ଶ୍ରେୟସଙ୍କୁ ୪ ନମ୍ବରରେ ଖେଳାଇବା ସପକ୍ଷରେ ଶାସ୍ତ୍ରୀ

ପୋର୍ଟ ଅଫ୍ ସ୍ପେନ୍: ବିଶ୍ବକପ୍ ପୂର୍ବରୁ ଏବଂ ପରେ ଭାରତୀୟ ବ୍ୟାଟିଂକ୍ରମର ୪ ନମ୍ବର ସ୍ଥାନ‌କୁ ନେଇ ସବୁଠାରୁ ଅଧିକ ବିତର୍କ ହୋଇଛି। ଏହି ସ୍ଥାନରେ ଦଳ ମଧ୍ୟ ବହୁ ପରୀକ୍ଷା ନିରୀକ୍ଷା କରିଛି। ମୁଖ୍ୟ ପ୍ରଶିକ୍ଷକ ଭାବେ ପୁନଃ ନିଯୁକ୍ତି ପାଇବା ପରେ ଏହି ସ୍ଥାନକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ରବି ଶାସ୍ତ୍ରୀ। ଆସନ୍ତା ସମୟରେ ମୁମ୍ବାଇ ତାରକା ଶ୍ରେୟସ୍ ଆୟର ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ବୋଲି ସେ ସଙ୍କେତ ଦେଇଛନ୍ତି। ହେଲେ ଶ୍ରେୟସ୍ ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ବେଶ୍ ସଫଳ ହୋଇଥିଲେ। ଏହି ଶୃଙ୍ଖଳାରେ ଫଳାଫଳ ବାହାରିଥିବା ଦୁଇଟି ମ୍ୟାଚ୍‌ରୁ ସେ ଦୁଇଟି ଅର୍ଧଶତକ ହାସଲ କରିଥିଲେ। ଏହି ଦୁଇ ମ୍ୟାଚ୍‌ରେ ଅନ୍ୟତମ ଯୁବ ତାରକା ତଥା ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତ ଚତୁର୍ଥ ସ୍ଥାନରେ ଖେଳି ଦୁଇଟି ପାଳିରୁ ମାତ୍ର ୨୦ ରନ୍ କରି ପାରିଥିଲେ। ସେଥିପାଇଁ ତାଙ୍କ ସ୍ଥାନରେ ଶ୍ରେୟସଙ୍କୁ ଚାରି ନମ୍ବରରେ ଖେଳାଇବାକୁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଆହ୍ବାନ କରିସାରିଛନ୍ତି। ଅଧିନାୟକ କୋହଲି କିନ୍ତୁ ପନ୍ତଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ପନ୍ତଙ୍କୁ ୪ ନମ୍ବର ସ୍ଥାନରେ ଅଧିକ ସୁଯୋଗ ଦିଆଯିବ ବୋଲି ସେ କହିଥିଲେ। ହେଲେ ଶାସ୍ତ୍ରୀ ତାଙ୍କ ସହ ଏକମତ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର