ରସ୍ତନ୍ ଲଢ଼ିଲେ, ଇଣ୍ଡିଜ୍ ୨୯୫/୭

ହାଇଦ୍ରାବାଦ: ରସ୍ତନ୍ ‌େଚଜ୍‌ଙ୍କ ତ୍ରୁଟିଶୂନ୍ୟ ୯୮* ରନ୍ ଏବଂ ଦୁଇଟି ଦାୟିତ୍ବପୂର୍ଣ୍ଣ ଭାଗୀଦାରି ବଳରେ ହାଇଦ୍ରାବାଦରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ ଘରୋଇ ଭାରତ ସହ ପ୍ରଥମ ଦିନ ସମ୍ମାନ ବାଣ୍ଟିଛି। ଭାରତ ୭ ୱିକେଟ୍‌ ବାହାର କରି ନେଇଥିଲେ ମଧ୍ୟ ୱେଷ୍ଟଇଣ୍ଡିଜ୍ ୨୯୫ ରନ୍ କରି ପ୍ରଥମ ଦିନ ଅଲଆଉଟ୍‌କୁ ଏଡ଼ାଇ ଦେଇଛି। ପ୍ରଥମ ଟେଷ୍ଟ୍‌ରେ ଆହତ କାରଣରୁ ବାହାରେ ବସିଥିବା ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲଡର୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୧୧ ଓଭର ଦଳ ମଧ୍ୟ ୱିକେଟ୍ ନ ହରାଇ ଭଲ ଆରମ୍ଭ ପାଇଥିଲା। କିନ୍ତୁ ସ୍ପିନ ଆକ୍ରମଣ ଆରମ୍ଭ ହେବା ମାତ୍ରେ ରବିଚନ୍ଦ୍ରନ ଅଶ୍ବିନ କିରଣ ପାୱେଲଙ୍କୁ ପ୍ୟାଭିଲିଅନ୍ ପଠାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ କ୍ରେଗ୍ ବ୍ରାଥ୍‌ୱେଟ୍‌ଙ୍କୁ ଚାଇନାମ୍ୟାନ୍ କୁଲଦୀପ ଯାଦବ ‌ଆଉଟ୍ କରି ଦେଇଥିଲେ। ଏହାପରେ ଭାରତୀୟ ଦଳର ଅନ୍ୟତମ ଯାଦବ ଦ୍ରୁତ ବୋଲର ଉମେଶ ବି ୱିକେଟ୍ ଦଖଲ ତାଲିକାରେ ନିଜ ନାମ ସାମିଲ କରି ନେଇଥିଲେ। ସାଇ ହୋପ୍‌ଙ୍କୁ ସେ ଲେଗ୍ ବିଫୋର କରି ପ୍ରଥମ ୱିକେଟ୍ ପାଇଥି‌େଲ। ‌ଭାରତ ଏଥି ସହିତ ୮୬/୩ରେ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲା। ଏହ‌ା ପରେ କୁଲଦୀପ ଯାଦବ ଲଗାତାର ଭାବେ ଦୁଇ ମଧ୍ୟକ୍ରମ ଖେଳାଳି ସିମରନ୍ ହେଟମେୟର ଏବଂ ସୁନୀଲ ଅମ୍ବ୍ରିସଙ୍କୁ ଆଉଟ୍ କରିଦେଇଥିଲେ। ଏଥି ସହିତ ଇଣ୍ଡିଜ୍ ପାଳି ୧୧୩/୫ରେ ପହଞ୍ଚିଯାଇଥିଲା। କିନ୍ତୁ ୬ ନମ୍ବର ସ୍ଥାନରେ ଆସିଥିବା ରସ୍ତନ୍ ଚେଜ୍‌ ଦୁଇଟି ଭାଗୀଦାରି ବଳରେ ହିଁ ଦଳର ଭାଗ୍ୟ ବଦଳାଇ ଦେଇଥିଲେ। ୱିକେଟରକ୍ଷକ ସନ୍ ଡାଓରିଚ୍ (୩୦, ୬୩ ବଲ, ୪ ଚୌକା, ୧ ଛକା)ଙ୍କୁ ନେଇ ଷଷ୍ଠ ୱିକେଟରେ ସେ ୬୯ ରନ୍ ଯୋଡ଼ିଥିଲେ। ଡାଓରିଚ୍‌ଙ୍କ ପରେ ସେ ଅଧିନାୟକ ଜାସନ୍ ହୋଲଡର (୫୨, ୯୨ ବଲ, ୬ ଚୌକା)ଙ୍କୁ ନେଇ ସପ୍ତମ ୱିକେଟ୍‌ରେ ୧୦୪ ରନ୍ ଯୋଡ଼ିବା ଭାରତୀୟ ବୋଲରଙ୍କୁ ଢ଼େର ପରୀକ୍ଷାରେ ପକାଇଥିଲା। ଉଭୟଙ୍କ ୱିକେଟକୁ ଉମେଶ ଯାଦବ ନେଇଥିଲେ। ‌ ୮୮ତମ ଓଭରରେ ଦ୍ବିତୀୟ ନୂଆ ବଲ ନିଆଯିବା ପରେ ୯୦ତମ ଓଭରରେ ହୋଲଡରଙ୍କୁ ଉମେଶ ୱିକେଟ୍‌ ପଛପଟେ ପନ୍ତ୍‌ଙ୍କ ହାତରେ ଧରାଇଥିଲେ। ଭାରତ ଆଶ୍ବସ୍ତି ପାଇଥିଲେ ମଧ୍ୟ ପେସ ଓ ସ୍ପିନ୍‌କୁ ଭଲ ଖେଳି ରସ୍ତନ୍ ଚେଜ୍‌ ୯୮ ରନ୍‌ରେ ଅପରାଜିତ ଅଛନ୍ତି। ୧୭୪ ବଲରୁ ୭ ଚୌକା ଓ ୧ ଛକା ବଳରେ ସେ ନିଜର ଚତୁର୍ଥ ଟେଷ୍ଟ୍ ଶତକ ଦ୍ବାରରେ ପହଞ୍ଚିଛନ୍ତି। ବିଦେଶ ମାଟିରେ କିନ୍ତୁ ପ୍ରଥମ ଶତକ ହାସଲଠାରୁ ୨ ରନ୍ ଦୂରରେ ରହିଛନ୍ତି। ରସ୍ତନ୍‌ଙ୍କ ପାଇଁ ଭାରତ ମାଟିରେ ଇଣ୍ଡିଜ୍ ବିଗତ ୪ ଟେଷ୍ଟ୍‌ରେ ପ୍ରଥମ ଥର ୨୫୦ ଟପିଛି। ସେହିଭଳି ଚଳିତ ଗସ୍ତରେ ମଧ୍ୟ ଭାରତକୁ ପ୍ରଥମ ଥର ଗୋଟିଏ ପାଳିରେ ଦ୍ବିତୀୟ ନୂଆ ବଲ୍‌ ନେବାକୁ ବାଧ୍ୟ କରିଛି।

ସୁରକ୍ଷା ଲଙ୍ଘିଲେ ପ୍ରଶଂସକ
ପ୍ରଥମ ଦିବସରେ ଜଣେ ପ୍ରଶଂସକ ସୁରକ୍ଷା ବଳୟ ଡ଼େଇଁ ପଡ଼ିଆ ଭିତରକୁ ପ୍ରବେଶ କରିବା ଏବଂ ଅଧିନାୟକ ବିରାଟ କୋହଲିଙ୍କୁ ଧରିବା ଭଳି ଘଟଣା ନଜରକୁ ଆସିଥିଲା। ପ୍ରଥମ ଦିନ ସକାଳେ ମାତ୍ର ଘଣ୍ଟାଏ ଖେଳ ହୋଇଥିବା ବେଳେ ଏହି ଘଟଣା ଘଟିଥିଲା। ସମ୍ପୃକ୍ତ ପ୍ରଶଂସକ ବ୍ୟାରିକେଡ୍ ଡେଇଁ ପାଖାପାଖି ୭୦ ମିଟର୍ ଦୌଡ଼ି କୋହଲିଙ୍କ ନିକଟତର ହୋଇଥିଲେ। ସେ ମଧ୍ୟ କୋହଲିଙ୍କୁ ଦୁଇ ହତରେ ଧରି ତାଙ୍କ ସହ ସେଲଫି ନେଇଥିଲେ। କୋହଲି ଏହାକୁ ଏଡ଼ାଇଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଂପୃକ୍ତ ପ୍ରଶଂସକ ସେଲ୍‌ଫି ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ତେବେ ପରେ ସୁରକ୍ଷା କର୍ମୀ ଆସି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରି ନେଇଥିଲେ।

ଠାକୁରଙ୍କ ଫିକା ପଦାର୍ପଣ
ଭାରତର ନୂଆ ଦ୍ରୁତ ବୋଲର ସାର୍ଦୁଲ ଠାକୁରଙ୍କ ଟେଷ୍ଟ୍ ପଦାର୍ପଣ ଚମକହୀନ ରହିଛି। ପ୍ରଥମ ଦିନ ସକାଳେ ଭାରତ ବୋଲିଂ କରିଥିଲେ ମଧ୍ୟ ସେ ମାତ୍ର ୧.୪ ଓଭର ପକାଇବା ପରେ ମାଂଶପେଶୀ ଟାଣି ହୋଇଯିବାରୁ ଦିନ ତମାମ ବାହାରେ ବସିଥିଲେ। ଏହି ଟେଷ୍ଟ୍‌ର ଅନ୍ୟ ଦିବସଗୁଡ଼ିକରେ ସେ ଖେଳିପା‌ରିବେ କି ନା ଦଳୀୟ ଶିବିର ଦ୍ବନ୍ଦ୍ବରେ ରହିଛି। ଶୁକ୍ରବାର ୨୬ ବର୍ଷୀୟ ଠାକୁରଙ୍କୁ ଭାରତୀୟ ଦଳ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦେଶର ୨୬୪ତମ ଟେଷ୍ଟ୍ ଖେଳାଳିଭାବେ କ୍ୟାପ୍ ପ୍ରଦାନ କରିଥିଲେ। ଲଗାତାର ୬ ଟେଷ୍ଟ୍ ଖେଳିବା ପରେ ମହମ୍ମଦ ସାମିଙ୍କୁ ବସାଇ ଠାକୁରଙ୍କୁ ଦଳରେ ନିଆଯାଇଥିଲା ବୋଲି କୋହଲି କହିଥିଲେ। ଠାକୁର ୨୦୧୨ ନଭେମ୍ବରରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର