ରଣଜୀ ଟ୍ରଫି: ତାମିଲଠୁ ୩ ପଏଣ୍ଟ ଛଡ଼ାଇଲେ ଧୂପର

କଟକ: ଡ୍ରିମ୍‌ସ ପଡ଼ିଅରେ ନୂଆ ଇତିହାସ ରଚିଛି ଓଡ଼ିଶା ରଣଜୀ ଦଳ। ପ୍ରଥମ ଥର ଶକ୍ତିଶାଳୀ ତଥା ତାରକା ଖଚିତ ତାମିଲନାଡୁ ବିପକ୍ଷରେ ପାଳି ଅଗ୍ରଣୀ ନେଇ ଚଳିତ ଋତୁର ପ୍ରଥମ ସଫଳତା ପାଇଛି। ଶାନ୍ତନୁ ମିଶ୍ର, ବିପ୍ଳପ ସାମନ୍ତରାୟ, ରାଜେଶ ଧୂପରଙ୍କ ଚତୁରତା ଏବଂ ଆଲୋକ ସାହୁ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତିଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ରୋମାଞ୍ଚଭରା ମ୍ୟାଚ୍‌ରେ ଓଡ଼ିଶା ତାମିଲନାଡ଼ୁଠୁ ୩ ପଏଣ୍ଟ ଛଡ଼ାଇ ଆଣିବାରେ ସଫଳ ହୋଇଛି। ମ୍ୟାଚ୍‌ରେ ଶାନ୍ତନୁ ଓ ରାଜେଶ ପ୍ରଥମ ରଣଜୀ ଅର୍ଧଶତକ ଅର୍ଜନ କରିଥିଲାବେଳେ ରାଜେଶ ପ୍ରଥମ ଶତକରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ତଥାପି ଯୁବ ଖେଳାଳିଙ୍କ ପରିପକ୍ୱ ବ୍ୟାଟିଂ ଯୋଗୁଁ ଓଡ଼ିଶା ଆଶାଠୁ ଅଧିକ ସଫଳତା ପାଇଛି। ରାଜେଶ ଏହି ମ୍ୟାଚ୍‌ରେ ୨୨୫ବଲ୍‌ର ସମ୍ମୁଖୀନ କରିଥିଲାବେଳେ ୧୨ ଚୌକା ଓ ୨ ଛକା ସହାୟତାରେ ୯୭ରନ୍‌ କରିଥିଲେ। ଦମ୍‌ଦାର ପାଳି ପାଇଁ ରାଜେଶଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଫଳରେ ଓଡ଼ିଶା ଏବେ ୫ ପଏଣ୍ଟ ସହ ଗ୍ରୁପ୍‌ ‘ସି’ରେ ଷଷ୍ଠ ସ୍ଥାନକୁ ଉଠିଆସିଛି। ୧୭ ତାରିଖରେ ବରୋଦା ସହ ଓଡ଼ିଶା ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଥିବାବେଳେ ଏବେ ଖେଳାଳିଙ୍କ ମନୋବଳ ବଢିଯାଇଛି।

ଶେଷ ଦିନରେ ଓଡ଼ିଶାକୁ ପାଳିରେ ଅଗ୍ରଣୀ ନେବାକୁ ଆଉ ୨୪୫ରନ୍‌ର ଆବଶ୍ୟକ ହେଉଥିଲା। ହାତରେ ଥିଲା ୬ ଓ୍ଵିକେଟ। ବିପ୍ଳବ ସାମନ୍ତରାୟ (୫୦) ଅର୍ଧଶତକ କରିବା ପରେ ଆଉଟ ହୋଇଯାଇଥିଲେ। ତାଙ୍କଠୁ ବଡ଼ ପାଳି ଆଶା ଥିଲାବେଳେ ଚଳିତ ଋତୁରେ ଚତୁର୍ଥ ଅର୍ଧଶତକ ଅର୍ଜନ କରିସାରିବା ପରେ ନିଜର ଏକ ଛୋଟ ଭୂଲ୍‌ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ବିଜୟ ଶଙ୍କରଙ୍କ ଅଣ୍ଟା ଉଚ୍ଚ ବଲ୍‌କୁ ସେ ମାରିଥିଲେ ବି ତାହା ଓ୍ଵିକେଟ ରକ୍ଷକ ଜଗଦୀଶନଙ୍କ ଗ୍ଲୋଭ୍‌ସରେ ପଡ଼ିଥିଲା। ହେଲେ ବଲ୍‌ ବାଉଣ୍ଡରି ଆଡକୁ ଯାଉଥିବା ଭାବି ସେ କ୍ରିଜ୍‌ ବାହାରକୁ ଚାଲିଆସିଥିଲେ। ଏହାର ସୁଯୋଗ ନେଇ ଜଗଦୀଶନ ତାଙ୍କୁ ଷ୍ଟମ୍ପିଂ କରିଦେଇଥିଲେ। ପ୍ରଥମ ଅର୍ଧଶତକ ହାସଲ କରିସାରିଥିବା ପୂର୍ବ ଦିନର ଅପରାଜିତ ବ୍ୟାଟ୍ସମ୍ୟାନ ଶାନ୍ତନୁଙ୍କ ସହ ଗୋଟିଏ ବର୍ଷ ପରେ ଦଳକୁ ଫେରିଥିବା ରାଜେଶ ଧୂପରଙ୍କ ଉପରେ ସମସ୍ତଙ୍କ ନଜରରେ ଥିଲେ। ଉଭୟ ଓଡ଼ିଶାର ଶେଷ ବିଶେଷଜ୍ଞ ବ୍ୟାଟିଂ ଯୋଡ଼ି ହୋଇଥିବାରୁ ତାମିଲନାଡୁ ଏମାନଙ୍କୁ ଆଉଟ କରିବାକୁ ସବୁପ୍ରକାରର ଚେଷ୍ଟା କରିଥିଲା। ଉଭୟଙ୍କ ମଧ୍ୟରେ ୪୨ ରନ୍‌ ଭାଗୀଦାରି ହୋଇଥିଲା। ମଧ୍ୟାହ୍ନ ବିରତି ପରେ ଶାନ୍ତନୁ (୭୧, ୨୩୨ ବଲ୍‌, ୧୦ ଚୌକା) ଓ୍ଵାସିଙ୍ଗଟନ୍‌ ସୁନ୍ଦରଙ୍କ ଓଭରପିଚ୍‌ ବଲ୍‌କୁ ବଡ ସଟ୍‌ ମାରିବାକୁ ଯାଇ ସ୍ଲିପ୍‌ରେ କ୍ୟାଚ ଆଉଟ ହୋଇଥିଲେ। ଆଲୋକ ସାହୁଙ୍କ ସହ ମିଶି ରାଜେଶ ଧୂପର ଓଡ଼ିଶା ସ୍କୋର ୪୦୦ ପାର୍‌ କରାଇଥିଲେ। ଆଲୋକଙ୍କ ବ୍ୟାଟ୍‌ରୁ କିଛି ବଡ ସଟ୍‌ ମଧ୍ୟ ଦେଖିବାକୁ ମିଳିଥିଲା। ଦ୍ରୁତ ଖେଳିବାକୁ ଯାଇ ୩୬ ରନ୍‌ (୬୬ ବଲ୍‌, ୪ ଚୌକା, ୨ ଛକା) କରିଥିଲାବେଳେ ୟୋ ମହେଶଙ୍କ ବଲ୍‌କୁ ଆଲୋକ ଓ୍ଵିକେଟ ରକ୍ଷକ ଜଗଦୀଶନଙ୍କ ହାତକୁ ଦେଇ ପ୍ୟାଭିଲିଅନ୍‌ ଫେରିଥିଲେ।

ଚା’ ପାନ ବିରତି ବେଳକୁ ଓଡ଼ିଶା ୭ ଓ୍ଵିକେଟ ବିନିମୟରେ ୪୧୮ରନ୍‌ କରିଥିଲା। ଆଲୋକଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକାନ୍ତ ଆରମ୍ଭରୁ ତାଲିଲନାଡୁ ବୋଲରଙ୍କୁ ନିରାଶ କରିଥିଲେ। ଏହି ସମୟରେ ପାଖାପାଖି ୪.୫ ହାରରେ ଓଡ଼ିଶାର ସ୍କୋର ବୋର୍ଡ ଗତିଶୀଳ ହୋଇଥିଲା। ଧୂପର ମଧ୍ୟ ସାହସର ସହ ପ୍ରତ୍ୟେକ ବଲ୍‌କୁ ସାମ୍ନା କରି ୧୬୯ ବଲ୍‌ରେ ପ୍ରଥମ ଅର୍ଧଶତକ ପୂରଣ କରିଥିଲେ। ଉଭୟ ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ବ୍ୟାଟିଂ କରି ଦଳକୁ ପାଳି ଅଗ୍ରଣୀ ଆଶା ସଞ୍ଚାର କରିଥିଲେ। ୩୯ ବଲ୍‌ରୁ ୪ ଚୌକା ଓ ୨ ଛକା ସହାୟତାରେ ୪୩ ରନ୍‌ ସଂଗ୍ରହ କରିଥିଲାବେଳେ ୟୋ ମହେଶଙ୍କ ନୂଆ ବଲ୍‌ ସ୍ପେଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଅଗ୍ରଣୀ ପାଇଁ ୫୯ ରନ୍‌ ଥିବାବେଳେ ଓଡ଼ିଶା ଅଷ୍ଟମ ଓ୍ଵିକେଟ୍‌ ହରାଇଥିଲା। ଏହାପରେ ବସନ୍ତଙ୍କ ସହ ମିଶି ରାଜେଶ ଧୂପର ଦଳକୁ ଅଗ୍ରଣୀର ନିକଟତର କରିଥିଲେ। ବସନ୍ତଙ୍କଠୁ ଉଚିତ୍‌ ସହଯୋଗ ମିଳୁଥିବାରୁ ରାଜେଶ ମଧ୍ୟ ଆକ୍ରମଣାତ୍ମକ ଖେଳିବା ଆରମ୍ଭ କରିଦେଇଥିଲେ। ଓ୍ଵାସିଙ୍ଗଟନ ସୁନ୍ଦରଙ୍କୁ ଗୋଟିଏ ଚୌକା ଓ ଛକା ମାରିବା ପରେ ଚତୁର୍ଥ ବଲ୍‌କୁ ମଧ୍ୟ ବଡ ସଟ୍‌ ମାରିବାକୁ ଉଦ୍ୟମ କରୁଥିବାବେଳେ ତାହା ବ୍ୟାଟ୍‌ରେ ଠିକ୍‌ ଭାବେ ବାଜିନଥିଲା। ଫଳରେ ପଏଣ୍ଟ କ୍ଷେତ୍ରରକ୍ଷକ ଇନ୍ଦ୍ରଜୀତଙ୍କ ହାତରେ ଧରାପଡ଼ିଯାଇଥିଲେ। ସେତେବେଳକୁ ଓଡ଼ିଶା ପାଳି ଅଗ୍ରଣୀଠୁ ମାତ୍ର ୬ରନ୍‌ ଦୂରରେ ଥିଲା। ବସନ୍ତ ମହାନ୍ତି ଥାର୍ଡମ୍ୟାନ ଅଞ୍ଚଳକୁ ଚୌକା ମାରି ଓଡ଼ିଶାକୁ ଐତିହାସିକ ଅଗ୍ରଣୀ ପ୍ରଦାନ କରିଥିଲେ। ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଓଡ଼ିଶା ମ୍ୟାଚ୍‌ ଜିତିବାଠାରୁ ବି କିଛି କମ୍‌ ସଫଳତା ପାଇନଥିଲା।

ଫେରିଲେ ସୌରଭ, ଶୁଭମ୍‌

ବରୋଦା ଓ ମଧ୍ୟପ୍ରଦେଶ ବିପକ୍ଷରେ ଖେଳାଯିବାକୁଥିବା ଶେଷ ଦୁଇ ରଣଜୀ ଲିଗ୍‌ ମ୍ୟାଚ ପାଇଁ ଓଡ଼ିଶା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଅବିନାଶ ଶାହା ଓ ଆଲୋକ ମଙ୍ଗରାଜଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲାବେଳେ ଏମାନଙ୍କ ସ୍ଥାନରେ ଓ୍ଵିକେଟ ରକ୍ଷକ ସୌରଭ ରାଓ୍ଵତ ଓ ସ୍ପିନର ଶୁଭମ୍‌ ନାୟକ ଦଳକୁ ଫେରିଛନ୍ତି। ଆସନ୍ତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ବରୋଦା ବିପକ୍ଷରେ ବରୋଦାରେ ଏବଂ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଇନ୍ଦୋରରେ ମଧ୍ୟପ୍ରଦେଶ ବିପକ୍ଷରେ ଓଡ଼ିଶା ଏହି ଦୁଇ ମ୍ୟାଚ ଖେଳିବ।

ଶତକବିହୀନ ସାଫଲ୍ୟ

ଶକ୍ତିଶାଳୀ ତାମିଲନାଡୁ ବିପକ୍ଷରେ ଓଡ଼ିଶାର ପ୍ରଥମ ପାଳି ଅଗ୍ରଣୀ ବିଜୟ ସ୍ମରଣୀୟ ରହିବ। ତାରକା ଖଚିତ ତାମିଲନାଡୁର ୫୩୦ ରନ୍‌ ଭିତରେ ୩ ଶତକ ସାମିଲ ଥିବାବେଳେ ଓଡ଼ିଶା ବିନା ଶତକରେ ଏହାକୁ ପଛରେ ପକାଇ ଦଳଗତ ଖେଳର ପ୍ରମାଣ ଛାଡ଼ିଛି। ଓଡ଼ିଶା ପାଳିରେ ୫ ଅର୍ଧଶତକ ହିଁ ଯଥେଷ୍ଟ ହୋଇଛି। ତାମିଲନାଡୁ ପାଇଁ ମୁରଲୀ ବିଜୟ (୧୪୦), ବାବା ଅପରାଜିତ (୧୦୯) ଏବଂ ବିଜୟ ଶଙ୍କର (୧୦୦) ଶତକ ହାସଲ କରିଥିଲେ। ଓଡ଼ିଶା ପାଇଁ ରାଜେଶ ଧୂପର (୯୭), ନଟରାଜ ବେହେରା (୯୧), ଶାନ୍ତନୁ ମିଶ୍ର (୭୧), ସନ୍ଦୀପ ପଟ୍ଟନାୟକ (୬୬) ଏବଂ ବିପ୍ଳବ ସାମନ୍ତରାୟ (୫୦)ଙ୍କ ଅର୍ଧଶତକ ବହୁମୂଲ୍ୟ ସାବ୍ୟସ୍ତ ହୋଇଛି। ବିନା ଶତକରେ ଓଡ଼ିଶା ୫୦୦ ରନ୍‌ କରିବା ସାମ୍ପ୍ରତିକ ସମୟରେ ମଧ୍ୟ ପ୍ରଥମ ଉଦାହରଣ।

ପ୍ରଥମ ଅଗ୍ରଣୀ, ସର୍ବୋଚ୍ଚ ସ୍କୋର୍‌

ଡ୍ରିମ୍‌ସ ରଣଜୀ ମ୍ୟାଚ୍‌ ଓଡ଼ିଶାର କ୍ରିକେଟ୍‌ର କୀର୍ତିମାନ ପୃଷ୍ଠାକୁ ମଧ୍ୟ ବଦଳାଇ ଦେଇଛି। ଦୁଇ ଦଶନ୍ଧୀର ମୁକାବିଲାରେ ଓଡ଼ିଶା ପ୍ରଥମ ଥର ବିଜୟ (ପାଳି ଅଗ୍ରଣୀ ଭିତ୍ତିକ) ପାଇଛି। ପୂର୍ବରୁ ହୋଇଥିବା ୫ ମୁକାବିଲାରୁ ଓଡ଼ିଶା ୨ ଥର ପାଳି ବ୍ୟବଧାନରେ ହାରିଥିବା ବେଳେ ୨ ଥର ପାଳି ପଛୁଆରେ ହାରିଥିଲା। ଗୋଟିଏ ମ୍ୟାଚ୍‌ ବର୍ଷାରେ ବର୍ଷାରେ ମାତ୍ର ୩୩.୧ ଓଭରରେ ସୀମିତ ରହିଥିଲା। ଷଷ୍ଠ ମୁକାବିଲାରେ କିନ୍ତୁ ଓଡ଼ିଶାକୁ ବଡ଼ ପାଳି ଅଗ୍ରଣୀ ବିଜୟ ମିଳିଛି। ଅନ୍ୟପକ୍ଷରେ ଏହି ମ୍ୟାଚ୍‌ ମଧ୍ୟ ଦୁଇ ଦଳର ସର୍ବୋଚ୍ଚ ଦଳଗତ ସ୍କୋର୍‌କୁ ଅଧିକ ଉଚ୍ଚ କରି ଦେଇଛି। ପୂର୍ବରୁ ଓଡ଼ିଶା ବିପକ୍ଷରେ ତାମିଲନାଡୁର ସର୍ବୋଚ୍ଚ ସ୍କୋର୍‌ ଥିଲା ୪୮୩ ରନ୍‌। ଡ୍ରିମ୍‌ସରେ ଦଳ ୫୩୦/୮ରେ ଘୋଷଣା କରିଥିଲା। ସେହିଭଳି ପୂର୍ବରୁ ତାମିଲନାଡୁ ବିପକ୍ଷରେ ଓଡ଼ିଶା ଦୁଇ ଥର ୩୨୭ ରନ୍‌ କରିଥିଲେ ମଧ୍ୟ ଏବେ ଉଭୟ ଦଳ ମଧ୍ୟରେ ସର୍ବୋଚ୍ଚ ୫୩୩/୯ର କୀର୍ତିମାନ କରିଦେଲା।

ଶେଷ ପର୍ଯ୍ୟନ୍ତ ଆଶା ଥିଲା: ଗୋବିନ୍ଦ

ମ୍ୟାଚର ସ୍ଥିତି ଯାହା ହେଉନା କାହିଁକି ଆମେ ୩ପଏଣ୍ଟ ପାଇବାକୁ ଆଶା ହରାଇନଥିଲୁ। ଅନ୍ୟମାନେ କ’ଣ ଭାବିଥିବେ ତାହା ଆମେ ଜାଣିନୁ, କିନ୍ତୁ ପିଚ୍‌ର ସ୍ଥିତି ଅନୁଯାୟୀ ଓଡ଼ିଶା ଅଗ୍ରଣୀ ପାଇବ ବୋଲି ଆମର ଭରସା ଥିଲା। ବିଶେଷ କରି ସବୁ ଖେଳାଳିଙ୍କ ଏହି ସଫଳତାରେ ଯୋଗଦାନ ରହିଛି। ଧୂପର ମଧ୍ୟ ବର୍ଷେ ପରେ ଦଳକୁ ଫେରି ଉନ୍ନତମାନର ପ୍ରଦର୍ଶନ ଦେଇଛନ୍ତି। ଉକ୍ତ ବର୍ଷକ ମଧ୍ୟରେ ସେ ଯେଉଁ ପରିଶ୍ରମ କରିଥିଲେ ତାହାର ଫଳ ଆଜି ଦଳକୁ ମିଳିଛି। ତାମିଲନାଡୁ ମଧ୍ୟ ଖେଳୁଆଡ଼ ମନୋଭାବ ନେଇ ଖେଳିଥିବାରୁ ସେମାନେ ମଧ୍ୟ ଧନ୍ୟବାଦର ପାତ୍ର ବୋଲି ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର କହିଛନ୍ତି।

କ୍ୟାଚ୍‌ ହାତଛଡ଼ା ମହଙ୍ଗା ପଡ଼ିଲା: କାନିତକର୍‌

ଓଡ଼ିଶାକୁ ଆଉଟ୍‌ କରିବାକୁ ଆମେ ସବୁ ପ୍ରକାରର ଚେଷ୍ଟା କରିଥିଲୁ। ହେଲେ ସେମାନେ ଆଶାଠୁ ଅଧିକ ଦକ୍ଷତାର ପ୍ରମାଣ ଦେଇଥିଲେ। ତଥାପି ଆମେ ମ୍ୟାଚରେ ଫେରିପାରିଥାନ୍ତୁ। କିନ୍ତୁ ଏକାଧିକ କ୍ୟାଚ ହାତଛଡ଼ା କରିବା ଦଳକୁ ମହଙ୍ଗା ପଡ଼ିଛି। ଓଡ଼ିଶା କେବଳ ବ୍ୟାଟିଂ ନୁହେଁ, ଫିଲ୍ଡିଂରେ ମଧ୍ୟ ପ୍ରଥମରୁ ଆମକୁ ଅସୁବିଧାରେ ପକାଇଥିଲା। ତେଣୁ ଓଡ଼ିଶା ଅଗ୍ରଣୀ ପାଇବାକୁ ହକ୍‌ଦାର ଥିଲା। ବର୍ତ୍ତମାନ ତାମିଲନାଡୁ ପାଇଁ ପରବର୍ତ୍ତୀ ଦୁଇଟି ମ୍ୟାଚ କର ବା ମର ହୋଇଯାଇଛି। ଏଠାରୁ ଯିବା ପରେ ତ୍ରୁଟି ବିଷୟରେ ତର୍ଜମା କରିବୁ ବୋଲି ତାମିଲନାଡୁର ମୁଖ୍ୟ ପ୍ରଶିକ୍ଷକ ହୃଷିକେଶ କାନିତକର କହିଛନ୍ତି।

ସମ୍ବନ୍ଧିତ ଖବର