ରଶ୍ମି ଓଡ଼ିଶାର ନୂଆ ରଣଜୀ ପ୍ରଶିକ୍ଷକ

‘ଖେଳାଳିଙ୍କ ମଧ୍ୟରେ ସମନ୍ଵୟ ଓ ପ୍ରାରମ୍ଭିକ ଯୋଡ଼ିକୁ ଦୃଢ଼ କରିବା ପ୍ରାଥମିକତା ହେବ’

କଟକ: ପୂର୍ବତନ ଓଡ଼ିଶା ଅଧିନାୟକ ତଥା ବ୍ୟାଟିଂ ପ୍ରଶିକ୍ଷକ ରଶ୍ମିରଂଜନ ପରିଡ଼ା ୨୦୧୮-୧୯ ଘରୋଇ କ୍ରିକେଟ୍‌ ଋତୁ ପାଇଁ ରଜ୍ୟ ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପ୍ରଶିକ୍ଷକ ଦେବାଶିଷ ମହାନ୍ତିଙ୍କୁ ଜାତୀୟ କନିଷ୍ଠ ଚୟନକର୍ତ୍ତା ନିଯୁକ୍ତି ମିଳିବା ପରେ ରଶ୍ମିଙ୍କୁ ଏହି ସୁଯୋଗ ମିିଳିଛି। ଓଡ଼ିଶା ଦଳ ସହିତ ରଶ୍ମି ତିନିବର୍ଷ ତଳୁ ଯୋଡ଼ି ହୋଇଛନ୍ତି। ୨୦୧୫ରେ ବ୍ୟାଟିଂ ପ୍ରଶିକ୍ଷକ ଦାୟିତ୍ୱ ପରେ ୨୩ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ତଥାପି ବରିଷ୍ଠ ଦଳର ପ୍ରଶିକ୍ଷକ ଦାୟିତ୍ୱ ଆହ୍ଵାନପୂର୍ଣ୍ଣ ହେବ ବୋଲି ରାଜସ୍ଥାନ ପାଇଁ ଦୁଇ ଥର ରଣଜୀ ବିଜେତା ରଶ୍ମିରଂଜନ ପରିଡ଼ା କହିଛନ୍ତି। ୧୯୯୪ ମସିହାରେ ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିବା ରଶ୍ମି ପରବର୍ତ୍ତୀ ସମୟରେ ଆସାମ, ରାଜସ୍ଥାନ, ବିଦର୍ଭ, ହିମାଚଳ ପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳିଛନ୍ତି। ତାଙ୍କ ନେତୃତ୍ୱରେ ଓଡ଼ିଶା ୧୯୯୯-୨୦୦୦ ଋତୁରେ ପୂର୍ବାଞ୍ଚଳ ଦିନିକିଆ ବିଜେତା ହୋଇଥିଲା। ୨୦୦୦-୦୧ ଋତୁରେ ଓଡ଼ିଶାକୁ ରଣଜୀ ସେମିଫାଇନାଲ୍‌ ପର୍ଯ୍ୟନ୍ତ ନେବାରେ ତାଙ୍କର ଅବଦାନ ଅନେକ ଥିଲା। ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ପାଇଁ ଖେଳିଥିଲେ। ଏହାପରେ ଗୋଟିଏ ବର୍ଷ ପାଇଁ ଆସାମ ପକ୍ଷରୁ ଖେଳିଥିବା ବେଳେ ୨୦୧୩ ମସିହା ପର୍ଯ୍ୟନ୍ତ ରାଜସ୍ଥାନ ରଣଜୀ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଭାବେ ଦଳକୁ ଦୁଇ ଥର ଫାଇନାଲ୍‌ରେ ପହଞ୍ଚାଇଥିଲେ। ୨୦୧୧ରେ ରାଜସ୍ଥାନ ରଣଜୀ ବିଜେତା ହୋଇଥିଲା ବେଳେ ରଶ୍ମି ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ରାଜସ୍ଥାନ ଛାଡ଼ି ୨୦୧୩ରୁ ଗୋଟିଏ ଋତୁ ପାଇଁ ବିଦର୍ଭ ଓ ୨୦୧୪ରୁ ଗୋଟିଏ ଋତୁ ପାଇଁ ହିମାଚଳ ପ୍ରଦେଶ ପକ୍ଷରୁ ଖେଳିଥିଲେ। ୨୦୧୫ରେ କ୍ରିକେଟକୁ ଅଲ୍‌ବିଦା କରିବା ପରେ ସେହିବର୍ଷ ଓଡ଼ିଶା ରଣଜୀ ଦଳର ବ୍ୟାଟିଂ ପ୍ରଶିକ୍ଷକ ଦାୟିତ୍ୱ ପାଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳ ଜୀବନରେ ରଶ୍ମି ୧୩୯ ମ୍ୟାଚ୍‌ ଖେଳିଛନ୍ତି। ୪୨.୨୧ ହାରରେ ୧୬ ଶତକ ଓ ୫୧ ଅର୍ଧଶତକ ସହାୟତାରେ ୮୩୧୭ ରନ୍‌ କରିଥିଲେ। ସେହିପରି ଲିଷ୍ଟ ଏ’ରେ ୬୬ ମ୍ୟାଚ୍‌ରୁ ୩୭.୫୦ ହାରରେ ୨୦୬୩ ରନ୍‌ କରିଛନ୍ତି। ଏଥିରେ ୨ ଶତକ ଓ ୧୫ ଅର୍ଧଶତକ ଅନ୍ତର୍ଭୁକ୍ତ।

ବର୍ତ୍ତମାନର ଦଳକୁ ଅଳ୍ପ ବହୁତେ ଜାଣିଛି। ତଥାପି ପ୍ରଶିକ୍ଷକ ଭାବେ ଖେଳାଳିଙ୍କ ମଧ୍ୟରେ ଭଲ ସମନ୍ଵୟ ରକ୍ଷା କରିବା ମୋ ପ୍ରଥମ ଦାୟିତ୍ୱ ହେବ ବୋଲି ରଶ୍ମି ‘ସମ୍ବାଦ’କୁ କହିଛନ୍ତି। ଦଳର ଶକ୍ତି ଓ ଦୁର୍ବଳତାକୁ ଭଲଭାବେ ପରଖିବା ପରେ ପ୍ରତ୍ୟେକ ଖେଳାଳିଙ୍କ ଦୁର୍ବଳତାକୁ ସୁଧାରିବାକୁ ଚେଷ୍ଟା କରିବି। କିଏ କେଉଁ ସ୍ଥାନ ପାଇଁ ଠିକ୍‌ ରହିବ ସେହି ଅନୁସାରେ ତାଙ୍କୁ ପ୍ରସ୍ତୁତ କରାଯିବ। ଗତ କିଛି ବର୍ଷ ଧରି ପ୍ରାରମ୍ଭିକ ଯୋଡ଼ିକୁ ନେଇ ଅନେକ ଦ୍ୱନ୍ଦ୍ୱ ରହୁଛି। ଦଳକୁ ଦୃଢ଼ କରିବାରେ ଏହି ସ୍ଥାନ ପ୍ରମୁଖ ଭୂମିକା ନେଉଥିବାରୁ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଚଳିତ ବର୍ଷ ଲମ୍ବା ଖେଳସୂଚୀ ରହିଛି। ବହୁତ ମ୍ୟାଚ୍‌ ଖେଳିବାକୁ ବାକି ଅଛି। ମୋ ହାତରେ ଯେତିକି ବି ସମୟ ରହିଛି, ତାହା ଭିତରେ ସବୁ ଖେଳାଳିଙ୍କୁ ଶତପ୍ରତିଶତ ପ୍ରସ୍ତୁତ କରାଇବାକୁ ଉଦ୍ୟମ କରାଯିବ। ଆବଶ୍ୟକ ହେଲେ ସହକାରୀ ପ୍ରଶିକ୍ଷକ ପାଇଁ ଓସିଏକୁ ଅନୁରୋଧ କରିବି ବୋଲି ରଶ୍ମି କହିଛନ୍ତି।

କୁଳମଣି ଚୟନକର୍ତ୍ତା
ରଣଜୀ ଟ୍ରଫି ବିଜେତା ପୂର୍ବତନ ଅଫସ୍ପିନର୍‌ ତଥା ପ୍ରଶିକ୍ଷକ କୁଳମଣି ପରିଡାଙ୍କୁ ଓଡ଼ିଶା ରଣଜୀ ଦଳର ଚୟନକର୍ତ୍ତା ଭାବେ ସାମିଲ କରାଯାଇଛି। ରଶ୍ମିରଂଜନ ପରିଡ଼ା ରଣଜୀ ପ୍ରଶିକ୍ଷକ ହେବା ପରେ କୁଳମଣିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଗତବର୍ଷ ୧୯ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ ଭାବେ ସେ କାର୍ଯ୍ୟ କରିଥିଲେ ବି ପୂର୍ବାଞ୍ଚଳ ଦିନିକିଆରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ତାଙ୍କୁ ଏହି ଦାୟିତ୍ୱ ହରାଇବାକୁ ପଡ଼ିଥିଲା। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ଚୟନକର୍ତ୍ତା ଦାୟିତ୍ୱକୁ ସୂଚାରୁରୂପେ ତୁଲାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରଣଜୀ ବିଜେତା ରେଳବାଇ ଦଳର ସଦସ୍ୟ ଥିଲେ। ବିଷ୍ଣୁଦେବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବରିଷ୍ଠ ଚୟନ ସମିତିରେ କୁଳମଣିଙ୍କ ସହିତ ଶୁଭାଶିଷ ଭୂୟାଁ, ସୂର୍ଯ୍ୟ ମିଶ୍ର, ରାକେଶ ମହାନ୍ତି ରହିଛନ୍ତି।

ସମ୍ବନ୍ଧିତ ଖବର