ରାଠୋର୍‌ କହିଲେ ‘ଓଡ଼ିଶା ହକିର ଗଡ଼’

ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବାକୁ ଶନିବାର ଭୁବନେଶ୍ୱର ଆସିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ତଥା ପଦକ ବିଜୟୀ ଅଲିମ୍ପିଆନ୍‌ ରାଜ୍ୟବର୍ଧନ ସିଂହ ରାଠୋର୍‌। ରବିବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ଫାଇନାଲ୍‌ ପରେ ଉଦ୍‌ଯାପନୀ ଉତ୍ସବରେ ରାଠୋର୍‌ ହେବେ ମୁଖ୍ୟ ଅତିଥି ଏବଂ ମୁଖ୍ୟ ଆକର୍ଷଣ। କର୍ନେଲ ରାଠୋରଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି। ରାଠୋରଙ୍କୁ ଶନିବାର ସଂଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ଭାଜପା ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି। ସୂଚନାଯୋଗ୍ୟ, ହକି ଲିଗ୍‌ ଫାଇନାଲ୍‌ ପୂର୍ବରୁ ରାଠୋର୍‌ ରବିବାର ଅପରାହ୍ନରେ ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ବାର୍ଷିକ ଉତ୍ସବରେ ଅତିଥିଭାବେ ଯୋଗ ଦେବେ। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ବଂଧୁକଚାଳକ ଭାବେ ଡବଲ୍‌ ଟ୍ରାପ୍‌ରେ ରୌପ୍ୟ ପଦକ ଅର୍ଜନ କରି ଇତିହାସ ରଚିଥିଲେ। ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ କ୍ରୀଡ଼ାମନ୍ତ୍ରୀ ଭାବେ ସାମିଲ କରାଯିବା ପରେ ଅନେକ ବୈପ୍ଳବିକ ପରିବର୍ତନ ଆଣି ଚର୍ଚାରେ ରହିଛନ୍ତି।

ଭୁବନେଶ୍ୱର ପହଞ୍ଚିବା ପରେ ରାଠୋର୍‌ ଓଡ଼ିଶା ହକିର ଢ଼େର ପ୍ରଶଂସା କରିଛନ୍ତି। ଓଡ଼ିଶା ହକିର ଗଡ଼। ଦେଶକୁ ଯେତେ ସବୁ ଭଲ ଖେଳାଳି ମିଳିଛନ୍ତି ସେମାନେ ଓଡ଼ିଶାରୁ ବାହାରିଛନ୍ତି ବୋଲି ପ୍ରକାଶ କରିଛନ୍ତି ତାରକା କ୍ରୀଡ଼ାବିତ୍‌ରୁ ରାଜନୀତିକୁ ଆସିଥିବା ରାଠୋର୍‌। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଠୋର୍‌ କହିଛନ୍ତି ଓଡ଼ିଶା ତାଙ୍କ ଖାସ୍‌ ନଜରରେ ରହିଛନ୍ତି। ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ସବୁପ୍ରକାର ସମର୍ଥନ କରିବ। ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ମଧ୍ୟ ସେ ସର୍ବଦା ଚେଷ୍ଟା କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର