ଦୁଷ୍କର୍ମ ଅଭିଯୋଗରେ ଅଷ୍ଟ୍ରେଲୀୟ କ୍ରିକେଟର ଦୋଷୀ

ଲଣ୍ଡନ: ୱର୍ସେଷ୍ଟରସାୟାର ପକ୍ଷରୁ କାଉଣ୍ଟି ଖେଳିଥିବା ପୂର୍ବତନ ଅଷ୍ଟ୍ରେଲୀୟ ପ୍ରଥମ ଶ୍ରେଣୀ କ୍ରିକେଟର ଆଲେକ୍ସ ହେପବର୍ନ ଜଣେ ମହିଳାଙ୍କୁ ଶୋଇଲା ବେଳେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଲେକ୍ସ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ। ‌ବରଂ ମହିଳାଙ୍କ ସମ୍ମତିକ୍ରମେ ସେ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ବୋଲି ସଫେଇ ଦେଇଥିଲେ। ମହିଳା ଜଣକ କିନ୍ତୁ ଭିନ୍ନ ମତ ପୋଷଣ କରିଥିଲେ। ଏହି ଘଟଣା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ଯେ ୨୦୧୭ ମସିହା ଏପ୍ରିଲ ମାସର ଏକ ରାତିରେ ହେପବର୍ନଙ୍କ ସାଥୀ ଖେଳାଳି ଜୋ କ୍ଲାର୍କଙ୍କ ସହ ମୁଁ ସମ୍ଭୋଗ କରିଥିଲି। ଏହା ପରେ ଶୋଇ ପଡ଼ିଥିଲି। କିଛି ସମୟ ପରେ ଅନ୍ଧାର ଘରର ଫାଇନା ଉଠାଇ ହପବର୍ନ ମୋ ସହ ଯୌନକ୍ରିୟା କରିଥିଲେ। ଆଲୋକ ନଥିବାରୁ ମୁଁ ତାଙ୍କୁ କ୍ଲାର୍କ ବୋଲି ଭାବି ନେଇଥିଲି। ୨୦ ମିନିଟ୍ ପରେ କିନ୍ତୁ ହପବର୍ନ ମୋତେ ଚକ୍‌ମା ଦେଇ ଶାରୀରିକ ସଂପର୍କ ରଖିଥିବା ଜାଣିବାକୁ ପାଇଥିଲି। ମାମଲାର ୧୧ ଘଣ୍ଟାର ଶୁଣାଣି ପରେ ବିଚାରପତି ଶୁକ୍ରବାର ହପବର୍ନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଦଣ୍ଡବିଧାନ ଆସନ୍ତା ୩୦ ତାରିଖରେ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର