ନାଗପୁର: ଗୁରୁବାରଠୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ୱାର୍ଟର୍ ଫାଇନାଲ୍ର ଦ୍ୱିତୀୟ ଦିବସରେ ହାତରେ ୪ ଓ୍ଵିକେଟ୍ ଥାଇ କର୍ଣ୍ଣାଟକ ୨୨୨ ରନ୍ରେ ମୁମ୍ବାଇଠୁ ପ୍ରଥମ ପାଳି ଆଗୁଆ ରହିଛି। ନାଗପୁରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କର୍ଣ୍ଣାଟକ ଅଧିନାୟକ ବିନୟ କୁମାର (୬ ଓ୍ଵିକେଟ୍)ଙ୍କ ଘାତକ ବୋଲିଂରେ ମୁମ୍ବାଇ ୧୭୩ ରନ୍ରେ ଅଟକି ଯାଇଥିଲା। ଜବାବରେ କର୍ଣ୍ଣାଟକ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୩୯୫ ରନ୍ କରିଛି। ଶ୍ରେୟାସ ଗୋପାଳ ୮୦ ଏବଂ ବିନୟ କୁମାର ୩୧ ରନ୍ରେ ବ୍ୟାଟିଂ ଜାରି ରଖିଛନ୍ତି। ଅନ୍ୟମାନଙ୍କ ମଧ୍ୟମରେ ଚିଦାମ୍ବରମ୍ ଗୌତମ (୭୯), ମୟଙ୍କ ଅଗ୍ରଓ୍ଵାଲ୍ (୭୮) ଏବଂ କୌନେନ୍ ଆବାସ୍ (୫୦) ଅର୍ଧଶତକ ହାସଲ କରିଥିଲେ। ମୁମ୍ବାଇ ପକ୍ଷରୁ ସଫଳ ବୋଲର ଭାବେ ଶିବମ ଦୁବେ ୫ ଓ୍ଵିକେଟ୍ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀର ସଂଘର୍ଷ ଜାରି
ଆନ୍ଧ୍ରପ୍ରଦେଶର ମୁଲାପଡ଼ୁରେ ଖେଳାଯାଇଥିବା ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍ରେ ଦିଲ୍ଲୀ ନିଜର ସଂଘର୍ଷ ଜାରି ରଖିଛି। ମଧ୍ୟପ୍ରଦେଶର ୩୩୮ ରନ୍ ଜବାବରେ ଦିଲ୍ଲୀ କୁନାଲ ଚାନ୍ଦିଲା (୭୩*) ଏବଂ ଦ୍ରୁବ ଶୋରେ (୭୮)ଙ୍କ ଅର୍ଧଶତକ ବଳରେ ୨ ଓ୍ଵିକେଟ୍ ହରାଇ ୧୮୦ ରନ୍ କରିଛି। ମଧ୍ୟପ୍ରଦେଶ ପକ୍ଷରୁ ହରପ୍ରୀତ ସିଂହ ଭାଟିଆ (୧୦୭*) ଶତକ ହାସଲ କରିଥିଲା ବେଳେ ଦିଲ୍ଲୀ ପକ୍ଷରୁ ମନନ ଶର୍ମା ୪ ଏବଂ ବିକାଶ ମିଶ୍ର ୨ ଓ୍ଵିକେଟ୍ ପାଇଥିଲେ।
ସଂଙ୍କଟରେ ଗୁଜରାଟ
ରାଜସ୍ଥାନର ଜୟପୁରରେ ଖେଳାଯାଇଥିବା ମ୍ୟାଚ୍ରେ ବେଙ୍ଗଲର ୩୫୪ ରନ୍ ଜବାବରେ ଗୁଜରାଟ ୧୮୦ ରନ୍ରେ ୬ ଓ୍ଵିକେଟ୍ ହରାଇ ସଂକଟରେ ପଡ଼ିଛି। ଭାଗର୍ବ ମେରାଇ (୬୭) ଅର୍ଧଶତକ ଏବଂ ପାର୍ଥବ ପଟେଲଙ୍କ ୪୭ ରନ୍ରେ ଗୁଜରାଟ କିଛିଟା ସଂଘର୍ଷ କରିଥିଲା। ରୁଜୁଲ ଭଟ୍ଟ (୧୩*) ଏବଂ ପିୟୁଷ ଚାଓ୍ଵଲା (୨୨*) କ୍ରିଜ୍ରେ ଅଛନ୍ତି। ବେଙ୍ଗଲ ପକ୍ଷରୁ ବୋଦୁପଲ୍ଲୀ ଅମିତ ୩ ଏବଂ ଈଶାନ ପୋରେଲ୍ ୨ ଓ୍ଵିକେଟ୍ ନେଇଥିଲେ। ପୂର୍ବରୁ ଅଭିମନ୍ୟୁ ଈଶ୍ୱରନ୍ (୧୨୯)ଙ୍କ ଶତକ ଏବଂ ଅନୁସ୍ତୁପ ମଜୁମଦର (୯୪)ଙ୍କ ଅର୍ଧଶତକ ବଳରେ ବେଙ୍ଗଲ ତିନିଶହ ରନ୍ ପାରି କରିଥିଲା। ଗୁଜରାଟ ପକ୍ଷରୁ ଈଶ୍ୱର ଚୌଧୁରୀ ୫ ଓ ସିଟି ଗାଜା ୩ ଓ୍ଵିକେଟ୍ ଅକ୍ତିଆର କରିଥିଲେ।
ବିଦର୍ଭ ୨୪୬; କେରଳ ୩୨/୨
ଗୁଜରାଟର ସୁରତ୍ରେ ଖେଳାଯାଇଥିବା ମ୍ୟାଚ୍ରେ ବିଦର୍ଭର ୨୪୬ ରନ୍ ଜବାବରେ କେରଳ ୨ ଓ୍ଵିକେଟ୍ ହରାଇ ୩୨ ରନ୍ କରିଛି। ଜଲଜ ସକ୍ସେନା (୧୩) ଏବଂ ରୋହନ ପ୍ରେମ୍ (୫) ବ୍ୟାଟିଂ ଜାରି ରଖିଛନ୍ତି। ବିଦର୍ଭ ପକ୍ଷରୁ ଅକ୍ଷୟ ଓ୍ଵାଦ୍କର (୫୩) ଅର୍ଧଶତକ କରିଥିଲା ବେଳେ କେରଳର କେସି ଅକ୍ଷୟ ୫ ଓ ଜଲଜ ସକ୍ସେନା ୩ ଓ୍ଵିକେଟ୍ ଅକ୍ତିଆର କରିଥିଲେ।