ଭାରତୀୟ ମହିଳା ଲିଗ୍‌ ଫାଇନାଲ୍‌ରେ ରାଇଜିଂ

କଟକ: ମେଘାଳୟର ସିଲଂସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଭାରତୀୟ ମହିଳା ଫୁଟ୍‌ବଲ୍‌ ଲିଗ୍‌ ଫାଇନାଲ୍‌ରେ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ ପ୍ରବେଶ କରିଛି। ଶନିବାର ଫାଇନାଲ୍‌ରେ ରାଇଜିଂର ମୁକାବିଲା ଗତବର୍ଷର ବିଜେତା ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍‌ ସହିତ ହେବ। ଗତ ସଂସ୍କରଣର ଉପବିଜେତା ରାଇଜିଂ ଷ୍ଟୁଡେଣ୍ଟ ଗୁରୁବାର ସେମିଫାଇନାଲ୍‌ରେ କ୍ରିପ୍‌ସାକୁ ୪-୩ ଟାଇବ୍ରେକର୍‌ରେ ପରାସ୍ତ କରିଥିଲା। ଉଭୟ ଦଳର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ମ୍ୟାଚ୍‌ର ନିର୍ଧାରିତ ସମୟ ଗୋଲଶୂନ୍ୟ ରହିଥିଲା। ଆରମ୍ଭରୁ କ୍ରିପ୍‌ସା ଅଧିକ ଆକ୍ରମଣାତ୍ମକ ଖେଳିଥିଲା। ପ୍ରଥମ ମିନିଟ୍‌ରେ ବାଲା ଦେବୀ ପୋଷ୍ଟ୍‌ର ଅତି ନିକଟରୁ ଗୋଲ୍‌ ଦେବାକୁ ପ୍ରୟାସ କରିଥିଲେ ବି ତାହା ଉପରେ ଚାଲିଯାଇଥିଲା। ୧୭ ଓ ୨୧ ମିନିଟ୍‌ରେ ରାଇଜିଂ ଗୋଲ୍‌ରକ୍ଷିକା ଟିକିନା ସାମଲ ଦୁଇଟି ନିଶ୍ଚିତ ଗୋଲ୍‌କୁ ରୋକିବାରେ ସଫଳ ହୋଇଥିଲେ। ତେବେ ୨୮ ମନିଟ୍‌ରେ ପ୍ୟାରୀ ଖାଖାଙ୍କ ଏକ ପ୍ରୟାସ ପୋଷ୍ଟ୍‌ କଡ଼ଦେଇ ଚାଲିଯାଇଥିଲା। ଦ୍ୱିତୀୟାର୍ଧରେ ମଧ୍ୟ ଦୁଇର ଦଳର ଖେଳାଳିମାନେ ଏକାଧିକ ଗୋଲ୍‌ କରିବା ସୁଯୋଗ ପାଇଥିଲେ, କିନ୍ତୁ ଗୋଲ୍‌ରକ୍ଷିକଙ୍କ ଉପସ୍ଥିତ ବୁଦ୍ଧି ଓ ରକ୍ଷଣଭାଗ ଖେଳାଳିଙ୍କ ସୁଚିନ୍ତିତ ରଣନୀତି ପାଇଁ କୌଣସି ଗୋଲ୍‌ ହୋଇପାରିନଥିଲା। ଶେଷରେ ଟାଇବ୍ରେକରରେ ରାଇଜିଂ ଷ୍ଟୁଡେଣ୍ଟ୍‌ ମ୍ୟାଚ୍‌କୁ ଜିତିବାରେ ସଫଳ ହୋଇଥିଲା। ଅନ୍ୟପକ୍ଷରେ ଦ୍ୱିତୀୟ ସେମିଫାଇନାଲ୍‌ରେ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍‌ ୨-୦ ଗୋଲ୍‌ରେ ସେଥୁ ଏଫ୍‌ସିକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି।

ସମ୍ବନ୍ଧିତ ଖବର