ଚେନ୍ନାଇ: କ୍ରିକେଟ୍ ଖେଳରେ ପ୍ରତିଟି ମ୍ୟାଚ୍ ପାଇଁ ଉଭୟ ଦଳ ବିଭିନ୍ନ ରଣକୌଶଳ ପ୍ରସ୍ତୁତ କରିଥାନ୍ତି। କିନ୍ତୁ ଏକ ଭୟଙ୍କର କୌଶଳ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାରତୀୟ ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ଙ୍କୁ ପିଲାଦିନେ ପ୍ରତିପକ୍ଷ ଦଳ ଏତେ ଡରୁଥିଲେ ଯେ ଗୋଟିଏ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ପୂର୍ବରୁ ତାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କ ଆଙ୍ଗୁଠି କାଟିନେବାକୁ ଧମକ ବି ଦେଇଥିଲେ। ଏ କଥା ଅଶ୍ବିନ୍ ନିଜେ ପ୍ରକାଶ କରିଛନ୍ତି। ‘ମୋତେ ସେତେବେଳେ ୧୪-୧୫ ବର୍ଷ ହେବ। ସାଙ୍ଗମାନଙ୍କ ସହ ଟେନିସ୍ ବଲ୍ କ୍ରିକେଟ୍ ଖେଳିବାର ଅଭ୍ୟାସ ଥିଲା। ରାସ୍ତାଘାଟରେ ଖେଳେ ବୋଲି ପିତା ବି ପସନ୍ଦ କରୁନଥିଲେ।
ଦିନେ ଗୋଟିଏ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଯିବା ପୂର୍ବରୁ ୪/୫ ଜଣ ଯୁବକ ମୋ ପାଖକୁ ରୟାଲ୍ ଏନ୍ଫିଲ୍ଡରେ ଆସିଥିଲେ। ବଳବାନ ଚେହେରାର ଥିଲେ, ମୋତେ ସିଧାସଳଖ ଟେକି ନେଇଥିଲେ। ମୋ ଆଗ ଓ ପଛରେ ଜଣେ ଲେଖାଏଁ ବସି ଚାପି ଦେଇଥିଲେ। କିଛି ଦୂରରେ ଥିବା ଏକ ଚା’ ଦୋକାନରେ ଅଟକିଥିଲେ। ଭଜି ଓ ଭେଦା ମଗାଇଥିଲେ। ଭୟଭୀତ ନ ହେବାକୁ ବି ପରାମର୍ଶ ଦେଇଥିଲେ। ଆମେ ତୁମକୁ ସାହାର୍ଯ୍ୟ କରିକୁ ବୋଲି ମଧ୍ୟ କହିଥିଲେ। ଅପରାହ୍ନ ୩.୩୦ରୁ ୪ଟା ବେଳକୁ ମୁଁ କହିଥିଲେ ମ୍ୟାଚ୍ ଆରମ୍ଭ ହେବାକୁ ବସିଲାଣି ମୋତେ ଛାଡ଼ିଦିଅ। ସେତେବେଳେ ହିଁ ଜଣାପଡ଼ିଥିଲା ସେମାନେ ପ୍ରତିପକ୍ଷ ଦଳର ଥିଲେ। ସେତେବେଳେ କହିଥିଲେ ‘ତୁମେ ଭେଯଳି ସେ ଫାଇନାଲ୍ ମ୍ୟାଚ୍ ଖେଳି ନ ପାରିବ ସେଥି ପାଇଁ ନେଇ ଆସିଛୁ’। ତୁମେ ଯଦି ଯିବ ଏବଂ ଖେଳିବ ତେବେ ନିଶ୍ଚିତ ହେବାକୁ ପଡ଼ିବ ତୁମ ଆଙ୍ଗୁଠି ନଥିବ। ମୁଁ ସେମାନଙ୍କୁ କେବଳ ଆବାକାବା ହୋଇ ଚାହିଁଥିଲି, ଖେଳିବାକୁ ନ ଯାଇ ଘରକୁ ଚାଲିଯିବି ବୋଲି କଥା ଦେଇଥିଲି। ଏହା ପରେ ଆମେ ସେ ଚା’ ଦୋକାନରେ ଘଣ୍ଟାଏ ଦେଢ଼ଘଣ୍ଟା କଟାଇବା ସହିତ ସ୍ନାକ୍ସ ନେଇଥିଲୁ। ବାପା ଅଫିସରୁ ଆସିଯିବେଣି, ଏବେ ଛାଡିଦିଅ ଘରକୁ ଯିବି ବୋଲି କହିବାରୁ ସେମାନେ ଆଣି ଘରେ ଛାଡ଼ି ଦେଇଥିଲେ’।