ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌: ବେଙ୍ଗଲ ୩୩୨, ଓଡ଼ିଶା ୧୫୧/୪

କଟକ: ଟାଙ୍ଗୀର ଡ୍ରିମ୍ସ ପଡ଼ିଆରେ ଚାଲିଥିବା ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ର ପ୍ରଥମ ଦିନରେ ଦୃଢ ସ୍ଥିତିରେ ପହଞ୍ଚିଥିବା ବେଙ୍ଗଲ ଦ୍ବିତୀୟ ଦିନ ଓଡ଼ିଶା ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠିପାରିଲାନି। ପ୍ରଥମ ଦିନ ସ୍କୋର୍‌ରେ ଆଉ ୨୪ ରନ୍‌ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍‌ ହରାଇଥିଲା। ଯାହା ଫଳରେ ବେଙ୍ଗଲ ପ୍ରଥମ ପାଳି ୩୩୨ ରନ୍‌ରେ ଅଟକି ଯାଇଥିଲା। ୧୦୦ତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳୁଥିବା ବସନ୍ତ ମହାନ୍ତି ସର୍ବାଧିକ ୪, ସୂର୍ଯ୍ୟକାନ୍ତ ପ୍ରଧାନ ୩, ପଦାର୍ପଣ ଖେଳାଳି ପ୍ରୀତ୍‌ ସି˚ହ ଚୌହାନ ୨ ଵିକେଟ୍‌ ଅକ୍ତିଆର କରିଥିଲେ। ଏହାର ଜବାବରେ ଘରୋଇ ଦଳ ଆରମ୍ଭରୁ ଭଲ ଖେଳିଆସୁଥିଲେ ବି ଦିନର ଶେଷ ସମୟ ବେଳକୁ ଵିକେଟ୍‌ ହରାଇଥିଲା। ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଓଡ଼ିଶା ୪ ଵିକେଟ୍‌ ବିନିମୟରେ ୧୫୧ ରନ୍‌ ସ˚ଗ୍ରହ କରିଛି। ହାତରେ ୬ ୱିକେଟ୍‌ ଥିଲେ ମଧ୍ୟ ଘରୋଇ ଦଳ ଏବେ ବି ୧୮୧ ରନ୍‌ ପଛରେ ରହିଛି।

ଅସମାପ୍ତ ପ୍ରଥମ ପାଳି ସ୍କୋର୍‌ ୩୦୮/୬ରୁ ବେଙ୍ଗଲ ଦ୍ବିତୀୟ ଦିନ ଖେଳ ଅରମ୍ଭ କରିଥିଲା। ଶତକ ଆଡ଼କୁ ଅଗ୍ରସର ହେଉଥିବା ଅପରାଜିତ ଶାହାବାଜ (୮୨) ଆଉ ୪ ବଲ୍‌ ଖେଳିବା ପରେ ସୂର୍ଯ୍ୟକାନ୍ତଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ପଛକୁ ପଛ ଗୋଟିଏ ଓଭରରେ ମୁକେଶ କୁମାର (୧) ଓ ଇଶାନ ପୋରେଲ୍‌ (୦)ଙ୍କୁ ଖାତା ଖୋଲିବା ଆଗରୁ ବସନ୍ତ ଆଉଟ୍‌ କରିଥିଲେ। ଏହାପରଠୁ ଅନୁଷ୍ଟୁପ ମଜୁମଦାର ଗୋଟିଏ ପଟରୁ ପାଳି ସମ୍ଭାଳିବାରେ ଲାଗିଥିଲେ। ଏଥିମଧ୍ୟରେ ସେ ୨୨୨ ବଲ୍‌ରୁ ୧୫୦ ରନ୍‌ ପୂରଣ କରିବାରେ ସଫଳ ହୋଇଥିଲେ। ୧୫୭ ରନ୍‌ (୨୩୯ ବଲ୍‌, ୨୨ ଚୌକା) କରିଥିବା ଅନୁଷ୍ଟୁପ ଶେଷ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ବସନ୍ତ ମହାନ୍ତି ଏହି ଵିକେଟ୍‌ ନେଇଥିଲେ।

ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ଓଡ଼ିଶା ପାଇଁ ପାଳି ଆରମ୍ଭ କରିବାକୁ ଆସିଥିଲେ। ରକ୍ଷଣାତ୍ମକ ଖେଳୁଥିବା ଅନୁରାଗ ମାତ୍ର ୫ ରନ୍‌ କରିଥିଲା ବେଳେ ନୀଳକଣ୍ଠ ଦାସଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଦଳ ପାଇଁ ପ୍ରଥମ ପାଳିରେ ଅଗ୍ରଣୀ ପାଇବା ଗୁରୁତ୍ବପୂର୍ଣ୍ଣ ଥିବାରୁ ଶାନ୍ତନୁଙ୍କ ସହ ଦେବାଶିଷ ସାମନ୍ତରାୟ ଦାୟିତ୍ବ ନିଜ କାନ୍ଧକୁ ନେଇଥିଲେ। ମଧ୍ୟାହ୍ନ ବିରତି ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୋଡ଼ି ଚା’ ବିରତି ପର୍ଯ୍ୟନ୍ତ ଆଉ କୌଣସି ସୁଯୋଗ ଦେଇନଥିଲେ। ଉଭୟ ଅର୍ଧଶତକ ଅର୍ଜନ କରିବା ସହ ଦ୍ବିତୀୟ ଵିକେଟ୍‌ରେ ୧୨୫ ରନ୍‌ ଯୋଡ଼ିଥିଲେ। ପାଖାପାଖି ଅଢେଇ ଘଣ୍ଟା ବ୍ୟାଟି˚ କରିବା ପରେ ଦେବାଶିଷ (୬୮ ରନ୍‌) ନୀଳକଣ୍ଠଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଏହାପରଠୁ ପୁଣି ଥରେ ଵିକେଟ୍‌ ଝଡ଼ିବା ଧାରା ଆରମ୍ଭ ହୋଇଥିଲା। ୬୨ ରନ୍‌ କରି ଖେଳୁଥିବା ଶାନ୍ତନୁଙ୍କୁ ଶାହାବାଜ ଓ ୧୧ ରନ୍‌ରେ ଖେଳୁଥିବା ଗୋବିନ୍ଦ ପୋଦ୍ଦାରଙ୍କୁ ଇଶାନ ପୋରେଲ୍‌ ଆଉଟ୍‌ କରିଥିଲେ। ଖରାପ ଆଲୋକ ଯୋଗୁଁ ଖେଳିବା ସମ୍ଭବ ନହେବାରୁ ଗୋବିନ୍ଦଙ୍କ ଵିକେଟ୍‌ ପତନ ପରେ ଦ୍ବିତୀୟ ଦିନର ଖେଳ ବନ୍ଦ ରଖାଯାଇଥିଲା। ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଦେବବ୍ରତ ପ୍ରଧାନ ବିନା କୌଣସି ରନ୍‌ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର