟ୍‌ ପଡ଼ିଆରେ ଖେଳାଯାଇଥିବା ରଣଜୀ ଟ୍ରଫି ମୁକାବିଲାରେ ରାଜସ୍ଥାନ ନିକଟରୁ ଓଡ଼ିଶା ୩୫ ରନ୍‌ରେ ହାରିଯାଇଛି। ଚଳିତ ଋତୁରେ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ପୁଣି ଏକ ବିଜୟ ସୁଯୋଗ ଦେଇଥିଲେ ମଧ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଲଗାତାର ବିଫଳତା ଓଡ଼ିଶାକୁ ପରାଜୟ ପାଇଁ ବାଧ୍ୟ କଲା। ଏପରିକି ପ୍ରଥମ ପାଳିରେ ୯ ଜଣ ବ୍ୟାଟ୍‌ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁବାରେ ସମର୍ଥ ହୋଇନଥିଲା ବେଳେ ଦ୍ବିତୀୟ ପାଳିରେ ମଧ୍ୟ ୮ ଜଣ ଏକ ଅଙ୍କ ଟପି ପାରିନଥିଲେ। ଯାହାଫଳରେ ପ୍ରଥମ ପାଳିରେ ୧୧୧ ରନ୍‌ କରିଥିବା ଓଡ଼ିଶା ଦ୍ବିତୀୟ ପାଳିରେ ୧୩୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ପ୍ରଥମ ପାଳିରେ ଦେବାଶିଷ ସାମନ୍ତରାୟ (୫୦) ଅର୍ଧଶତକ ହାସଲ କରିଥିଲା ବେଳେ ଦ୍ବିତୀୟ ପାଳିରେ ସୂର୍ଯ୍ୟକାନ୍ତ ପ୍ରଧାନ (୫୬) ଏକା ଲଢ଼ି ଅର୍ଧଶତକ ଜମାଇଥିଲେ। ହେଲେ ଶୀର୍ଷକ୍ରମ ଭଳି ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନ୍‌ମାନଙ୍କ ଖାମଖିଆଲି ବ୍ୟାଟିଂ ଯୋଗୁଁ ଓଡ଼ିଶା ବିଜୟଠୁ ୩୬ ରନ୍‌ ଦୂ‌ରରେ ସୀମିତ ରହିଗଲା। କେବଳ ସପ୍ତମ ୱିକେଟ୍‌ରେ ସୂର୍ଯ୍ୟକାନ୍ତ ଓ ଶୁଭ୍ରାଂଶୁ ସେନାପତିଙ୍କ ୫୩ ରନ୍‌ର ଭାଗୀଦାରି ହିଁ ଓଡ଼ିଶା ଦ୍ବିତୀୟ ପାଳିର ଉଲ୍ଲେଖନୀୟ ଥିଲା। ତେବେ ଦ୍ବିତୀୟ ଦିବସ ଶେଷରେ ୬ ରନ୍‌ରେ ୨ ୱିକେଟ୍‌ ହରାଇଥିବା ଓଡ଼ିଶା ରବିବାର ତୃତୀୟ ଦିବସରେ ଆଉ ୧୩୧ ରନ୍‌ ଯୋଡ଼ି ଅବଶିଷ୍ଟ ୮ ୱିକେଟ୍‌ ହରାଇଥିଲା। ଅନ୍ୟପକ୍ଷରେ ବୋଲରଙ୍କ କମାଲ ଯୋଗୁଁ ରାଜସ୍ଥାନ ମ୍ୟାଚ୍‌କୁ ଅଢେଇ ଦିନରେ ଶେଷ କରି ପୂର୍ଣ୍ଣ ୬ ପଏଣ୍ଟ୍‌ ଅକ୍ତିଆର କରିନେଲା। ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ମଧ୍ୟ ଅନିକେତ ଚୌଧୁରୀ ୫ ୱିକେଟ୍‌ ସଫଳତା ପାଇ ରାଜସ୍ଥାନ ବିଜୟର ନାୟକ ସାଜିଥିଲେ। ତଥାପି ଏହି ମ୍ୟାଚ୍‌ରେ ମୋଟ ୧୧ ୱିକେଟ୍‌ ଦଖଲ କରିଥିବା ଓଡ଼ିଶା ଦ୍ରୁତ ବୋଲର ବସନ୍ତ ମହାନ୍ତି ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ। ଉଭୟ ଦଳ ୬ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲା ବେଳେ ଓଡ଼ିଶା ତୃତୀୟ ପରାଜୟ ବରଣ କରିଛି। ଫଳରେ ଓଡ଼ିଶା ୧୩ ପଏଣ୍ଟ୍‌ରେ ହିଁ ଅଟକିଯାଇଛି। ଅନ୍ୟପକ୍ଷରେ ରାଜସ୍ଥାନ ପଞ୍ଚମ ବିଜୟ ସହ ମୋଟ ୩୮ ପଏଣ୍ଟ୍‌ ପାଇ ଗ୍ରୁପ୍‌-ସି ତାଲିକାର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିନେଇଛି।

ସମ୍ବନ୍ଧିତ ଖବର