ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌: ଓଡ଼ିଶାର ସେମି ଆଶା ମଉଳିଲା, ବେଙ୍ଗଲ ୪୪୩ ରନ୍‌ରେ ଆଗୁଆ

ସେମି ଫାଇନାଲ୍‌ରେ ଗୁଜୁରାଟ

କଟକ: ଦୀର୍ଘ ବର୍ଷ ପରେ ଓଡ଼ିଶା ରଣଜୀ ଟ୍ରଫି ସେମି ଫାଇନାଲ୍‌ ଖେଳିବା ପାଇଁ ଯେଉଁ ଆଶା ରଖିଥିଲା, ତାହା ଏବେ ମଉଳିବାରେ ଲାଗିଛି। ପ୍ରଥମେ ଓଡ଼ିଶା ପାଳି ପଛୁଆ ରହିଥିଲା ବେଳେ ଏବେ ବେଙ୍ଗଲ ଚତୁର୍ଥ ଦିବସ ଶେଷ ସୁଦ୍ଧା ହାତରେ ଦ୍ବିତୀୟ ପାଳିର ୩ ୱିକେଟ୍‌ ଥାଇ ୪୪୩ ରନ୍‌ରେ ଅଗ୍ରଣୀ ନେଇସାରିଲାଣି। ଟାଙ୍ଗୀର ଡ୍ରିମ୍ସରେ ଚାଲିଥିବା ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲର ରବିବାର ଚତୁର୍ଥ ଦିନ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ବେଙ୍ଗଲ ୭ ଵିକେଟ୍‌ ବିନିମୟରେ ୩୬୧ ରନ୍‌ କରିଛି। ଏପରିସ୍ଥଳେ ଆଉ ମାତ୍ର ଗୋଟିଏ ଦିନ ଖେଳ ବାକି ରହିଛି। ତେଣୁ ଓଡ଼ିଶାକୁ ବ୍ୟାଟି˚ କରିବାକୁ କମ୍‌ ସୁଯୋଗ ମିଳିବ। ଯେଉଁଥିପାଇଁ ଓଡ଼ିଶାର ସେମି ଫାଇନାଲ୍‌ ଖେଳିବା ସ୍ବପ୍ନ ଅପୂରଣୀୟ ହୋଇ ରହିଯିବା ସମ୍ଭାବନା ଅଧିକ ରହିଛି।

୭୯/୨ରୁ ବେଙ୍ଗଲ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିଲା। ତେବେ ପ୍ରଥମ ଘଣ୍ଟାକ ମଧ୍ୟରେ ମନୋଜ ତିଵାରୀ (୬) ଓ ଅନୁଷ୍ଟୁପ ମଜୁମଦାର (୧୦)ଙ୍କୁ ଯଥାକ୍ରମେ ଦେବବ୍ରତ ପ୍ରଧାନ ଓ ଗୋବିନ୍ଦ ପୋଦ୍ଦାର ଆଉଟ୍‌ କରି ଓଡ଼ିଶା ଶିବିରରେ ଖୁସିର ମୁହୂର୍ତ୍ତ ଆଣିଦେଇଥିଲେ। କିନ୍ତୁ ଅଭିଷେକ ରମଣ ଓ ଶ୍ରୀବତ୍ସ ଗୋସ୍ବାମୀ ଓଡ଼ିଶାର ସବୁ ଖୁସିକୁ ଫସର ଫଟାଇଦେଇଥିଲେ। ଉଭୟ ପଞ୍ଚମ ଵିକେଟରେ ୧୦୨ ରନ୍‌ ଯୋଗ କରିବା ସହ ଦଳୀୟ ସ୍କୋର୍‌ ୨୦୦ ପାର‌୍‌ କରାଇଥିଲେ। ତେବେ ଅଭିଷେକ (୬୭)ଙ୍କୁ ଗୋବିନ୍ଦ ଵିକେଟ୍‌ ପଛରେ କ୍ୟାଚ୍‌ ଆଉଟ କରିବାରୁ ଯୋଡ଼ି ଭାଙ୍ଗିଥିଲା। ତାଙ୍କ ସ୍ଥାନରେ ଆସିଥିବା ଶାହାବାଜ ଅହମ୍ମଦ ଦ୍ରୁତ ଖେଳିଥିଲା ବେଳେ ଶ୍ରୀବତ୍ସଙ୍କ ସହ ମିଶି ଅର୍ଧଶତକୀୟ ଭାଗୀଦାରି (୫୬) କରିଥିଲେ। ଏଥିମଧ୍ୟରେ ଶ୍ରୀବତ୍ସ ଅର୍ଧଶତକ ହାସଲ କରିଥିଲା ବେଳେ ଏହାପରଠୁ ଦ୍ରୁତ ଖେଳିବାକୁ ଲାଗିଥିଲେ। ଯାହାଫଳରେ ପ୍ରୀତ୍‌ ସି˚ହ ଚୌହାନ ତାଙ୍କୁ ୭୮ ରନ୍‌ରେ ଆଉଟ୍‌ କରିବାରେ ସଫଳ ହୋଇଥିଲେ। ଅଷ୍ଟମ ସ୍ଥାନରେ ଆସିଥିବା ଅର୍ଣ୍ଣବ ନନ୍ଦୀ ମଧ୍ୟ ଦ୍ରୁତ ଖେଳିବାକୁ ଯାଇ ୪୫ ରନ୍‌ରେ ଅନୁରାଗଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଶାହାବାଜ ୫୨* ଓ ମୁକେଶ କୁମାର ୬* ଅପରାଜିତ ଅଛନ୍ତି।

ସେମି ଫାଇନାଲ୍‌ରେ ଗୁଜୁରାଟ
କଟକ: ଗୁଜୁରାଟ ରଣଜୀ ଟ୍ରଫି ୨୦୧୯-୨୦ର ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଏହାବ୍ୟତୀତ ଅନ୍ୟ ତିନିଦଳଙ୍କ ସେମି ଫାଇନାଲ୍‌ ରାସ୍ତା ମଧ୍ୟ ପରିଷ୍କାର ହୋଇଛି। ଏମାନେ ହେଲେ ବେଙ୍ଗଲ, ସୌରାଷ୍ଟ୍ର ଓ କର୍ଣ୍ଣାଟକ। ତେଣୁ ସେମି ଫାଇନାଲ୍‌ରେ ଗୁଜୁରାଟର ମୁକାବିଲା ସୌରାଷ୍ଟ୍ର ସହ ଏବ˚ ବେଙ୍ଗଲର ମୁକାବିଲା କର୍ଣ୍ଣାଟକ ସହ ହେବା ନିଶ୍ଚିତ ହୋଇଛି। ଭାଲସାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୁଜୁରାଟ ୪ ଦିନ ମଧ୍ୟରେ ୪୬୪ ରନ୍‌ରେ ଗୋଆକୁ ହରାଇ ଏହି ଯୋଗ୍ୟତା ଅର୍ଜନ କରିଛି। ଗୁଜୁରାଟ ୮ ଵିକେଟ୍‌ ବିନିମୟରେ ୬୦୨ ରନ୍‌ କରି ପ୍ରଥମ ପାଳି ଘୋଷଣା କରିଥିଲା। ଜବାବରେ ଗୋଆ ପ୍ରଥମ ପାଳି ୧୭୩ ରନ୍‌ରେ ସଫା ହୋଇଯାଇଥିଲା। ଏହାପରେ ଗୁଜୁରାଟ ୬/୧୯୯ରେ ଦ୍ବିତୀୟ ପାଳି ଘୋଷଣା କରିଥିଲା। କିନ୍ତୁ ଚତୁର୍ଥ ଦିନରେ ଗୋଆ ୧୬୪ ରନ୍‌ରେ ପୁଣି ଆଉଟ୍‌ ହୋଇଯିବାରୁ ଗୁଜୁରାଟ ପ୍ରଥମ ଦଳ ଭାବେ ସେମି ଫାଇନାଲ୍‌ରେ ପହଞ୍ଚିପାରିଛି।

ଅନ୍ୟମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ଆନ୍ଧ୍ରପ୍ରଦେଶ ବିପକ୍ଷରେ ସୌରାଷ୍ଟ୍ର ସେମି ଫାଇନାଲ୍‌କୁ ଉନ୍ନୀତ ହେବା ନିଶ୍ଚିତ ହୋଇଛି। ପ୍ରଥମ ପାଳିରେ ସୌରାଷ୍ଟ୍ର ୪୧୯ ରନ୍‌ କରିଥିଲା ବେଳେ ଆନ୍ଧ୍ରକୁ ୧୩୬ ରନ୍‌ରେ ଆଉଟ୍‌ କରିବାରେ ସଫଳ ହୋଇଥିଲେ। ଏବେ ଦ୍ବିତୀୟ ପାଳିରେ ଚତୁର୍ଥ ଦିନ ଶେଷ ସୁଦ୍ଧା ୯ ଵିକେଟ ବିନିମୟରେ ୩୭୫ ରନ୍‌ କରିଛି। ଫଳରେ ଦଳ ୬୫୮ ରନ୍‌ର ଅଗ୍ରଣୀ ପାଇଛି। ଜମ୍ମୁରେ ଚାଲିଥିବା ଆଉ ଏକ କ୍ବାର୍ଟର ଫାଇନାଲ୍‌ରେ ଚତୁର୍ଥ ଦିନ ସୁଦ୍ଧା ଜମ୍ମୁ ବିପକ୍ଷ ମ୍ୟାଚ୍‌ର ଦ୍ବିତୀୟ ପାଳିରେ କର୍ଣ୍ଣାଟକ ୨୫୯ ରନ୍‌ ଅଗ୍ରଣୀ ପାଇଛି। ହାତରେ ଆଉ ୬ ଵିକେଟ ବାକିଥିବାରୁ ଶେଷ ଦିନରେ ମ୍ୟାଚ୍‌ ଅମୀମା˚ସିତ ରହିବା ସମ୍ଭାବନା ଅଧିକ ଅଛି। ଏହି ମ୍ୟାଚ୍‌ରେ କର୍ଣ୍ଣାଟକ ପ୍ରଥମ ପାଳିରେ ୨୦୬ ରନ୍‌ ଓ ଜମ୍ମୁ ୧୯୨ ରନ୍‌ କରିଥିଲା। ଚତୁର୍ଥ ଦିନ ଷ୍ଟମ୍ଫ୍‌ସ ଅପସାରଣ ସୁଦ୍ଧା କର୍ଣ୍ଣାଟକ ଦ୍ବିତୀୟ ପାଳିରେ ୪ ଵିକେଟ୍‌ ହରାଇ ୨୪୫ ରନ୍‌ କରିଛି।

ସମ୍ବନ୍ଧିତ ଖବର