ରସେଲ ରୋମାଞ୍ଚ:କିଙ୍ଗ୍ସକୁ କାଟିଲା କେକେଆର୍‌

କୋଲକାତା: ଆଇପିଏଲ-୧୨ରେ କୋଲକାତା ନାରଟ୍ ରାଇଡର୍ସ (‌କେ‌କେଆର)ର କମାଲ ଜାରି ରହିଛି। ବୁଧବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଏକ ହାଇସ୍କୋରିଂ ମୁକାବିଲାକୁ କେକେଆର ୨୮ ରନ୍‌ରେ ଜିତି ନେଇଛି। ଐତିହାସିକ ଇଡେନ୍ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ କେକେଆର ୨୧୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହା‌ର ଜବାବରେ ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ କରି ପାରିଥିଲା। ଧୂଆଁଧାର ବ୍ୟାଟିଂ ସହ ଦୁଇ ୱିକେଟ୍ ଅକ୍ତିଆର କରିଥିବା ଆନ୍ଦ୍ରେ ରସେଲ ନିଜ ଅଲରାଉଣ୍ଡ ସଫଳତା ଲାଗି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଦ୍ବିତୀୟ ଓଭରରେ ଲୋ‌କେଶ ରାହୁଲ (୧) ଏବଂ ପଞ୍ଚମରେ କ୍ରିସ୍ ଗେଲ୍ (୨୦ ରନ୍, ୧୩ ବଲ୍, ୨ଚୌକା, ୨ ଛକା)ଙ୍କୁ ହରାଇବା ପରେ ପଞ୍ଜାବ ପାଇଁ ୨୧୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଏକପ୍ରକାର ଅସମ୍ଭବ ମନେ ହୋଇଥିଲା। ମୟଙ୍କ ଅଗ୍ରୱାଲ (୫୮ ରନ୍, ୩୪ ବଲ୍, ୬ ଚୌକା, ୧ ଛକା) ଓ ଡେଭିଡ୍ ମିଲର (୫୯* ରନ୍, ୪୦ ବଲ୍, ୫ ଚୌକା, ୩ ଛକା) ଲଢ଼ିଥିଲେ। ହେଲେ ଏହା ଆଦୌ ପର୍ଯ୍ୟାପ୍ତ ହୋଇ ନଥିଲା। ଫଳରେ ପଞ୍ଜାବ ପ୍ରଥମ ପରାଜୟ ବରଣ କରିଥିଲା ବେଳେ କୋଲକାତା ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିଲା।
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କୋଲକାତା ନାଇଟ୍ ରାଇଡର୍ସ ଦ୍ବିତୀୟ ଓଭରରୁ ହିଁ ଆକ୍ରମଣ ଆରମ୍ଭ କରି ଦେଇଥିଲା। ନିଜ ମୂଳଦୂରଠାରୁ ୪୨ଗୁଣ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ପଞ୍ଜାବର ଯୁବ ସ୍ପିନର ବରୁଣ ଚକ୍ରବର୍ତିଙ୍କ ପ୍ରଥମ ଓଭରରୁ ସୁନୀଲ ନରିନ ତିନିଟି ଦର୍ଶନୀୟ ଛକା ସହ ୨୪ ରନ୍ ଅମଳ କରି ନେଇଥିଲେ। ନରିନଙ୍କ ସହ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ (୧୦)ଙ୍କୁ ଅବଶ୍ୟ ପଞ୍ଜାବ ୩୬ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ଦେଇଥିଲା। ହେଲେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ରବିନ ଉଥାପ୍ପା (୬୭* ରନ୍, ୫୦ ବଲ୍, ୬ ଚୌକା, ୨ ଛକା) ଓ ନୀତିଶ ରାଣା (୬୩ ରନ୍, ୩୪ ବଲ୍, ୨ ଚୌକା, ୭ ଛକା)ଙ୍କ ସହ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଆନ୍ଦ୍ରେ ରସେଲ (୪୮ ରନ୍, ୧୭ ବଲ୍, ୩ ଚୌକା, ୫ ଛକା)ଙ୍କୁ ରୋକି ନପାରି ୨୦୦ରୁ ଅଧିକ ରନ୍ ବ୍ୟୟ କରିଥିଲା। ରସେଲ ମାତ୍ର ୩ ରନ୍ କରିଥିଲା ବେଳେ ମହମ୍ମଦ ସାମି ଏକ ଶାଣିତ ୟର୍କରରେ ତାଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ଦୁର୍ଭାଗ୍ୟଜନକ ଭାବେ ଏହା କିନ୍ତୁ ଏକ ନୋ’ ବଲ୍ ଥିଲା।
ନିୟମ ମୁତାବକ ସର୍କଲ ଭିତରେ ୪ ଜଣ କ୍ଷେତ୍ରରକ୍ଷକ ନଥିବାରୁ ଅମ୍ପାୟାର ସେହି ବଲ୍‌କୁ ନୋ’ ବଲ୍ ଘୋଷିତ କରିଥିଲେ। ଏହା ହିଁ ପଞ୍ଜାବ ପାଇଁ ସବୁଠାରୁ ବେଶୀ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ରସେଲ ଛକା-ଚୌକା ବର୍ଷା କରିବା ସହ କୋଲକାତା ପରବର୍ତୀ ୧୯ ବଲ୍‌ରୁ ୫୬ ରନ୍ ଅମଳ କରି ଇଡେନ୍ ଗାର୍ଡେନ୍ସରେ ସର୍ବାଧିକ ଦଳଗତ ଆଇପିଏଲ୍ ରନ୍ କରି ନେଇଥିଲା। ରସେଲ ଅବଶ୍ୟ ଲଗାତାର ଦ୍ବିତୀୟ ଥର ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ନୀତିଶ, ରବିନ ଓ ରସେଲଙ୍କ ଧୂଆଁଧାର ବ୍ୟାଟିଂକୁ ଦର୍ଶକ ମନଭରି ଉପଯୋଗ କରିଥିଲେ।
ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୧୮/୪ (ରବିନ ଉଥାପ୍ପା ୬୭*, ନୀତିଶ ରାଣା ୬୩, ଆନ୍ଦ୍ରେ ରସେଲ ୪୮, ବରୁଣ ଚକ୍ରବର୍ତି ୧/୩୫, ଆଣ୍ଡ୍ର୍ୟୁ ଟାଏ ୧/୩୭, ମହମ୍ମଦ ସାମି ୧/୪୪)। କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୯୦/୪ (ଡେଭିଡ୍ ମିଲର ୫୯*, ମୟଙ୍କ ଅଗ୍ରୱାଲ ୫୮, ମନଦୀପ ସିଂହ ୩୩*, ଆନ୍ଦ୍ରେ ରସେଲ ୨/୨୧, ପୀୟୂଷ ଚାୱଲା ୧/୨୬)।

ସମ୍ବନ୍ଧିତ ଖବର