ଆର୍‌ସିବି ଉଠିଲା

ପଞ୍ଜାବ ୧୭ ରନ୍‌ରେ ପରାସ୍ତ

ବେଙ୍ଗାଲୁରୁ: ୧୧ ମ୍ୟାଚ୍ ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଚଳିତ ଆଇପିଏଲ୍‌ର ସବାଶେଷ ସ୍ଥାନରୁ ଉପରକୁ ଉଠିଛି। ବୁଧବାର କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୧୭ ରନ୍‌ରେ ହରାଇ ଅଷ୍ଟମରୁ ସପ୍ତମରେ ପହଞ୍ଚିଛି। ଆର୍‌ସିବି ଚତୁର୍ଥ ବିଜୟ ପାଇ ତିନିଟି ବିଜୟ ହାସଲ କରଥିବା ରାଜସ୍ଥାନ ରୟାଲ୍ସକୁ ଅନ୍ତିମ ସ୍ଥାନକୁ ଠେଲି ଦେଇଛି।
ବିରାଟ କୋହଲିଙ୍କ ଆର୍‌ସିବି ବୁଧବାର ୨୦୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ପଞ୍ଜାବ ହାସଲ କରିପାରି ନଥିଲା। ବଡ଼ ସ୍କୋର କରିଥିବାରୁ ଡେଲ୍ ଷ୍ଟେନ୍‌ଙ୍କ ଅନୁପସ୍ଥତି ସତ୍ତ୍ବେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଆର୍‌ସିବି ୧୮୫/୭ରେ ଅଟକାଇ ଦେଇଥିଲା। ପଞ୍ଜାବ ଏକଦା ଦୃଢ଼ ସ୍ଥିତିରେ ଥିଲେ ମଧ୍ୟ ବଢ଼ି ଚାଲିଥିବା ରନ୍ ହାର ପାଇଁ ଚାପଗ୍ରସ୍ତ ‌ହୋଇ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ସେପଟେ ନିୟମିତ ବ୍ୟବଧାନରେ ୱିକେଟ୍ କରାୟତ କରି ଆର୍‌ସିବି ବିଜୟର ସ୍ବାଦ ଚାଖିଥିଲା। ଲୋକେଶ ରାହୁଲ (୪୨), କ୍ରିସ୍ ଗେଲ୍ (୨୩), ମୟଙ୍କ ଅଗ୍ରୱାଲ (୩୫), ଡେଭିଡ୍ ମିଲର (୨୪) ଓ ନିକୋଲାସ ପୁରାନ (୪୬) ଭଲ ଆରମ୍ଭ ପାଇବା ପରେ ଠିକଣା ସମୟରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଉମେଶ ଯାଦବ ୩୬ ରନ୍ ଦେଇ ସର୍ବାଧିକ ୩ ଏବଂ ନଭଦୀପ ସାଇନି ୨ ୱିକେଟ୍ ଅକ୍ତିଆର କରିଥିଲେ। ଆର୍‌ସିବି ଶେଷ ୩ ଓଭରରେ ୬୪ ରନ୍ କରିଥିଲା। ଅନ୍ୟପକ୍ଷରେ ପଞ୍ଜାବ ୧୮, ୧୯ ଓ ୨୦ତମ ଓଭରରେ ମାତ୍ର ୧୮ ରନ୍ କରି ୪ ୱିକେଟ୍ ହରାଇଥିଲା‌।
କିଙ୍ଗ୍ସ ଏକାଦଶ ପଞ୍ଜାବ ଟସ୍ ଜିତି ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆର୍‌ସିବି ୩୫ ରନ୍‌ରେ ଅଧିନାୟକ କୋହଲିଙ୍କୁ ହରାଇଥିଲା। ତେବେ ମିଷ୍ଟର ଥ୍ରୀ-ସିକ୍ସଷ୍ଟି ଭାବେ ପରିଚିତ ଏବି ଡି’ଭିଲିୟର୍ସ (୮୨* ରନ୍, ୪୪ ବଲ୍, ୩ ଚୌକା, ୭ ଛକା)ଙ୍କ ଧୂଆଁଧାର ଅର୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୨୦୨/୪ ରନ୍ କରିନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ (୪୩ ରନ୍, ୨୪ ବଲ୍, ୭ ଚୌକା, ୨ ଛକା) ପୁଣି ଥରେ ଭଲ ବ୍ୟାଟିଂ କରିଥିଲେ। ହେଲେ ୭ ରନ୍ ପାଇଁ ଲଗାତାର ଦ୍ବିତୀୟ ଅର୍ଧଶତକ ଅର୍ଜନ କରିବାରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ମୁରୁଗାନ ଅଶ୍ବିନ ଶିକାର କରିଥିଲେ। ତେବେ ଦୁର୍ଦ୍ଧର୍ଷ ଡି’ଭିଲିୟର୍ସଙ୍କୁ ରୋକିବାକୁ ପଞ୍ଜାବର ସବୁ ବୋଲର ବିଫଳ ହୋଇଥିଲେ। ଶେଷ ଆଡ଼କୁ ମାର୍କସ ଷ୍ଟୋଇନିସ (୪୮* ରନ୍, ୩୪ ବଲ୍, ୨ ଚୌକା, ୩ ଛକା) ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଡି’ଭିଲିୟର୍ସ ଓ ସେ ମିଶି ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୬୬ ବଲ୍‌ରୁ ୧୨୧ ରନ୍ ଯୋଡ଼ିଥିଲେ। ହାର୍ଡସ୍ ଭିଲିଜନଙ୍କ ଶେଷ ଓଭରରୁ ଉଭୟ ୨୭ ରନ୍ ଅମଳ କରିଥିଲେ।
ସଂକ୍ଷିପ୍ତ ସ୍କୋର: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୨୦୨/୪ (ଏବି ଡି’ଭିଲିୟର୍ସ ୮୨*, ମାର୍କସ ‌ଷ୍ଟୋଇନିସ୍ ୪୬*, ପାର୍ଥିବ ପଟେଲ ୪୩, ଆର ଅଶ୍ବିନ ୧/୧୫, ମୁରୁଗାନ ଅଶ୍ବିନ ୧/୩୧, ହାର୍ଡସ ଭିଲିଜନ୍ ୧/୫୧)। କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୮୫/୭ ( ନିକୋଲାସ ପୁରାନ ୪୬, ଲୋକେଶ ରାହୁଲ ୪୨, ମୟଙ୍କ ଅଗ୍ରୱାଲ ୩୫, ଡେଭିଡ୍ ମିଲର ୨୪, କ୍ରିସ୍ ଗେଲ୍ ୨୩, ଉମେଶ ଯାଦବ ୩/୩୬, ନଭଦୀପ ସାଇନି ୨/୩୩)।

ସମ୍ବନ୍ଧିତ ଖବର